ଓଡ଼ିଶାଲାଇଭ୍‌ ବ୍ୟୁରୋ

ପକ୍ଷୀ ହେଉଛି ମଣିଷର ବନ୍ଧୁ। ହେଲେ ଆଜିର ଏହି ଚାକଚକ୍ୟ ସମାଜରେ ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି। ଗୋଟିଏ ପଟେ ସମଗ୍ର ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ବିରଳ ପକ୍ଷୀମାନେ ବିଲୁପ୍ତ ହୋଇ ଯାଉଥିବାରୁ ପରିବେଶ ଉପରେ କୁପ୍ରଭାବ ପଡୁଛି।

ଘରଚଟିଆ: ଦେଖିବାକୁ ଅତି କ୍ଷୁଦ୍ର। ପରିବେଶ ଓ ମଣିଷ ସମାଜ ପାଇଁ ଉପକାରୀ ବନ୍ଧୁ ଭାବେ କାମ କରିଥାଏ ଘରଚଟିଆ ପକ୍ଷୀ। ଘରଚଟିଆ କିଚିମିଚିରି ଶବ୍ଦରେ ଚାଷୀ ଜାଣିପାରେ ସକାଳର ଆଗମନକୁ। ହେଲେ ଏହି ପକ୍ଷୀଟି କୁଆଡେ ଉଭାନ୍‍ ହୋଇଯାଇଛି। ଗତ ୧୫ ବର୍ଷ ତଳେ ପ୍ରତି ଘରେ ଥିବା ଧାନ ଅମାରରେ ଦେଖିବାକୁ ମିଳୁଥିବା ଘରଚଟିଆ ଆଉ ଏବେ ନାହାନ୍ତି କହିଲେ ଚଳେ। ୮ଟି ପକ୍ଷୀ ଅଭୟାରଣ୍ୟରେ ମଧ୍ୟ ଏମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଆନ୍ଧ୍ରପ୍ରଦେଶର ରୋଲାପାଡୁ ପକ୍ଷୀ ଅଭୟାରଣ୍ୟ, ସୋଲାପୁର, ରାଜସ୍ଥାନର ଡେଜର୍ଟ ନ୍ୟାସନାଲ ପାର୍କ, ମଧ୍ୟପ୍ରଦେଶର କରୋରେ ଓ ଗୁଜୁରାଟର କଛରେ ଏହି ସଂଖ୍ୟା ପ୍ରତି ବର୍ଷ ଅହେତୁକ ମାତ୍ରାରେ ହ୍ରାସ ପାଇ ଚାଲିଛି। ୨୦୧୨ ମସିହାରୁ ଘରଚଟିଆ ଦିଲ୍ଲୀର ରାଜ୍ୟ ପକ୍ଷୀ ଭାବେ ଗଣତି ହେଉଛି। ପ୍ରତି ବର୍ଷ ମାର୍ଚ୍ଚ ୨୦କୁ ଘରଚଟିଆ ଦିବସ ଭାବେ ପାଳନ କରାଯାଇ ସଚେତନ କରାଯାଉଛି।

ଶାଗୁଣା: ମଢ଼ ଦୁର୍ଗନ୍ଧ ନାକରେ ବାଜିବାମାତ୍ରେ କାହିଁ କେତେ ଦୂରରୁ ପଲପଲ ଶାଗୁଣା ଉଡ଼ି ଆସୁଥିଲେ। ହେଲେ ଏବେ ଏହା ଦେଖିବାକୁ ବିରଳ। ଶାଗୁଣା ବଂଶ ଲୋପ ପାଇଛି ବୋଲି କହିଲେ ଭୁଲ୍‍ ହେବ ନାହିଁ। ଶାଗୁଣା ରହିବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉ ନଥିଲା। କାରଣ ଶାଗୁଣା ପଚାସଢ଼ା ଜିନିଷକୁ ଖାଇ ଶେଷ କରିଦେଉଥିଲେ। ହେଲେ ଶାଗୁଣା ଏବେ ଦେଖିବାକୁ ସାତସପନ ହୋଇଥିବାରୁ ପଚାସଢ଼ା ଜିନିଷ ପରିବେଶକୁ ନଷ୍ଟ କରୁଛି। ଲୋକେ ମଧ୍ୟ ଦୁର୍ଗନ୍ଧରେ ସନ୍ତୁଳି ହେଉଛନ୍ତି। ବର୍ତ୍ତମାନ ୯୯.୯ ପ୍ରତିଶତ ଶାଗୁଣା ଲୋପ ପାଇଗଲେଣି। ୧୯୮୦ ମସିହାରେ ୪ କୋଟି ଶାଗୁଣା ରହିଥିଲେ। ହେଲେ ୨୦୦୭ରେ ଏହି ସଂଖ୍ୟା ୧ ଲକ୍ଷ ହୋଇଥିଲା। ଏହି ଦୀର୍ଘଜୀବୀ ପକ୍ଷୀଙ୍କୁ କିଛି ଚିଡ଼ିଆଖାନାରେ ଦେଖିବାକୁ ମିଳୁଛି। ହରିଆନାର ପିଞ୍ଜୋର, ପଶ୍ଚିମବଙ୍ଗର ବକ୍ସା, ଆସାମର ରାଣୀ, ମଧ୍ୟପ୍ରଦେଶର ଭୋପାଳରେ ଚିଡ଼ିଆଖାନାରେ ଏହି ବିଶାଳକାୟ ପ୍ରାଣୀକୁ ଦେଖିବାକୁ ମିଳୁଛି।

