ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରିକାନ୍ଥ ଡେଇଁ ମହିଳା ବିଶ୍ୱ ଦରବାରରେ ନାଁ କମାଇଛନ୍ତି। ପୁରୁଷପ୍ରାଧାନ୍ୟ ସମାଜରେ ମହିଳା ବି ପୁରୁଷଙ୍କ ଭଳି କାର୍ଯ୍ୟ କରିବାର ମହାରଥ ହାସଲ କରିଛନ୍ତି। ପାହାଡ ଚଢ଼ିବାଠୁ ଆରମ୍ଭ କରି ଦଉଡିରେ ନଈ ପାର ହେବା ଏବଂ ମଟର ସାଇକେଲ ରେସିଂରେ ଭାଗ ନେଇ ମହିଳାମାନେ ସାହସୀକତାର ପରିଚୟ ଦେଇଛନ୍ତି। ବିଶ୍ୱର ଏମିତି କିଛି ବଛାବଛା ସାହସୀ ମହିଳାଙ୍କୁ ନେଇ ବିଶେଷ ଉପସ୍ଥାପନା।

କେବଳ ପୁରୁଷ ସାହାସୀ ନୁହନ୍ତି। ମହିଳାଙ୍କ ମନ ଭିତରେ ମଧ୍ୟ ସାହସ ଭରପୁର ମାତ୍ରାରେ ରହିଛି। ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ନରହି ସାହସୀକତାର ପରିଚୟ ଦେଇଛନ୍ତି। ଏହି ସାହାସୀ ମହିଳା ତାଲିକାରେ ଯେଉଁମାନଙ୍କ ନାମ ଆଗ ଧାଡିରେ ରହିଛି ସେମାନେ ହେଲେ ଆମେରିକାର ଏଡସନ୍‍ ଟେଲର, ଇଟାଲିର ମାରିଆ ସ୍ପେଲ୍ଟରିନ୍‍, ଦେବୀ ଲୟଲରଏକା, ମାବେଲ ଷ୍ଟାର୍କ, ରୋଜା ମାଟିଲଦା, ହେଲେନ୍‍ ଗିବସନ୍‍ଙ୍କ ଭଳି ମହିଳା। ଏମାନେ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ସମଗ୍ର ମହିଳାଜାତି ଗର୍ବ କରନ୍ତି।  ମନ ଭିତରେ ସାହସ ଥିଲେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରେ ବୋଲି ଏହି ମହିଳାମାନେ ଅନ୍ୟମାନଙ୍କୁ ବୁଝାଇ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ମହିଳାମାନଙ୍କ ଅନନ୍ୟ ପ୍ରତିଭା ସମ୍ପର୍କରେ :

ଏଡସନ୍‍ ଟେଲର: ଏହି ମହିଳାଜଣକ ହେଉଛନ୍ତି ଆମେରିକାର ମୂଳ ବାସିନ୍ଦା। ସେ ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ନୃତ୍ୟଶିଳ୍ପୀ ଭାବେ ସମସ୍ତଙ୍କ ପାଖରେ ଜଣାଶୁଣା। ପିଲାଙ୍କୁ ଶିକ୍ଷାଦାନ ଏବଂ ମଞ୍ଚ ଉପରେ ନୃତ୍ୟ କରିବା ଛଡ଼ା ସେ ଏମିତି ଏକ କାର୍ଯ୍ୟ କରିଛନ୍ତି ଯାହା ଆଜି ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଏଡସନ୍‍ ଆମେରିକାର ଉଚ୍ଚତମ ଜଳପ୍ରପାତ ନାଏଗ୍ରା ଫଲସକୁ ଅତିକ୍ରମ କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସର୍ବୋଚ୍ଚ ଜଳପ୍ରପାତକୁ ଚଢ଼ିବାରେ ଏଡସନ୍‍ ହେଉଛନ୍ତି ପ୍ରଥମ ମହିଳା। ୧୯୦୧ ମସିହା ଅକ୍ଟୋବର ୨୪ ତାରିଖରେ ତାଙ୍କ ୬୩ତମ ଜନ୍ମ ଦିବସରେ ଏହି ସାହସୀକତାର ପରିଚୟ ଦେଇଥିଲେ ଏଡସନ୍‍। ସେ ୧୯୨୧ ମସିହାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ମଧ୍ୟ ତାଙ୍କ ସାହସକୁ ଆଜି ପର୍ଯ୍ୟନ୍ତ ଲୋକେ ଝୁରି ହେଉଛନ୍ତି। ଯେତେବେଳେ ଲୋକେ ନିଳଗରା ଜଳପ୍ରପାତ କଥା ଆଲୋଚନା କରନ୍ତି ସେତେବେଳେ ଏଡସନଙ୍କ କଥା ହିଁ ଉଠିଥାଏ। ଯେଉଁ ପର୍ଯ୍ୟଟକ ଏହି ଅଞ୍ଚଳକୁ ବୁଲି ଆସନ୍ତି ଏଡସନଙ୍କ କଥା ହିଁ ମନେ ପକାନ୍ତି।

