ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ମାସ ଶେଷ ବେଳକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି କିଏ ହେବେ ତାହା ସ୍ପଷ୍ଟ ହୋଇଯିବ। କେନ୍ଦ୍ରରୁ ଯେଉଁ ତିନିଜଣିଆ ପ୍ରତିନିଧି ଦଳ ଆସିଥିଲେ, ସେମାନେ ତାଙ୍କ ରିପୋର୍ଟ କଂଗ୍ରେସ ହାଇକମାଣ୍ଡକୁ ଦେଇସାରିଛନ୍ତି।

ଏ‍ଆଇସିସି ଟିମ୍‌ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ। ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରନେତା ଏଠାକାର ଦଳର ନେତାମାନଙ୍କୁ ଭେଟି ସେମାନଙ୍କଠାରୁ ମତ ନେଇଥିଲେ। ବର୍ତ୍ତମାନର ବିଧାୟକ,ଏକ ମାତ୍ର ସାଂସଦ ରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଓ ବରିଷ୍ଠ ନେତାଙ୍କଠାରୁ ସେମାନଙ୍କ ମତ ଜାଣିଥିଲେ। ଏହିସବୁ ମତ ଶୁଣିବା ପରେ ସେସବୁ କଥା ରିପୋର୍ଟରେ ସ୍ଥାନ ପାଇଛି।

ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ପିସିସି ସଭାପତି ଦୌଡ଼ରେ ଆଗୁଆ ଅଛନ୍ତି। ଏ ଦୁଇଜଣଙ୍କ ମଧ୍ୟରୁ ନିରଞ୍ଜନଙ୍କ ପ୍ରତି ସର୍ବାଧିକ ସମର୍ଥନ ମିଳିଛି। ଯଦିଓ କିଛି ଆଦିବାସୀ ବିଧାୟକ ନିଜ ମତ ପରିବର୍ତ୍ତନ କରିଛନ୍ତି, ଅଧିକାଂଶ ବିଧାୟକ ନିରଞ୍ଜନଙ୍କ ସପକ୍ଷରେ ମତ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଧାୟକ ଓ ନେତା ଚାହ।ନ୍ତି ଭକ୍ତ ଦାସ ପିସିସି ମୁଖ୍ୟ ହୁଅନ୍ତୁ। ନୂଆ ସଭାପତି ଚୟନ ବେଳେ ବର୍ତ୍ତମାନର ସଭାପତି ପ୍ରସାଦ ହରିଚନ୍ଦନଙ୍କ କଥା ବି ବିଚାରକୁ ନିଆଯାଇପାରେ, ଯଦିଓ ସେ ପୁଣି ଥରେ ପିସିସି ସଭାପତି ହେବା କାଠିକର ପାଠ।

ଯଦି ପ୍ରସାଦଙ୍କୁ ପୁଣି ଥରେ ସୁଯୋଗ ପ୍ରଦାନ କରାଯାଏ ଏହା ଦଳର କ୍ଷତିସାଧନ କରିବ, କହିଛନ୍ତି କିଛି ବରିଷ୍ଠ ନେତା। ଯଦି ନେତୃତ୍ୱ ପରିବର୍ତ୍ତନ କଥା ହାଇକମାଣ୍ଡ ବିଚାରକୁ ନ ନିଅନ୍ତି, ଆହୁରି ବହୁସଂଖ୍ୟକ ବିଧାୟକ ଦଳ ଛାଡ଼ିବା ନିଶ୍ଚିତ।

କଂଗ୍ରେସର ସ୍ଥିତି ଯାହା ଯେତେ ଶୀଘ୍ର ସମ୍ଭବ ନୂଆ ନେତାଙ୍କ ନାମ ଘୋଷଣା କରିବା ଦରକାର ବୋଲି ଜଣେ ବିଧାୟକ ଓଡିଶାଲାଇଭ୍‌କୁ କହିଛନ୍ତି। ଯେହେତୁ ଆସନ୍ତା ବର୍ଷ ଆରମ୍ଭରେ ପୌରନିର୍ବାଚନ ହେବ ଏବଂ ଆଗୁଆ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ମଧ୍ୟ ରହିଛି, ସେଥିପାଇଁ ପିସିସି ମୁଖ୍ୟ ନ ବଦଳିଲେ ଦଳ ଅଧିକ କ୍ଷତି ସହିବ ବୋଲି କହିଛନ୍ତି ଆଉ ଜଣେ ବରିଷ୍ଠ ନେତା।

Tags: Congress, Prasad Harischandan, PCC, Politics, Rahul Gandhi, Odisha Politics, Western Odisha, Bhakta Das, Niranjan Pattanaik, Bhakta Charan Das, AICC

LEAVE A REPLY

Please enter your comment!
Please enter your name here