ଜେର୍ଡନସ କୋରସର: ଘରଚଟିଆ ଓ ଶାଗୁଣାଙ୍କ ପରି ଦଶା ଭୋଗୁଛନ୍ତି ଜେରଡନସ କୋରସର ପକ୍ଷୀ। ଏହି ପକ୍ଷୀ ହେଉଛନ୍ତି ବିଶ୍ୱର ଏକ ବିରଳ ପ୍ରଜାତିର। ଏହା ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି ନାହିଁ। ହେଲେ ପରିବର୍ତ୍ତିତ ସମାଜରେ ଏହି ବିରଳ ପକ୍ଷୀ ବି ବିରଳ ହୋଇଗଲାଣି। ଖାଦ୍ୟ ଅଭାବ ଯୋଗୁ ଏହି ପକ୍ଷୀମାନେ ଇତହାସ ବହିର ପୃଷ୍ଠା ମଣ୍ଡନ କରୁଛନ୍ତି। ବୁଦୁବୁଦିଆ ଜଙ୍ଗଲ ଏବଂ ଥଣ୍ଡା ଜଳବୟୁ ଅଞ୍ଚଳରେ ଏହି ପକ୍ଷୀମାନେ ବାସ କରନ୍ତି। ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସନ୍ତି। କିନ୍ତୁ ଏବେ ଏହି ବୁଦବୁଦିଆ ଜଙ୍ଗଲ ନଥିବାରୁ ଏମାନେ ଦେଖିବାକୁ ସାତସପନ। ବିଶେଷକରି ଗୋଆରେ ଏହି ପକ୍ଷୀମାନେ ଆଖୁ, ଗହମ, ବାଜରା ଆଦି ଖାଦ୍ୟ ଖାଇଥାନ୍ତି। କିନ୍ତୁ ଚାଷୀମାନେ ଏ ସବୁଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଥିବାରୁ ପକ୍ଷୀମାନେ ଦେଖିବାକୁ ମିଳୁ ନାହାନ୍ତି। ଆନ୍ଧ୍ରପ୍ରଦେଶରେ ଏହି ପକ୍ଷୀଙ୍କୁ ସର୍ବାଧିକ ଦେଖିବାକୁ ମିଳିଥାଏ।

ପେଲିକାନ୍‍: ଆମ ଆଖି ଆଗରୁ ଉଭାନ୍‍ ହୋଇଯାଇଥିବା ଆଉ ଏକ ପକ୍ଷୀ ହେଉଛି ପେଲିକାନ୍‍। କିନ୍ତୁ ଏହି ପକ୍ଷୀକୁ ଆଗାମୀ ପିଢ଼ିଙ୍କ ପାଇଁ ସାଇତି ରଖିବାର ପ୍ରୟାସ କରିଛନ୍ତି କର୍ଣ୍ଣାକଟର ଛୋଟିଅ ଗାଁ କୋକରେବେଲରରେ ମନୁ ନାମକ ଜଣେ ଯୁବକ। ତେଣୁ ତାଙ୍କୁ କେହି କେହି ଖୁସିରେ ‘ପେଲିକାନ୍‍ ମନୁ’ ବୋଲି ସମ୍ବୋଧନ କରନ୍ତି। ୧୯୯୫ରୁ କର୍ଣ୍ଣାକଟକ ସରକାରଙ୍କ ପ୍ରୋତ୍ସାହନ ବଳରେ ମନୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।  ସେ ଦିନର ଘଟଣାକୁ ମନେ ପକାଇ ମନୁ କୁହନ୍ତିଯେ, ଗଛ ଉପରୁ ପେଲିକାନ୍‍ ପକ୍ଷୀମାନେ ତଳକୁ ଖସି ପଡୁଥିଲେ। ଫଳରେ ସେମାନଙ୍କୁ ବୁଲା କୁକୁରମାନେ ଖାଇଯାଉଥିଲେ। ତେଣୁ ଗ୍ରାମବାସୀଙ୍କ ସହାୟତାରେ ମନୁ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି। ପେଲିକାନ୍‍ ପକ୍ଷୀ ମାଛ ଖାଇବାକୁ ପସନ୍ଦ କରୁଥିବାରୁ ମନୁ ବିଭିନ୍ନ ହ୍ରଦ ସଂରକ୍ଷଣ କରିବା ସହ କିଛି ଚେକ୍‍ ଡ୍ୟାମ୍‍ ମଧ୍ୟ ସଂରକ୍ଷଣ କରିଥିଲେ।

