ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ସୌନ୍ଦର୍ଯ୍ୟଭରା ଉଚ୍ଚ ପାହାଡ଼ର ବିଶେଷତ୍ୱକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

ପ୍ରକୃତିରାଣୀ ଆମ ପୃଥି୍ବୀପୃଷ୍ଠରେ ତା’ର ସୌନ୍ଦର୍ଯ୍ୟର ପସରା ମେଲି ଦେଇଛି। କେଉଁଠି ନଦୀନାଳ, ଝରଣାର ସୁନ୍ଦର ପରିବେଶ ରହିଛି ତ ଆଉ କେଉଁଠି ଉଚ୍ଚାଉଚ୍ଚା ପାହାଡ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି। ଏହି ପ୍ରକୃତି ସୌନ୍ଦର୍ଯ୍ୟଭରା ପରିବେଶରେ କିଛି ମୁହୁର୍ତ୍ତ କଟାଇବା ପାଇଁ ଦେଶ ବିଦେଶର ଲୋକଙ୍କ ଧାଡ଼ି ଲମ୍ବୁଛି। ନଦୀ, ନାଳ ଓ ଝରଣାକୁ ସିନା ହାତପାହାନ୍ତାରେ ଉପଭୋଗ କରିହେବ। ହେଲେ ଉଚ୍ଚ ପାହାଡ଼ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଶୀର୍ଷଭାଗକୁ ଯିବାକୁ ପଡିଥାଏ। ପାହାଡ଼ର ପାଦଦେଶରେ ଛିଡ଼ା ହେଲେ କେବଳ ପାହାଡ଼ର ଉପରଭାଗକୁ ହିଁ ଚାହିଁହେବ। କିନ୍ତୁ ଥରେ ଉପରକୁ ଚଢ଼ିଗଲେ ସାରା ଦୁନିଆ ନିକଟତର ଲାଗିବ। ଏମିତି କିଛି ସୌନ୍ଦର୍ଯ୍ୟଭରା ଉଚ୍ଚ ପାହାଡ଼ର ବିଶେଷତ୍ୱକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା:

ମାଉଣ୍ଟ ଏଭେରେଷ୍ଟ: ମାଉଣ୍ଟ ଏଭେରଷ୍ଟ ହେଉଛି ବିଶ୍ୱର ସର୍ବୋଚ୍ଚ ପାହାଡ଼। ଏହା ହିମାଳୟର ମହାଲଗୁରରେ ଅବସ୍ଥିତ। ସମୁଦ୍ରପତ୍ତନଠାରୁ ଏହାର ଉଚ୍ଚତା ହେଉଛି ୮ ହଜାର ୮୪୮ ମିଟର।  ୧୯୫୩ ମସିହା ମେ ୨୯ ତାରିଖରେ ନେପାଳର ଟେନଜିଙ୍ଗ ନରଗେ ଏବଂ ନ୍ୟୁଜଲାଣ୍ଡର ଏଡମଣ୍ଡ ହିଲାରୀ ଚଢ଼ିବାରେ ସଫଳ ହୋଇଥିଲେ। ଏହାପରେ ହଜାର ହଜାର ଲୋକ ଏହି ପାହାଡକୁ ଚଢ଼ି ମଜା ଉଠାଇ ସାରିଛନ୍ତି। ପାହାଡ଼ ଶିଖରରେ ପହଞ୍ଚିବା ପାଇଁ ଦକ୍ଷିଣ ଭାଗ ହେଉଛି ସହଜ ବାଟ। ଏହି ବାଟ ଦେଇ ସମସ୍ତ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ମାଉଣ୍ଟ ଏଭରେଷ୍ଟ ନେପାଳରେ ସାଗରମଥା ନାମରେ ପରିଚିତ ହୋଇଥିବା ବେଳେ ତିବ୍ଦତରେ କୋମଲୁଙ୍ଗା ନାମରେ ଜଣାଶୁଣା।

