ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର କିଛି ଜିଲ୍ଲାରେ ହାତପାଆନ୍ତାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆବଶ୍ୟକ ସୁବିଧା ଥିବା ୧୧ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଗେଲ କାର୍ଯ୍ୟାଳୟ ପାହାଳଠାରେ ଏକ ଉତ୍ସବରେ ଶ୍ରୀ ପ୍ରଧାନ ଏହି ଭ୍ୟାନଗୁଡିକର ଲୋକାର୍ପଣ କରିଛନ୍ତି।

ପେଟ୍ରୋଲିୟମ ବିଭାଗର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗେଲ ଓ ଏଚପିସିଏଲ ଦ୍ୱାରା ୧୧ଟି ସ୍ୱାସ୍ଥ୍ୟସେବା ୟୁନିଟ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପାଇପଲାଇନ୍‌ ଯାଉଥିବା ଜିଲ୍ଲାମାନଙ୍କରେ ଲୋକମାନଙ୍କୁ ଘର ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ। ଏହି ଭ୍ରାମ୍ୟମାଣ ୟୁନିଟଗୁଡିକରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଔଷଧ ଓ ପାଥୋଲୋଜି ପରୀକ୍ଷାର ବ୍ୟବସ୍ଥା ରହିଛିା

ଜିପିଏସ ଦ୍ୱାରା ସଂଯୋଗ ହୋଇଥିବା କାରଣରୁ ଏହି ଗାଡ଼ିଗୁଡ଼ିକ କେଉଁ କେଉଁ ସ୍ଥାନକୁ ଯାଉଛି ଏହା ମୂଳ ସ୍ଥାନରେ ବସି ନଜର ରଖି ହେବ। ଗୋଟିଏ ଗାଡି ଦିନକୁ ୨୫ରୁ ୪୦ କିମି ଯାତ୍ରା କରି ଦୈନିକ ୯୦ରୁ ୧୦୦ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ।

ଜରୁରୀକାଳୀନ ଜୀବନରକ୍ଷାକାରୀ ସେବା ଯୋଗାଇବା ସହ ଆମ୍ବୁଲାନ୍ସ ଭାବେ ରୋଗୀକୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ସ୍ଥାନାନ୍ତରଣ କରିପାରିବ।

ଏହା ସହ ନିୟମିତ ହେଲ୍‌‍ଥ ଚେକ୍‌ ଅପ କ୍ୟାମ୍ପ, ମହିଳା ଓ ଝିଅମାନଙ୍କ ପାଇଁ ମାଗଣାରେ ସାନିଟାରି ନାପକିନ, ବିଶୁଦ୍ଧ ଜଳ ପାଇଁ ବ୍ୟବହାର ହେଉଥିବା ଟାବଲେଟ ଯୋଗାଇଦେବ। ଗେଲର ଏହି ସେବାର ନାମ ପ୍ରୋଜେକ୍ଟ ଆରୋଗ୍ୟ ଥିବା ବେଳେ ଏଚପିସିଏଲର ଏହି ସେବାର ନାମ ପ୍ରୋଜେକ୍ଟ ଧନ୍ୱନ୍ତରୀ ରଖାଯାଇଛି।

ଭାରତ ସରକାରଙ୍କର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ସେମାନଙ୍କର ସିଏସଆର କାର୍ଯ୍ୟକ୍ରମରେ ଗରିବ ଲୋକମାନଙ୍କୁ ସେବା ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ଭ୍ରାମ୍ୟମାଣ ମେଡିକାଲ ଭ୍ୟାନ ଲୋକମାନଙ୍କୁ ଲାଭ ଦେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Tags: Dharmendra Pradhan, PNG, HPCL, Health Care, Project Dhanwantari, Dhanwantari, Project Aarogya, GAIL, Petroleum and Natural Gas, Prime Minister, Mobile Health Van

Comment