ମାଜେଷ୍ଟିକ ହର୍ଣ୍ଣବିଲ୍‍: ମାଜେଷ୍ଟିକ ହର୍ଣ୍ଣବିଲ୍‍ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମି ଯାଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଭାରତର ୯ଟି ଅଞ୍ଚଳରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୱେଷ୍ଟର୍ଣ୍ଣ ଘାଟ, ଉତ୍ତର-ପୂର୍ବାଞ୍ଚଳ, ନାରକୋନଡାମ ଦ୍ୱୀପପୁଞ୍ଜ, ଆଣ୍ଡାମାନ ଦ୍ୱୀପପୁଞ୍ଜରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଫଳସ୍ୱରୂପ ବଡ଼ ଗୁଛଗୁଡିକୁ ସୁରକ୍ଷା ଦିଆଯାଉଥିବା ବେଳେ ଶୀକାରକୁ ବାରଣ କରାଯାଇଛି। ଅପରାଜିତା ଦତ୍ତ ନାମକ ଜଣେ ନାରୀ ପ୍ରଥମେ ଏହି ସଚେତନତା ପଦକ୍ଷେପ ଅରୁଣାଚଳପ୍ରଦେଶରେ ଆରମ୍ଭ କରିଥିଲେ।

ଅମୁର ଫାଲକନ୍‍: ନାଗାଲାଣ୍ଡର ଏହି ବିରଳ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତର ଦ୍ୱାରଦେଶରେ। ଏହି ପକ୍ଷୀର ଶୁଆ ଥଣ୍ଟ ଭଳି ମୁହଁ ହୋଇଥିବା ବେଳେ ରଙ୍ଗ ହେଉଛି ଧୂସର। ପ୍ରକୃତିଦତ୍ତ ଏହି ପକ୍ଷୀଟି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ଆଉ ଅଖୋଜା। କିନ୍ତୁ ରାକୀ ଶ୍ରୀନିବାସନ ନାମକ ଜଣେ ବ୍ୟକ୍ତି ଏହି ପକ୍ଷୀକୁ ଆଗାମୀ ପିଢ଼ିଙ୍କ ପାଇଁ ଜୀବିତ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ‘କଞ୍ଜରଭେସନ ଇଣ୍ଡିଆ’ ନାମରେ କାର୍ଯ୍ୟକ୍ରମ ହାତକୁ ନେଇ ସେ ୨୦୧୨ ମସିହାରୁ ସଚେତନ କରୁଛନ୍ତି। ହଜାର ହଜାର ସଂଖ୍ୟାରେ ପକ୍ଷୀଙ୍କୁ ସେ ନିଜ ଅଧିନରେ ରଖିଛନ୍ତି।