ମାରିଆ ସ୍ପେଲ୍ଟରିନ୍‍: ଏକ ମଜବୁତ ଦଉଡି ସହାୟତାରେ ନାଏଗ୍ରା ନଦୀକୁ ଯିଏ ପାର ହୋଇଥିଲେ ସେ ହେଉଛନ୍ତି ଇଟାଲିର ମାରିଆ ସ୍ପେଲ୍ଟରିନ୍‍। ମାରିଆ ହେଉଛନ୍ତି ପ୍ରଥମ ମହିଳା ଯିଏ ସାହସର ସହିତ ଏକ ଲମ୍ବା ନଦୀକୁ ଦଉଡି ମାଧ୍ୟମରେ ପାର ହୋଇଥିଲେ। ୧୮୭୬ ମସିହାରେ ମାରିଆ ସାହସିକତାର ପରିଚୟ ପ୍ରଦର୍ଶନ କରିଥିଲେ ମଧ୍ୟ ତାହା ଆଜି ସମସ୍ତଙ୍କ ପାଖରେ ଉଜ୍ଜୀବିତ ହୋଇ ରହିଛି। ନାଏଗ୍ରା ନଦୀକୁ ଦେଖିବା ମାତ୍ରେ ଦର୍ଶକଙ୍କ ଆଖିରେ ଏହି ସାହସୀ ଲେଡିଙ୍କ କଥା ମନେ ପଡିଯାଇଥାଏ। ଲମ୍ବା ଦଉଡିରେ ପାଦରେ ଚାଲିଚାଲି ଯିବାକୁ ଅଧିକାଂଶ ଲୋକ ଭୟ କରୁଥିବା ବେଳେ ମାରିଆ ଏହା କରି ଦେଖାଇ ଥିବାରୁ ସମସ୍ତଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। ଆଉ ଥରେ ସେ ଆଖି ବନ୍ଦ କରି ପାଦରେ ବ୍ୟାରେଲ୍‍ ପିନ୍ଧି ନଦୀ ପାର ହୋଇଥିଲେ।

