ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନରେ ୩ ଦିନିଆ ଗସ୍ତ ପରେ ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସେପ୍ଟେମ୍ବରରେ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ଓଡ଼ିଶାରେ ତିନି ଦିନ ରହି ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବାକୁ ଶାହା ଲକ୍ଷ୍ୟ ରଖିଛନ୍ତି। ସେପ୍ଟେମ୍ବର ୬ରୁ ଶାହାଙ୍କ ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଅବସରରେ ସେ ୨୬ଟି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ବୁଥ୍‍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ କେତେଦୂର ଆଗେଇଛି, କମକର୍ତ୍ତାମାନେ ଲୋକଙ୍କ ସହ କେତେଦୂର ଯୋଡ଼ି ହୋଇଛନ୍ତି ଏବଂ ତୃଣମୂଳସ୍ତରରେ କେନ୍ଦ୍ରୀୟ ଯୋଜନା ଠିକ୍‌‍ରେ ପହଞ୍ଚୁଛି କି ନାହିଁ ସେସବୁର ଟିକିନିଖି ସମୀକ୍ଷା କରିବେ ଶାହା। ଏହାସହ ଜୁନ ମାସରେ ଦେଇଥିବା ମନ୍ତ୍ରକୁ ବିଜେପି କର୍ମକର୍ତ୍ତା କେତେଦୂର କାର୍ଯ୍ୟରେ ଲଗାଇଛନ୍ତି ତାହା ମଧ୍ୟ ସେ ପରଖିବେ। ମୋଟାମୋଟି ଭାବେ ବିହାରରେ ବିଜେପି-ଜେଡ଼ି(ୟୁ) ମେଣ୍ଟ ଶାସନ ଆରମ୍ଭ ହେବା ପରେ ବିଜେପି ନେତାମାନେ ଅନ୍ୟତମ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଉପରେ ଫୋକସ୍‍ କରୁଛନ୍ତି। ୨୦୧୯ରେ ଓଡ଼ିଶାର ଶାସନ ମଙ୍ଗ ଧରିବା ପାଇଁ ବିଜେପି କେନ୍ଦ୍ର ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଣିକି ଶାହା ପ୍ରତି ଦୁଇ ମାସରେ ଥରେ ଓଡ଼ିଶା ଗସ୍ତରେ ସାଙ୍ଗଠନିକ କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି ଜଣାପଡ଼ିଛି।

ଗତ ଜୁନ୍‌ରେ ଶାହା ଓଡ଼ିଶା ଗସ୍ତରେ ଆସିବା ଅବସରରେ ପ୍ରଥମେ ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲାକୁ ଟାର୍ଗେଟ କରିଥିଲେ। ଏହି ଜିଲ୍ଲାରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ବେଳେ ଅନେକ ବରିଷ୍ଠ ନେତା ମଧ୍ୟ ଏହି ଜିଲ୍ଲାରେ ଅଛନ୍ତି। ଏଣୁ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଶାହା କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟ୍ଟା ଗ୍ରାମରେ ଘର ଘର ବୁଲି କ୍ୟାମ୍ପେନ୍‍ କରିଥିଲେ। ଏହି ଗ୍ରାମର ୫ ପରିବାରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶାହା ବ୍ରହ୍ମପୁରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଯାଜପୁର ଅଭିମୁଖେ ଗସ୍ତ କରିଥିଲେ। କାରଣ ଗଞ୍ଜାମ ପରେ ଯାଜପୁର ଜିଲ୍ଲା ହେଉଛି ବିଜେଡ଼ିର ଆଉ ଏକ ଶକ୍ତିଶାଳୀ ଦୁର୍ଗ। ଏହି ଜିଲ୍ଲାକୁ ବିଜେଡ଼ି ଦୀର୍ଘ ଦଶନ୍ଧି ଧରି ହାତମୁଠାରେ ରଖିଛି। ଏଣୁ ଶାହା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ଡୋର-ଟୁ-ଡୋର କ୍ୟାମ୍ପେନ୍‍ ଆରମ୍ଭ କରିଥିଲେ।

ସେହିପରି ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ସଭାପତି, ଉପସଭାପତିଙ୍କ ସହ ଆଲୋଚନା କରିଥିଲେ। ଗତ ମାସକ ତଳେ ଶାହା ୩ଟି ଜିଲାରେ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପୁଣି ସେପ୍ଟେମ୍ବରରେ ଆସିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି। ଓଡ଼ିଶାର କ୍ଷମତା ଗାଦିକୁ ଅକ୍ତିଆର କରିବା ପାଇଁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି।

ଗତ ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲ୍ଲାପରିଷଦ ଆସନରୁ ୨୯୭ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୭ ଲକ୍ଷ ଭୋଟ ପାଇଥିବା ବେଳେ ବିଧାନସଭା ନିର୍ବାଚନରେ ୪୬ ଲକ୍ଷ ଭୋଟ ପାଇଥିଲା। ୨୦୦୯ ତୁଳନାରେ ଏହି ଭୋଟହାର ଅଧିକ ରହିଥିଲା। ଏହାସହ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗତ ୨୦୧୪ ନିର୍ବାଚନ ତୁଳନାରେ ବିଜେପି ଆଶାତୀତ ସଫଳତା ପାଇଥିବାରୁ ବିଜେପି ନେତା ଓ କର୍ମୀ ଉତ୍ସାହିତ ହୋଇଯାଇଛନ୍ତି।

(ପ୍ରସ୍ତୁତି: ସରୋଜ)

LEAVE A REPLY

Please enter your comment!
Please enter your name here