ଫ୍ଲେମିଙ୍ଗୋ

ଲମ୍ବା ଗୋଡ଼, ଲମ୍ବା ବେକ ଏବଂ ଗୋଲାପୀ ପର ଥିବା ପକ୍ଷୀ ଦେଖିବା ପାଇଁ ପର୍ଯ୍ୟଟକମାନେ ଚେନ୍ନାଇ ଯାଉଥିଲେ। ହେଲେ ସେଠାରେ ଏହି ପକ୍ଷୀ ଦେଖିବା ବିରଳ ହୋଇଯାଇଥିଲା। କିନ୍ତୁ ଗୀତା ଓ ସଞ୍ଜୟ ଦତ୍ତାରୀ ନାମକ ବ୍ୟକ୍ତି ଏହି ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବାର ପ୍ରୟାସ କରିଥିବାରୁ କିଛି ଲୋକ ଏହାକୁ ଦେଖିବାର ସୁଯୋଗ ପାଉଛନ୍ତି। ନଚେତ୍‍ ଅନ୍ୟ ପକ୍ଷୀଙ୍କ ଭଳି ଏହି ବିରଳ ପ୍ରଜାତିର ପକ୍ଷୀ ମଧ୍ୟ କରାଳ ଗର୍ଭରେ ବିଲୀନ ହୋଇସାରନ୍ତାଣି। ଉଭୟ ଦମ୍ପତ୍ତି ପକ୍ଷୀ ଅଭୟରଣ୍ୟ ସୃଷ୍ଟି କରି ଅନେକଙ୍କ ମୁହଁରେ ହସ ଭରୁଛନ୍ତି। ଏହି ପକ୍ଷୀ ପ୍ରକୃତିର ମିତ୍ର ହୋଇଥିବାରୁ ଆଗାମୀ ବଂଶଧରଙ୍କ ପର୍ଯ୍ୟନ୍ତ ବଞ୍ଚିରହିବା ଜରୁରୀ ବୋଲି ଅନେକ ପରିବେଶବିତ୍‍ ମତ ଦିଅନ୍ତି।

ପକ୍ଷୀ ହ୍ରାସର କାରଣ

ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖିଲେ ମଣିଷ ଖୁସିରେ ଆତ୍ମହରା ହୋଇଯାଏ। ହେଲେ ଦୁର୍ଭାଗ୍ୟର କଥା ବର୍ତ୍ତମାନ ଏହି ପକ୍ଷୀମାନଙ୍କୁ ଆଉ ଦେଖିବାକୁ ମିଳୁନି। ଏହା ପଛରେ ଅନେକ କାରଣ ରହିଛି। ସେଥିମଧ୍ୟରୁ ଦ୍ରୁତ ସହରୀକରଣ, କଳକାରଖାନା ପ୍ରତିଷ୍ଠା ହେଉଛି ପ୍ରମୁଖ କାରଣ। ଚାରିଆଡ଼େ ଘଞ୍ଚ ଜଙ୍ଗଲ କଟାଯାଇ ନୂଆ ନୂଆ ସହର ତିଆରି ହେଉଛି। ବିଶାଳକାୟ ଗଛ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକାମାନ ମୁଣ୍ଡ ଟେକୁଛି।

ମଣିଷର ସୁଖ ସ୍ୱାଚ୍ଛନ୍ଦ ପାଇଁ ବିଦ୍ୟୁତ ଟାୱାର ଓ ମୋବଇଲ ଟାୱାରମାନ ନିର୍ମାଣ ହେଉଛି। ନଦୀ, ନାଳ ପ୍ରଦୂଷିତ ହୋଇଯାଉଛି। ଯାହା ଫଳରେ ପକ୍ଷୀମାନଙ୍କ ସଂଖ୍ୟା ହ୍ରାସ ପାଉଛି। ପକ୍ଷୀମାନଙ୍କ ବସା ଭାଙ୍ଗି ମଣିଷ ନିଜ ପାଇଁ ଭଲ ଘର ତିଆରି କରୁଛି। ତେଣୁ ସେମାନଙ୍କ ରହିବା ଓ ଖାଦ୍ୟ ଅନ୍ୱେଷଣର ବାଟ ସବୁଦିନ ବନ୍ଦ ହୋଇ ଯାଇଥିବାରୁ ଏହି ବିରଳ ପ୍ରଜାତିର ପକ୍ଷୀ ଲୋପ ପାଇବାକୁ ବସିଲେଣି। ଆଉ ଯେଉଁ କିଛି ପକ୍ଷୀ ଅଛନ୍ତି ସେମାନଙ୍କୁ କେଉଁ ଚିଡିଆଖାନା ହେଉ ଅବା ପକ୍ଷୀ ଅଭୟରଣ୍ୟାରେ ସଂରକ୍ଷିତ କରି ରଖାଯାଉଛି। କିନ୍ତୁ ଏହି ପରିବର୍ତ୍ତିତ ଜଳବାୟୁରେ ପକ୍ଷୀମାନେ ଅଧିକ ଦିନ ତିଷ୍ଠି ରହି ପାରୁନାହାନ୍ତି। ତେଣୁ ଏମାନଙ୍କୁ ପୁନରୁଦ୍ଧାର କରିବାର ବେଳ ଏବେ ଉପନୀତ ହୋଇଛି।

(ପ୍ରସ୍ତୁତି: ସରୋଜ)

Tags: Rare Birds, Martin, Vulture, Jerdon’s Courser, Pelican, Majestic Rufous Hornbill, Amur Falcon, Flamingo

 

LEAVE A REPLY

Please enter your comment!
Please enter your name here