ଦାମାଭନ୍ଦ: ସମୁଦ୍ରପତ୍ତନଠାରୁ ୫ ହଜାର ୮୦୦ ମିଟର ଉଚ୍ଚରେ ଅବସ୍ଥିତ ଇରାନର ଦାମାଭନ୍ଦ ପାହାଡ। ଏହି ପାହାଡ଼କୁ ଯିଏ ଥରେ ଚଢ଼ିଛି, ଦ୍ୱିତୀୟ ଥର ଯିବା ପାଇଁ ପୁଣି ଇଚ୍ଛା କରିବ। କାରଣ ଏହି ପାହାଡ଼ ଉପରେ କିଛି ଦେଖିବା ଏବଂ ଉପଭୋଗ କରିବା ଭଳି ସ୍ଥାନ ଅଛି। ଏଠି ଏକ ବିସ୍ମୟ ଝରଣା ଅଛି, ଯେଉଁଥିରୁ ପ୍ରତିଦିନ ଗରମ ପାଣି ବାହାରୁଛି। ଆବୁ ଦୋଲାଫ କାଜରାଜି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଏହି ପାହାଡ଼ ଚଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ଏହି ବ୍ୟକ୍ତିଙ୍କୁ ଅନୁକରଣ କରି ବହୁ ଲୋକ ଦାମାବନ୍ଦ ପାହାଡ଼ ଶିଖରରେ ପହଞ୍ଚିଛନ୍ତି।

ଅନ୍ନପୂର୍ଣ୍ଣା: ଉତ୍ତର-କେନ୍ଦ୍ରାଞ୍ଚଳ ନେପାଳରେ ଅନ୍ନପୂର୍ଣ୍ଣା ପାହାଡ଼ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ପାହାଡ଼ଟି ହିମାଳୟର ଏକ ଅଂଶବିଶେଷ। ସମୁଦ୍ରପତ୍ତନଠାରୁ ୮ ହଜାର ୯୧ ମିଟର ଉଚ୍ଚାରେ ଅବସ୍ଥିତ ଏହି ପାହାଡ଼ରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ସକାଳୁ ସକାଳୁ ଜମିଥାଏ।  ପାହାଡ଼ର ୭ ହଜାର ୬୨୯ ସ୍କୋୟାର କିମି ଅଞ୍ଚଳ ସଂରକ୍ଷିତ ରଖାଯାଇଛି। ମୂଲ୍ୟବାନ ବୃକ୍ଷ ଥିବାରୁ ଏଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଠି ପ୍ରବଳ ତୁଷାରପାତ ହେଉଥିବାରୁ ଲୋକେ ପାହାଡ଼ ଚଢ଼ିବାରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥା’ନ୍ତି।

୨୦୧୪ ମସିହା ଅକ୍ଟୋବର ମାସରେ ତୁଷାରପାତ ହେବା ଯୋଗୁଁ ୩୯ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ବରଫଖଣ୍ଡ ପାହାଡ଼ରେ ଲାଖି ରହିଥିବାରୁ ଗୋଡ଼ ଖସିଯିବାର ସମ୍ଭାବନା ରହିଛି। ତେଣୁ ପର୍ବତାରୋହୀମାନେ ଅନ୍ନପୂର୍ଣ୍ଣା ପାହାଡ଼ ଚଢ଼ିବାକୁ ଭୟ କରନ୍ତି। ୧୯୭୦ ମସିହାରେ ଡନ୍‍ ହ୍ୱିଲାନ୍ସ ଏବଂ ଡୁଗଲ ହାସତନ ପ୍ରଥମେ ଏହି ପାହାଡ ଚଢ଼ିବାରେ ସଫଳ ହୋଇଥିଲେ। ୧୯୭୮ ମସିହାରେ ଅରଲେନ୍‍ ବ୍ଲୁମ୍‍ଙ୍କ ନେତୃତ୍ୱରେ ଏକ ଟିମ୍‍ ଅନ୍ନପୂର୍ଣ୍ଣା ଚଢ଼ିଥିଲେ। ୧୯୮୭ ମସିହା ଫେବୃଆରୀ ୩ ତାରିଖରେ ଜର୍ଜି କୋରକୁଜା ଓ ଅରତୁର ହାଜିର ପାହାଡ ଚଢ଼ିଥିଲେ।