ଦେବୀ ଲୟଲର ଏକା: ୧୯୭୦ ମସିହା କଥା। ମୁଣ୍ଡରେ ଧଳା ଏବଂ ନୀଳ ରଙ୍ଗ ମିଶ୍ରିତ ହେଲମେଟ୍‍। ଦେହରେ କମଳା ରଙ୍ଗର ବସ୍ତ୍ର ପିନ୍ଧି ଇନଡୋର ଷ୍ଟାଡିୟମରେ ମଟର ସାଇକେଲ ଜମ୍ପର ଭାବେ ହଲଚଲ୍‌ ସୃଷ୍ଟି କରିଥିଲେ। ଏଭଳି ଦୁଃସାହସିକପୂର୍ଣ୍ଣ କ୍ରୀଡ଼ା ପ୍ରଦର୍ଶନରେ ଦେବୀ ଲୟଲର ଏକା ହେଉଛନ୍ତି ପ୍ରଥମ ମହିଳା। ଏହି ମହିଳା ୧୯୭୪ ମସିହାରେ ଇଭିଲ ନେଭିଲସଙ୍କ ରେକର୍ଡ ଭାଙ୍ଗିଥିଲେ। ଏହି ସହାସିକତା ପୂର୍ଣ୍ଣ କ୍ରୀଡ଼ା ପାଇଁ ତାଙ୍କୁ ଫ୍ଲାଇଙ୍ଗ ଆଙ୍ଗେଲ ବା କୁଇନ୍‍ ଅଫ ଦି ମଟର ସାଇକେଲ ଜମ୍ପରର ଆଖ୍ୟା ପାଇଥିଲେ। ପାଖାପାଖି ୮୦ ଦଶକ ପର୍ଯ୍ୟନ୍ତ ମଟର ସାଇକେଲ ଉପରେ ସାହସିକତା ଦେଖାଇ ଦର୍ଶକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ଏହି ମହିଳାଜଣକ ଏବେ ଏକବିଂଶ ଶତାବ୍ଦୀରେ ସମସ୍ତଙ୍କ ପାଇଁ ଅଭୁଲା ହୋଇରହିଛନ୍ତି। ମଟର ସାଇକେଲ ଜମ୍ପିଂ ଖେଳ ଦେଖିବା ବେଳେ ସମସ୍ତେ ଦେବୀ ଲୟଲରଙ୍କ କଥା ମନେ ପକାଇବାକୁ ଭୁଲନ୍ତି ନାହିଁ।

ମାବେଲ ଷ୍ଟାର୍କ: ବାଘମାନଙ୍କୁ ତାଲିମ୍‍ ଦେବା ଏବଂ ସେମାନଙ୍କ ସୁଖ ଦୁଖରେ ନିଜକୁ ସାମିଲ କରିବାରେ ମାବେଲ ଷ୍ଟାର୍କଙ୍କ ଅବଦାନ ଅତୁଳନୀୟ। ସାଧାରଣ ଲୋକ ଏହି ହିଂସ୍ର ପ୍ରାଣୀ ପାଖକୁ ଯିବାକୁ ଭୟ କରୁଥିବାବେଳେ ମାବେଲ ଷ୍ଟାର୍କ କିନ୍ତୁ ଏମାନଙ୍କ ସହ ବନ୍ଧୁ ବାନ୍ଧି ଦେଇଥିଲେ। ୧୯୨୦ ମସିହା ବେଳେକୁ ସେ ୨୦ଟି ବାଘଙ୍କୁ ତାଲିମ ଦେଇସାରିଥିଲେ। ବାଘମାନଙ୍କୁ ତାଲିମ ଦେବା ଏବଂ ସେମାନଙ୍କ ଗହଣରେ ଦିନ କାଟିବାରେ ମାବେଲ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା। ପିଲାଟି ଦିନରୁ ମା’ ଏବଂ ବାପା ସ୍ନେହରୁ ବଞ୍ଚିତ ହୋଇଥିବା ମାବେଲ ଦିନେ ବିଶ୍ୱର ଆଗଧାଡ଼ିର ମହିଳାଙ୍କ ଭିତରେ ପରିଗଣିତ ହେବେ ତାହା କେହି ଚିନ୍ତା ବି କରିନଥିଲେ। କିନ୍ତୁ ତାଙ୍କ ଭାଗ୍ୟ ଏବଂ ପଶୁମାନଙ୍କ ପ୍ରତି ଭଲପାଇବା ଗୁଣ ହିଁ ତାଙ୍କୁ ସଫଳତାର ସ୍ୱାଦ ଦେଇଥିଲା। ଏହି ସାହସୀ ମହିଳା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଅଭୁଲା ସ୍ମୃତି ହୋଇ ରହିଛନ୍ତି।

