ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁମାନେ ପକ୍ଷୀ ଭଳି ଉଡ଼ିବାକୁ ଚାହାନ୍ତି ଏବଂ ଗାଡ଼ିର ଆକ୍ସିଲରେଟରରେ ପାଦ ଥୋ‌ଇ ଏହି ସ୍ୱାଧୀନତାର ସ୍ୱାଦ ଚାଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏବେ ଖୋଲିଛି ଏସ୍‌ୟୁଭି ବଜାର। ଏହି ସ୍ପୋର୍ଟ୍ସ୍‌ ୟୁଟିଲିଟି ଭେଇକିଲ୍‍ ତାଲିକାରେ ଜଣାଶୁଣା ପୁରୁଣା ‘ଜିପ୍‌’ ବ୍ରାଣ୍ଡର ନୂଆ ମଡେଲ୍‍ କମ୍ପାସ୍‌ ଏବେ ଯୋଗଦେଇଛି।

ସୋମବାର ଦିନ ମୁମ୍ବାଇଠାରେ ଜିପ୍‌ କମ୍ପାସ୍‌ର ଚକାଚକ୍‌ ମଡେଲ୍‌କୁ ଉନ୍ମୋଚନ କରିଛନ୍ତି ଏଫ୍‌ସିଏ ଇଣ୍ଡିଆର ପ୍ରେସିଡେଣ୍ଟ ଓ ସିଇଓ କେଭିନ୍‌ ଫ୍ଲାଇନ୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ପ୍ରାୟ ୧୫ ଲକ୍ଷ ଟଙ୍କା। ଏହି ଗାଡ଼ି ପାଇଁ ଦେଶର ପ୍ରାୟ ୫୦ଟି ଆଉଟ୍‌ଲେଟରେ ବୁକିଂ ଏବଂ ଟେଷ୍ଟ ଡ୍ରାଇଭ୍‌ର ବ୍ୟବସ୍ଥା ଖୋଲା ରହିଛି। ଆଗାମୀ ୬ ତାରିଖରୁ ଏହାର ବିଧିବଦ୍ଧ ବିକ୍ରି ଆରମ୍ଭ ହେବ।

ଜିପ୍‍ କମ୍ପାସ୍‌ର ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ମଡେଲ୍‍ ବଜାରରେ ମିଳୁଛି। ଏହାର ପେଟ୍ରୋଲ୍‍ ମଡେଲ୍‌ରେ ୬ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌ ରହିଛି। ସେହିପରି ଏହାର ଡିଜେଲ୍‌ ମଡେଲ୍‌ରେ ବିକଳ୍ପ ଭାବେ ରହିଛି ୬ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌ ଓ ୭ ସ୍ପିଡ୍‍ ଅଟୋମାଟିକ୍‍ ଟ୍ରାନ୍ସମିସନ୍‍। ଏହି ମଡେଲ୍‍ ସ୍ପୋର୍ଟ୍ସ ଭେଇକିଲ୍‌ରେ ରୁଚି ରଖୁଥିବା ଲୋକ ବିଶେଷକରି ଯୁବପିଢିଙ୍କୁ ଆକର୍ଷିତ କରିବ ବୋଲି କମ୍ପାନିର ସିଇଓ କହିଛନ୍ତି।

ବଜାରରେ ଉପଲବ୍ଧ ବିଭିନ୍ନ ଏସ୍‌ୟୁଭି ସହ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ହୋ‍ଇ ଆସୁଛି ଜିପ୍‌ କମ୍ପାସ୍‌। ଏଥିରେ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ବିଭିନ୍ନ ଫିଚର ରହିଥିବା ସହ ଏହାକୁ ଏକ ପ୍ରିମିୟମ୍‌ ଭେଇକିଲ୍‍ ହିସାବରେ କମ୍ପାନି ଉପସ୍ଥାପନ କରୁଛି। ୨୦୧୭ ଡିସେମ୍ବର ସୁଦ୍ଧା ଏଫ୍‌ସିଏ ଇଣ୍ଡିଆ ଦେଶରେ ଡିଲର୍‍ ନେଟୱାର୍କ ୬୦ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଜିପ୍‌ ଏକ ପୁରୁଣା ବ୍ରାଣ୍ଡ। ଅତୀତରେ ସହର ବଜାରଠାରୁ ଆରମ୍ଭକରି ମଫସଲର ପଙ୍କକାଦୁଅ ଏବଂ ପାହାଡ଼ିଆ ଅଞ୍ଚଳରେ ଏହା ବହୁଳ ଭାବରେ ଚାଲିବା ଦେଖିବାକୁ ମିଳୁଥିଲା। ସେହିପରି ଗୋଟିଏ ସମୟରେ ବିଭିନ୍ନ ସରକାରୀ ଅଫିସ୍‌ ଓ କ୍ଷେତ୍ର କାର୍ଯ୍ୟାଳୟରେ ଏହା ବେଶ୍‌ ଲୋକପ୍ରିୟ ଥିଲା। ଆଜିର ଆଧୁନିକତା ଏବଂ ଷ୍ଟାଇଲ୍‍ ଅନୁଯାୟୀ ଜିପ୍‌ ଏବେ ଏକ ନ୍ୟୁ ଜେନେରେସନ ବ୍ରାଣ୍ଡ ଭାବେ ମାର୍କେଟରେ ନିଜ ପାଇଁ ଜାଗା ନେବାକୁ ଚେଷ୍ଟା କରୁଛି।

Comment