ଡେନାଲି: ଉତ୍ତର ଆମେରିକାର ଉଚ୍ଚତମ ପାହାଡ଼ ହେଉଛି ଡେନାଲି। ଏହାର ଉଚ୍ଚତା ୬ ହଜାର ୨୦୦ ମିଟର। ଏହି ପାହାଡ଼ ଚଢ଼ିବା ବେଳେ ପଥଚାରୀ କିଛି କଷ୍ଟ ସହିବାକୁ ପଡ଼ିଥାଏ। ପାହାଡ଼ ଉପରକୁ ଉପରକୁ ଯେତେ ଉଠିବେ ଆପଣ ସେତିକି ପରିମାଣର ସୁନ୍ଦର ପରିବେଶ ଦେଖିବାକୁ ପାଇବେ। ହାରି କାରଷ୍ଟେନସ, ରବର୍ଟ ଟାଟମ, ୱାଲଟର ହରପର, ହଡସନ୍‍ ଷ୍ଟକ ପ୍ରଥମେ ଏହି ପର୍ବତ ଆରୋହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ମାଉଣ୍ଟ ଏଲ୍‌ବ୍ରସ: ଏହି ପାହାଡ଼ଟି ଋଷିଆର ପର୍ଯ୍ୟଟକଙ୍କୁ ବେଶ୍‍ ଆନନ୍ଦ ଦେଉଛି। ୟୁରୋପ ଏବଂ ଏସିଆ ମହାଦେଶ ମଧ୍ୟରେ ଟାୱାର ଭଳି ଦଣ୍ଡାୟମାନ ହୋଇଛି। ପାହାଡ଼ର ସ୍ଥାନେ ସ୍ଥାନେ ବଡ଼ବଡ଼ ପଥର ଖଣ୍ଡମାନ ଥିବାରୁ ଚଢ଼ିବାରେ ବେଳେବେଳେ କଷ୍ଟ ଅନୁଭବ ହୋଇଥାଏ। କିନ୍ତୁ ଆଡଭେଞ୍ଚର ପ୍ରିୟ ଲୋକଙ୍କ ପାଇଁ ଏହି ପାହାଡ ବେଶ୍‍ ଆରାମଦାୟକ।

ପର୍ବତାରୋହୀମାନେ ପାହାଡ଼ ଅତିକ୍ରମ କରି ଶିଖରରେ ପହଞ୍ଚିଗଲେ ୟୁରେସିଆ ଦେଶ ଦେଖିବାକୁ ପାଇବେ। ସମୁଦ୍ରପତ୍ତନଠାରୁ ୫ ହଜାର ୬୪୨ ମିଟର ଉଚ୍ଚତାରେ ଏହି ପାହାଡ଼ଟି ରହିଛି। ଖାଲି ସେତିକି ନୁହେଁ ଏହି ପାହାଡ଼କୁ କେହିକେହି ମିଙ୍ଗିଟ ଓ ଲାଲବୁଜି ବୋଲି କୁହନ୍ତି। ଉତ୍ତରରେ ଗ୍ରେଟରକସଠାରୁ ୨୦ କିମି ଓ ଦକ୍ଷିଣରେ ସିଲୋଭଡିସ୍କ ସହରଠାରୁ ୬୫ କିମି ଦୂର ଗଲେ ଏହି ପାହାଡ଼ଟି ଦେଖିବାକୁ ମିଳିବ। ୧୮୭୪ ମସିହାରେ ଫ୍ଲେରେନ୍ସ କ୍ରଫର୍ଡ ଗ୍ରୋଭ, ଫ୍ରେଡେରିକ ଗାର୍ଡେନର, ହୋରାକ ୱାକର, ପ୍ରଥମେ ଏହି ପର୍ବତ ଆରୋହରଣ କରିଥିବା ଜଣାପଡ଼ିଛି।