ଜୋଲେନ୍‍ ଭାନ୍‌ ଭୁଗ୍‌ତ: ବାଇକ ଉପରେ ଷ୍ଟଣ୍ଟ ସୋ ଦେଖାଇରେ ଯେଉଁ କିଛି ମହିଳା ଆଗଧାଡ଼ିରେ ଅଛନ୍ତି ସେମାନଙ୍କ ମଧ୍ୟରେ ଜୋଲେନ୍‍ ଭାଗ ଭୋଗତ ହେଉଛନ୍ତି ଅନ୍ୟତମ। ଷ୍ଟଣ୍ଟ ସୋ ପ୍ରଦର୍ଶନ କରିବାରେ ସେ ହେଉଛନ୍ତି ପାରଙ୍ଗମ। ଏଭଳି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ଜୋଲେନ୍‍ କାନାଡିଆନ୍‌ ମୋଟରକ୍ରସର ନ୍ୟାସନାଲ ଚାମ୍ପିଅନ୍‍ ହୋଇଥିଲେ। ଭିନ୍ନଭିନ୍ନ ଷ୍ଟଣ୍ଟ ସୋ ଦେଖାଇବାରେ ସେ ସମର୍ଥ ହୋଇଥିବାରୁ ବିଶ୍ୱ ଗିନିଜ୍‍ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲେ। ଜଣେ ମହିଳା ହୋଇ ଏଭଳି ସାହସିକତା ଦେଖାଉଥିବାରୁ ଜୋଲେନ୍‍ଙ୍କ ପରି ହେବାକୁ ସମସ୍ତଙ୍କର ଇଚ୍ଛା ରହିଛି। ୧୯୮୦ ମସିହାରେ ଜନ୍ମିତ ଏହି ୟଙ୍ଗ ଲେଡି ସମଗ୍ର ବିଶ୍ୱ ଆକଶରେ ଧ୍ରୁବ ତାରା ପାଲଟିଛନ୍ତି। ମନ ଭିତରେ ସାହସ ଏବଂ ଆଗ୍ରହ ଥିବାରୁ ସେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି। ବୟସ କମ୍‌ ଏବଂ ଅନନ୍ୟ ରେକର୍ଡର ସେ ଅଧିକାରିଣୀ ହୋଇ‍ପାରିଥିବାରୁ ତାଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ କୋ-ଷ୍ଟାର କରାଯାଉଛି।

ରୋଜା ମାଟିଲଦାର ରିଚତାର: ଯୁଦ୍ଧ ସମୟରେ ବ୍ୟବହାର ହେଉଥିବା ତୋପ ପାଖକୁ ଯିବାକୁ ମଣିଷ ପ୍ରାଣରେ ପ୍ରାଣେ ଭୟ ଥାଏ। ତୋପରୁ ଗୋଳବାରୁଦ ବାହାରେ ବୋଲି ସମସ୍ତଙ୍କର ଧାରଣା ରହିଛି। ହେଲେ ଏମିତି ଏକ କ୍ରୀଡ଼ା ବାହାରିଛି ଯେଉଁ ତୋପରୁ ମଣିଷ ମାହାରୁଛନ୍ତି। ଏହା ଦୁଃସାହସିକ କ୍ରୀଡ଼ା ହୋଇଥିଲେ ମଧ୍ୟ ରୋଜା ମାଟିଲଦାର ରିଚତାର ଓରଫ ଜାଜେଲଙ୍କ ପାଇଁ ଏହା ବାମ ହାତର ଖେଳ। ଏହାକୁ ହ୍ୟୁମାନ୍‍ କ୍ୟାନନ ବଲ୍‌ କୁହାଯାଉଛି। ଜେଜେଲ ଜଣେ ମହିଳା ହୋଇ ମଧ୍ୟ ଏହି ଦୁଃସାହସିକ କ୍ରୀଡ଼ାକୁ କେବେ ଭୟ କରି ନାହାନ୍ତି। ଲଣ୍ଡନର ରୟାଲ ଆକ୍ୱାରମରେ ୧୮୭୭ ମସିହା ଏପ୍ରିଲ ୧୦ ତାରିଖରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା। ସେତେବେଳେ ଜାଜେଲଙ୍କ ୧୪ ବର୍ଷ ବୟସ ହୋଇଥିଲେ ମଧ୍ୟ ଏହି କ୍ରୀଡ଼ାକୁ ସେ ଆପଣେଇ ନେଇଥିଲେ। ଧୂଆଁରେ ପରିପୂର୍ଣ୍ଣ ତୋପ ମଧ୍ୟରୁ ୬.୧ ମିଟର ଡେଇଁ ସେ ଅନନ୍ୟ ରେକର୍ଡର ଅଧିକାରୀ ହୋଇଥିଲେ। ଜଣେ ଝିଅ ମନରେ ଏଭଳି ସାହସ ଦେଖି ସେତେବେଳେ ସମସ୍ତେ ବାଃବାଃ କରିଥିଲେ। ସୁରକ୍ଷା ଅଭାବରୁ ୩୦ ଜଣ ହ୍ୟୁମାନ୍‍ କ୍ୟାନନ ବଲ୍‍ ପ୍ରାଣ ହରାଇ ସାରିଛନ୍ତି।

