ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ପୁରସ୍କାରବିଜେତା ଓଡ଼ିଆ ସିନେନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘କଡ୍‌ୱି ହୱା’ର ପୋଷ୍ଟର ନୂଆଦିଲ୍ଲୀଠାରେ ଉନ୍ମୋଚିତ ହୋଇଯାଇଛି।

ସମଗ୍ର ପୃଥିବୀ ଯେ ଜଳବାୟୁ ବଦଳିବାର ହାନିକାରକ ପରିଣତିର ଶିକାର ହେଉଛି, ଏ ସମ୍ପର୍କରେ ଏହି ସିନେମା ମାଧ୍ୟମରେ ଚେତେଇ ଦିଆଯାଇଛି। ନୂଆଦିଲ୍ଲୀଠାରେ ଏହାର ପୋଷ୍ଟର ଉନ୍ମୋଚନ କରିବା ସମୟରେ ୟୁନାଇଟେଡ୍ ନେସନର ଅଣ୍ଡର ସେକ୍ରେଟାରୀ ଏରିକ୍ ସୋଲହେମ୍ ଏହି ସିନେମାରେ ଦିଆଯାଇଥିବା ସନ୍ଦେଶର ଉଚ୍ଚ ପ୍ରଶଂସା କରିଥିଲେ।

ଦୃଶ୍ୟମ୍‌ ଫିଲ୍ମସ ନିବେଦିତ ଏହି ସିନେମାର ମିଳିତ ପ୍ରଯୋଜନା କରିଛନ୍ତି ମନିଶ ମୁନ୍ଦ୍ରା, ଅକ୍ଷୟ ପରିଜା ଓ ନୀଳମାଧବ ପଣ୍ଡା। ଏହି ସିନେମାରେ ଖ୍ୟାତାନାମା କଳାକାର ରଣବୀର ଶୋରେ ବ୍ୟାଙ୍କ୍‌ ଲୋନ୍ ରିକଭରି ପ୍ରତିନିଧିର ଭୂମିକାରେ ଅଭିନୟ କରିଥିବା ବେଳେ ସଞ୍ଜୟ ମିଶ୍ର ଜଣେ ଅନ୍ଧ କୃଷକର ଚରିତ୍ରରେ ଅଭିନୟ କରିଛନ୍ତି। ତିଳୋତ୍ତମା ସେନ୍ ଓ ଭୂପେଶ ସିଂହ ମଧ୍ୟ ଏହି ସିନେମାରେ ଅଭିନୟ କରିଛନ୍ତି।

“ପୃଥିବୀ ମାତାର ସୁରକ୍ଷା ସମ୍ବନ୍ଧରେ ମୋର ଚିନ୍ତାକୁ ନେଇ ଏହି ସିନେମା ନିର୍ମାଣ କରିଛି। ଏହା ମୋ କ୍ୟାରିୟରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସିନେମା। ମଣିଷ ସମାଜର ପୃଥିବୀର ସୁରକ୍ଷା ପାଇଁ ଥିବା କର୍ତ୍ତବ୍ୟକୁ ଏଡ଼ାଇ  ଦେଇହେବନାହିଁ। ଏହି ସିନେମା ଦେଖିବା ପରେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ବୋଲି ମୋର ଆଶା’’, କହିଛନ୍ତି ସିନେନିର୍ମାତା ନୀଳମାଧବ ପଣ୍ଡା।

ଭାରତ ଏକ କୃଷିପ୍ରଧାନ ଦେଶ ଏବଂ କୃଷକମାନେ ସେମାନଙ୍କ ଜୀବିକା ପାଇଁ ବର୍ଷା ଉପରେ ନିର୍ଭର କରିଥା’ନ୍ତି। ବର୍ଷା ଅଭାବରୁ ଫସଲ ନ ହେଲେ ସେମାନେ ବ୍ୟାଙ୍କରୁ ଋଣ ନିଅନ୍ତି ଏବଂ ଶୁଝି ନପାରିଲେ ଅନେକ ଜୀବନ ମଧ୍ୟ ହାରିଦିଅନ୍ତି। ସିନେମାର କାହାଣୀ ଏହାକୁ ଆଧାର କରି ଗତିଶୀଳ ହୋଇଛି। ଏହି ସିନେମାର ସୁଟିଂ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ କରାଯାଇଛି।

ନୀଳମାଧବ ପଣ୍ଡାଙ୍କ ‘ଆଇ ଆମ୍ କଲାମ୍‌’ ସିନେମା ୩୩ଟି ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି।

ପଣ୍ଡାଙ୍କ ସିନେମା ‘ବବ୍‌ଲୁ ହାପି ହୈ’, ‘କୌନ୍ କିତନେ ପାନି ମେ ହୈ’ ଏବଂ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟ୍ରି  ‘ଗଡ୍‌ସ ଓନ୍ ପିପଲ୍’ ଉଚ୍ଚ ପ୍ରଶଂସିତ ହେବା ସହିତ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ମଧ୍ୟ ହୋଇଛି।

Tags: Kadvi Hawa, I am Kalam, Gods own People, Manish Mundra, Nila Madhab Panda, Drishyam Films, Farmers, Erik Solheim, United Nations, Akshay Parija

Comment