ଦି ମ୍ୟାଟର ହର୍ଣ୍ଣ: ସ୍ୱିଜରଲାଣ୍ଡ ଓ ଇଟାଲି ବର୍ଡରରେ ମ୍ୟାଟର ହର୍ଣ୍ଣ ପର୍ବତଟି ଦଣ୍ଡାୟମାନ। ସମୁଦ୍ରପତ୍ତନରୁ ୪ ହଜାର ୪୭୮ ମିଟର ଉଚ୍ଚରେ ଥିବା ଏହି ପର୍ବତର ଚାରିପଟେ ମୁହଁ ରହିଛି। ଏହି ପାହାଡଟି ଦେଖିବାକୁ ପିରାମିଡ୍‍ ଆକୃତିର। ପର୍ବତାରୋହୀମାନଙ୍କର ଏହି ପାହାଡ଼ଟି ପ୍ରଥମ ପସନ୍ଦ। ଜ୍ୟାମିତି ବାକ୍ସର କମ୍ପାସ ମୁନ ଭଳି ଏହି ପାହାଡ଼ର ଚାରିକଲ ତୀକ୍ଷ୍ଣ। ୧୮୬୫ ମସିହା ଜୁଲାଇ ୧୪ ତାରିଖରେ ଏଡୱାର୍ଡ ହ୍ୱିମ୍ପର, ଚାର୍ଲସ ହଡସନ୍‍, ଫ୍ରାନ୍ସି ଡୁଗଲ, ଡୁଗଲ ରୋବର୍ଟ ହାଡୋ, ମାଇକେଲ କ୍ରୋଜ ପିଟର ତଗୱାଲ୍‌‍ଡର ପାହାଡ଼ ଚଢ଼ିଥିଲେ।

ଏଣ୍ଡିଜ: ଦକ୍ଷିଣ ଆମେରିକାର ପଶ୍ଚିମଘାଟରେ ଏଣ୍ଡିଜ ପର୍ବତମାଳା ଅବସ୍ଥିତ। ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ପର୍ବତମାଳା। ଏଠାକାର ପରିବେଶ ଯେ କୌଣସି ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଦେବ। ଏହି ପାହାଡ ଚଢ଼ିବା ସମୟରେ ନଦୀଶଯ୍ୟା ଦେଖିବାକୁ ମିଳିବ। ନଦୀଶଯ୍ୟା ଏବଂ ପାହାଡ଼ର ସୁନ୍ଦର ପରିବେଶ ଏକ ଭିନ୍ନ ଅଲଗା ଦୁନିଆର ଭ୍ରମ ସୃଷ୍ଟି କରିବ। ପାଖାପାଖି ୭୦୦ କିମି ଲମ୍ବା  ଓ ୨୦୦ କିମି ଚଉଡ଼ା ପର୍ଯ୍ୟନ୍ତ ଏହି ପର୍ବତମାଳା ଲମ୍ବିଛି। ୭ଟି ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲା, କଲୋମ୍ବିଆ, ଇକ୍ୱେଡର, ପେରୁ, ବଲିଭିଆ, ଚିଲେ ଓ ଆର୍ଜେଣ୍ଟିନା ପ୍ରଭୃତି ଦେଶକୁ ଏହି ପର୍ବତାମାଳା ପରିବ୍ୟାପ୍ତ ହୋଇଛି। ସମୁଦ୍ରପତ୍ତନଠାରୁ ୬ ହଜାର ୯୬୨ ମିଟର ଉଚ୍ଚରେ ଏହା ଅବସ୍ଥିତ।

(ପ୍ରସ୍ତୁତି: ସରୋଜ)

Tags: Mountain, Mountain Ranges, Mt Everest, Damavand, Annapurna, Denali, Mt Elbrus, The Matterhorn, Andes, Saroj, Travel, Travelling, Tourism

 

Comment