ହେଲେନ୍‍ ଗିବସନ୍‍: ରିୟଲ ଲାଇଫ୍‍ ଅପେକ୍ଷା ରିଲ୍‌‍ରେ ଅଧିକ ଷ୍ଟଣ୍ଟ ସିନ୍‍ ଦେଖିବାକୁ ମିଳିଥାଏ। ଏହି ଷ୍ଟଣ୍ଟ ସିନ୍‍ରେ ହିରୋମାନଙ୍କର ଚମତ୍କାରିତା ଦେଖିବାକୁ ମିଳିଥାଏ। ହେଲେ ଫିଲ୍ମରେ ଜଣେ ମହିଳା ଷ୍ଟଣ୍ଟ ସିନ୍‍ ଦେବା ଅନେକଙ୍କୁ ବିସ୍ମିତ କରିଛି। ହେଲେନ୍‍ ଗିବସନ ନାମକ ଜଣେ ଲେଡି ଏକାଧିକ ଫିଲ୍ମରେ ଷ୍ଟଣ୍ଟ ସିନ୍‍ ଦେଖାଇ ଦର୍ଶକଙ୍କୁ ବିମୋହିତ କରିଛନ୍ତି। ପ୍ରଥମେ ସେ ମଧ୍ୟ-ପଶ୍ଚିମ ଫିଲ୍ମ ଇଣ୍ଟଷ୍ଟ୍ରିରେ କାମ କରୁଥିବା ବେଳେ ଏବେ ପଶ୍ଚିମାଞ୍ଚଳରେ ଫିଲ୍ମ କରୁଛନ୍ତି। ପ୍ରଥମେ ସେ ଏ ଲିପ୍‍ ଫ୍ରମ ରୁଫ୍‌ରେ ଷ୍ଟଣ୍ଟ ସୋ ପ୍ରଦର୍ଶନ କରିଥିଲେ। ଏହି ଚଳଚ୍ଚିତ୍ରରେ ଏକ ଚଳନ୍ତା ଟ୍ରେନ ଉପରେ ସେ ଷ୍ଟଣ୍ଟ ସୋ ଦେଖାଇ ମାଇଲେଜ ପାଇଥିଲେ। ୫୦ ବର୍ଷ ଧରି ହଲିଉଡରେ ଷ୍ଟଣ୍ଟ ସୋ ଦେଖାଉଥିବା ହେଲେନ୍‍ ୧୯୬୨ରେ ଅବସର ଗ୍ରହଣ କରିଛନ୍ତି। ତଥାପି ତାଙ୍କୁ ସମସ୍ତେ ଝୁରୁଛନ୍ତି।

ସରାହ ମାପେଲି: ଏ ବି ହେଉଛନ୍ତି ଜଣେ ନୃତ୍ୟଶିଳ୍ପୀ। ସେ ମହୁମାଛିମାନଙ୍କ ଦ୍ୱାରା ଶରୀର ଆଚ୍ଛାଦ କରି ନୃତ୍ୟ କରଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ୟୁନିକ ଉପାୟରେ ଏହି କାର୍ଯ୍ୟ କରିବାକୁ ପସନ୍ଦ କରଥିବାରୁ ସମସ୍ତଙ୍କ ପ୍ରିୟଭାଜନ ହୋଇଛନ୍ତି।

(ପ୍ରସ୍ତୁତି: ସରୋଜ)

Tags: Sarah Mapeli, Jolene Van Vugt, Maria Spelterini, Edson Taylor, Helen Gibson, Rossa Matilda Richter, Mabel Stark, Debbie Lawler, Brave women, Saroj

Comment