ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ ଝିଅକୁ ବାପାମାଆ ଅଲୋଡ଼ା ଭାବି ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ, ସେ ଝିଅ ଆଜି ମାଦ୍ରିଦ୍ ୟୁନିଭର୍ସିଟିର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ। କୋଟିପତି ବାପା-ମାଆଙ୍କ ଅଲିଅଳ ଉତ୍ତରାଧିକାରୀ। ଝିଅଟିର ନାଁ ଦେବାର୍ପିତା ଲିଜୋ। କଟକ ବସୁନ୍ଧରା ଅନାଥାଶ୍ରମରୁ ସ୍ପେନର ମାଦ୍ରିଦ୍ ସହରକୁ ଦେବାର୍ପିତାଙ୍କ ଯାତ୍ରା ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ଓଡ଼ିଶାର ଅଲୋଡ଼ା ଝିଅ ଏବେ ସ୍ପେନର ସ୍ଥାୟୀ ବାସିନ୍ଦା। ପୂରା କାହାଣୀ କିଛି ଏହିଭଳି..

ଅଗଷ୍ଟ ୧୯ ତାରିଖ, ୧୯୯୬। କଟକ ସିଡିଏସ୍ଥିତ ବସୁନ୍ଧରା ଅନୁଷ୍ଠାନର ଗେଟ୍ ନିକଟରେ ଗୋଟିଏ କଅଁଳା ଶିଶୁର କୁଆଁକୁଆଁ କାନ୍ଦ ଶୁଭିଲା। ଅସହାୟ ଅବସ୍ଥାରେ ତାକୁ ପିଙ୍ଗିଦେଇ ଚାଲିଯାଇଥିଲେ ଜନ୍ମକଲା ବାପା-ମାଆ। ସେହି ଶିଶୁକୁ କୋଳେଇ ନେଇଥିଲେ ବସୁନ୍ଧରାର କର୍ମଚାରୀ।

କୌଣସି ଦେବତା ଶିଶୁକନ୍ୟା ଅର୍ପଣ କରିଥିବା ମନେକରି ନାଁ ରଖାଗଲା ଦେବାର୍ପିତା। ୫ ବର୍ଷ ଯାଏଁ ବସୁନ୍ଧରା କର୍ମଚାରୀଙ୍କ ଯତ୍ନରେ ବଢିଲେ ଦେବାର୍ପିତା। ପ୍ରଥମ ଶ୍ରେଣୀରେ ପାଠ ପଢିଲେ। ହେଲେ ୨୦୦୨ ମସିହାରେ ବଦଳିଗଲା ଦେବାର୍ପିତାଙ୍କ ଭାଗ୍ୟ।

ଦେବଦୂତ ଭଳି ବସୁନ୍ଧରା ପହଁଚିଲେ ନିଃସନ୍ତାନ ସ୍ପେନୀୟ ଦମ୍ପତି ମୋରିସ ଲିଜୋ ଓ ଆଲମାନୀ ଲିଜୋ। କେନ୍ଦ୍ର ସରକାରଙ୍କ ଅନୁମତି ନେଇ ଦେବାର୍ପିତାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାକୁ ସୁଦୂର ସ୍ପେନରୁ ଆସିଥିଲେ ଏହି ଦମ୍ପତି। କାରା (ସେଣ୍ଟ୍ରାଲ ଆଡପସନ୍ ରିସୋର୍ସ ଅଥରିଟି) ପକ୍ଷରୁ ଦିଆଯାଇଥିବା ଶିଶୁଙ୍କ ତାଲିକାରୁ ଦେବାର୍ପିତାକୁ ପସନ୍ଦ କରିଥିଲେ ଲିଜୋ ଦମ୍ପତି।

ଆଇନଗତ ଅନୁମତି ପାଇବା ପରେ ତାଙ୍କୁ ସାଙ୍ଗରେ ନେଇ ସ୍ପେନ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାରି ଭିତରେ ବିତିଯାଇଛି ୧୬ ବର୍ଷ। ଦେବାର୍ପିତାଙ୍କ ବର୍ତ୍ତମାନର ବାପା, ସ୍ପେନ ଏୟାରପୋର୍ଟର ଜଣେ ପଦସ୍ଥ ଅଧିକାରୀ। ମାଆ ଜଣେ ନର୍ସ। ମାଦ୍ରିଦ ସହରରେ ରହିଛି ତାଙ୍କର ଅଚଳାଚଳ ସମ୍ପତି।

ଗତ ଅଗଷ୍ଟ ୧୯ ତାରିଖ ତାଙ୍କର ଜନ୍ମଦିନ ପାଳନ କରିବାକୁ ସ୍ପେନୀୟ ବାପା ମାଆଙ୍କ ସହ ବସୁନ୍ଧରାକୁ ଆସିଥିଲେ ଦେବାର୍ପିତା। ଅଗଷ୍ଟ ୧୯ ତାରିଖ ଦିନ ବସୁନ୍ଧରା ସାମନାରୁ ମିଳିଥିବାରୁ ଏହି ଦିନ ସେ ଜନ୍ମଦିନ ପାଳିଥା’ନ୍ତି।

ବସୁନ୍ଧରାରେ ପହଞ୍ଚି ତାଙ୍କର ପିଲାଦିନର ସ୍ମୃତି ସାଉଁଟିଥିଲେ। ଯେଉଁ ଆୟା ତାଙ୍କୁ କୋଳେଇ କାଖେଇ ବଢାଇଥିଲେ, ସେ ତାଙ୍କୁ ଚିହ୍ନିପାରିଥିଲେ। ଯେଉଁ କୋଠରୀରେ ତାଙ୍କ ପିଲାଦିନ କଟିଥିଲା, କିଛି କିଛି ମନେ ପଡ଼ିଥିଲା ତାଙ୍କର।

ଆଜି ସେ ଓଡ଼ିଆ କହିପାରୁନାହାଁନ୍ତି ସତ, ହେଲେ ଜନ୍ମମାଟି ମୋହ ରହିଛି ତାଙ୍କ ମନ ଭିତରେ। ପୁରୀ, ଭୁବନେଶ୍ୱର, କୋଣାର୍କ ସମେତ ଦେଶର ବିଭିନ୍ନ ସ୍ଥାନ ବୁଲି ସେ ତାଙ୍କ ବାପାମାଆଙ୍କ ସହ ଫେରିଯିବେ ସ୍ପେନ୍।

ଯେଉଁ ଭାଗ୍ୟ ତାଙ୍କୁ ଦିନେ ଅଲୋଡ଼ା କରିଥିଲା, ସେହି ଭାଗ୍ୟ ତାଙ୍କୁ ନୂଆ ପରିଚୟ ଦେଇଛି। ଏବେ ସେ ତାଙ୍କ ନୂଆ ପରିଚୟରେ ବେଶ୍‌ ଖୁସି।

Tags: Adoption, Adoption from India, Basundhara, Cuttack, OdishaLIVE, Social Media, Debarpita, Debarpita Leezo

LEAVE A REPLY

Please enter your comment!
Please enter your name here