ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ପିଆଜ କାଟିଲେ ଆଖି ପୋଡ଼େ। କିନ୍ତୁ ଏବେ ପିଆଜକୁ ଦୂରରୁ ଦେଖିଲେ ଲୋକଙ୍କ ଆଖି ପୋଡୁଛି!

ପିଆଜ ଦର ପ୍ରତିଦିନ ଆକାଶଛୁଆଁ ହେଉଛି। ଏବେ ଏହାର କିଲୋଗ୍ରାମ୍‌ ପ୍ରତି ୩୦ ଟଙ୍କା ଛୁଇଁଲାଣି।

ପିଆଜ ମାମଲାରେ ସରକାର ବଡ଼ ଅସହାୟ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଆମ ରାଜ୍ୟରେ ଯେତିକି ପରିମାଣର ପିଆଜ ଦରକାର ପଡ଼େ ଓଡ଼ିଶାରେ ତା’ର ଚାରିଭାଗରୁ ଭାଗେ ଅମଳ ହୁଏ। ରାଜ୍ୟରେ ଯେଉଁ ପିଆଜ ମହଜୁଦ ଥିଲା ତାହା ଶେଷ ହୋଇଯାଇଛି। ଫଳରେ ଏବେ ଆମକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି।

ଏକଥା ସତ ଯେ ଏବେ ଦେଶରେ ପିଆଜ ମଡ଼କ ପଡ଼ିଛି। ଗତ ଋତୁରେ ମୁଖ୍ୟ ପିଆଜ ଅମଳକାରୀ ରାଜ୍ୟଗୁଡ଼ିକରେ ଫସଲହାନି ଘଟିଥିବାରୁ ଏହି ଅଭାବ ଦେଖାଦେଇଛି। ଅଧିକାଂଶ ରାଜ୍ୟ ଏବେ ମହାରାଷ୍ଟ୍ର ଉପରେ ନିର୍ଭର କରୁଛନ୍ତି।

ନିକଟରେ ରାଜ୍ୟ ସରକାର ଦମ୍ଭର ସହ ଘୋଷଣା କରିଥିଲେ ଯେ କେତେକ ନିର୍ବାଚିତ ଆଉଟଲେଟରେ କିଲୋପିଛା ୧୭ଟଙ୍କା ଦରରେ ଲୋକଙ୍କୁ ପିଆଜ ଯୋଗାଇ ଦିଆଯିବ। ସେହିପରି କେହି ବେଆଇନ ଭାବେ ପିଆଜ ମହଜୁଦ କରି ରଖୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ ବ୍ୟବସାୟୀମାନେ ଯେଉଁ ଦରରେ ପିଆଜ କିଣୁଛନ୍ତି ତା’ ଉପରେ ଗୋଟିଏ ଟଙ୍କାର ଲାଭ ରଖି ଲୋକଙ୍କୁ ପିଆଜ ଯୋଗାଇ ଦେବେ ବୋଲି ଯୋଗାଣ ବିଭାଗ ଦୃଢ଼ୋକ୍ତି ପ୍ରକାଶ କରିଥିଲା। ତେବେ ସରକାରଙ୍କ ଏହି ନାଲିଆଖି କାହା ଉପରେ କିଛି ପ୍ରଭାବ ପକାଇବା  ଭଳି ମନେ ହେଉନାହିଁ। ଫଳରେ ଏହି ମାମଲାରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବା ସରକାର ଏବେ ପରିସ୍ଥିତିକୁ ଦାୟୀ କରୁଛନ୍ତି।

ଅନ୍ୟପକ୍ଷରେ ପିଆଜ ଦର ହୁ ହୁ ହୋଇ ବଢ଼ିବା ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ପିଆଜ ଆସୁଥିବା ମୂଳସ୍ଥାନରୁ ଏହି ଦର ବଢ଼ୁଥିବାରୁ ଏହା ଉପରେ କୌଣସି ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ମହାସଂଘ ସଫେଇ ଦେଇଛି। ଆଗାମୀ ନଭେମ୍ବର ମାସରେ ନୂଆ ଫସଲ ଆସିବା ପର୍ଯ୍ୟନ୍ତ ଏହି ସମସ୍ୟା ଜାରି ରହିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ଓଡ଼ିଶାରେ ଆଳୁ ଓ ପିଆଜ ଆଦିର ଦର ଉପରେ ନିୟନ୍ତ୍ରଣ ନ ରହିବାର ଅନ୍ୟତମ କାରଣ ହେଉଛି ଶୀତଳ ଭଣ୍ଡାରର ଅଭାବ। ଠିକଣା ସମୟରେ ସାମଗ୍ରୀ ଶୀତଳ ଭଣ୍ଡାରରେ ମହଜୁଦ କରି ରଖାଯାଇ ପାରୁନଥିବାରୁ ଗୋଟିଏ ପଟେ ଚାଷୀମାନେ ଅଭାବୀ ବିକ୍ରି ସମସ୍ୟା ଭୋଗୁଥିବା ବେଳେ ଅନ୍ୟପଟେ ଗ୍ରାହକମାନେ ମହଙ୍ଗା ମାଡ଼ ଖାଉଛନ୍ତି।

Tags: Cold Storage, Odisha Govt, Onion, Onion Price, State Government

Comment