ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କଂଗ୍ରେସରେ ନେତୃତ୍ୱକୁ ନେଇ କଳି ଲାଗି ରହିଛି କଳି ତୁଟାଇବା ପାଇଁ ଦୁଇ ମାସ ହେଲା କଂଗ୍ରେସ ନେତା ଦିଲ୍ଲୀ ଧାଉଁଛନ୍ତି ହେଲେ ନିର୍ଯ୍ୟାସ ବାହାରୁନି ଗୋଟିଏ ପଟେ ବିଜେଡିବିଜେପି ନିର୍ବାଚନ ମୁହାଁ ହୋଇଥିବା ବେଳେ କଂଗ୍ରେସର ୩୦ ନେତାଙ୍କୁ ପୁଣି ଦିଲ୍ଲୀ ଡାକରା ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ?
୪ ମାସ ହେଲା ଏହି ପ୍ରସଙ୍ଗକୁ ନେଇ ଆଲୋଚନା ଜୋର୍ ଧରିଛି। ହେଲେ ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରିପାରୁନାହିଁ।
ଓଡ଼ିଶା ଆସିଥିବା ୩ ଜଣ ପର୍ଯ୍ୟବେକ୍ଷକଙ୍କଠାରୁ ହାଇକମାଣ୍ଡ ରିପୋର୍ଟ ପାଇସାରିଛନ୍ତି। ରିପୋର୍ଟରେ କଂଗ୍ରେସ ଅବସ୍ଥା ଶୋଚନୀୟ ବୋଲି ଦର୍ଶାଡଯାଇଛି। ନେଡ଼ି ଗୁଡ଼ କହୁଣୀକୁ ବୋହି ସାରିଥିଲେ ହେଁ ହାଇକମାଣ୍ଡ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି।
ଶେଷରେ ୩୦ ଜଣ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ଡକରା ଆସିଛି। ୫ ତାରିଖରେ ଏମାନେ ଦିଲ୍ଲୀ ଯିବେ। ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଏହି ଆଲୋଚନା ପରେ ସଭାପତି ବଦଳିବେ ବୋଲି କେହି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି।
ବିଜେପିବିଜେଡି ନିର୍ବାଚନ ମୁହାଁ ହୋଇଛନ୍ତି ଏହାକୁ ସ୍ୱୀକାର କରିବାକୁ ପଡିବ ମାତ୍ର କଂଗ୍ରେସର ନେତୃତ୍ୱ ଠିକ୍ ହୋଇ ନଥିବାରୁ ଆମେ ପଛରେ ପଡ଼ିଯାଇଛୁ କର୍ମୀମାନେ ସଂଘଟିତ ହୋଇପାରୁନାହାନ୍ତି ଆଶା କରାଯାଉଛି ଆସନ୍ତା ସପ୍ତାହରେ ସବୁକିଛି ଠିକ୍ ହୋଇଯିବ, ଏହା ଓଡ଼ିଶାଲାଇଭକୁ କହିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା।
ପଞ୍ଚାୟତ ନିର୍ବାଚନରେ ଦଳ ନିରାଶ ହେବା ପରେ ସଭାପତି ଗାଦିରୁ ପ୍ରସାଦ ହରିଚନ୍ଦନ ହଟିବା ଥୟ ବୋଲି ଚର୍ଚ୍ଚା ହେଉଛି। ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ ଏବଂ ରଞ୍ଜୀବ ବିଶ୍ୱାଳଙ୍କ ପାଖରେ ଏହି ପ୍ରସଙ୍ଗ ଅଟକି ରହିଛି। ଏହି ୩ ଜଣ ନା ଆଉ କାହାକୁ ସଭାପତି ଗାଦିରେ ବସାଇଲେ ରାଜ୍ୟ କଂଗ୍ରେସର ଭାଗ୍ୟ ଉଦୟ ହେବ ତାକୁ ନେଇ ମନ୍ଥନ ଚାଲିଛି।
ଓଡ଼ିଶା କଂଗ୍ରେସର ଅବସ୍ଥା କ’ଣ? ଏହା ଜାଣିବା ପାଇଁ ହାଇକମାଣ୍ଡ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମକୁ ଓଡ଼ିଶା ପଠାଇଥିଲେ। ଜୁଲାଇ ୧୨ରେ ଜିତେନ୍ଦ୍ର ସିଂହ, ତାମ୍ରଧ୍ୱଜ ସାହୁ ଏବଂ ଗୌରବ ଗୋଗେଇ ଓଡ଼ିଶା ଆସି ଜିଲ୍ଲା-ସଭାପତିଙ୍କ ସହ ଆଲୋଚନା କରିଥିଲେ। କେତେକ ତୁଙ୍ଗ ନେତାଙ୍କୁ ମଧ୍ୟ ଭେଟି ବିପର୍ଯ୍ୟୟର କାରଣ ପଚାରିଥିଲେ। ଏସବୁ ରିପୋର୍ଟ ହାଇକମାଣ୍ଡଙ୍କ ପାଖରେ ଉପସ୍ଥାପିତ କରାଯାଇଥିଲେ ହେଁ ହାଇକମାଣ୍ଡ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି।
ପୁଣିଥରେ ୩୦ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି।
ମେ’ ୮ରେ ସମାନ ପ୍ରସଙ୍ଗକୁ ନେଇ ରାହୁଲ ଓଡ଼ିଶା କଂଗ୍ରେସର ୧୬ ଜଣ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ। ଚର୍ଚ୍ଚା ହୋଇଥିଲା ଖୁବଶୀଘ୍ର ପିସିସି ସଭାପତି ବଦଳିବେ। ହେଲେ ସେମିତି କିଛି ଘଟିଲା ନାହିଁ। ଏହାପରେ ପୁଣି ଆଉ ୩ ଜଣ କଂଗ୍ରେସ ନେତା ଦିଲ୍ଲୀରେ ରାହୁଲଙ୍କ ସହ ଆଲୋଚନା କରିଥିଲେ। ତେବେ ସଭାପତି ପରିବର୍ତ୍ତନ ହୋଇପାରୁ ନାହିଁ।
ହାଇକମାଣ୍ଡ ତାରିଖରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି ସେହିଦିନ ହିଁ କିଛିଗୋଟେ ନିଷ୍ପତ୍ତି ନିଆଯିବ ଆମ ଦଳର ଏପର୍ଯ୍ୟନ୍ତ ନେତୃତ୍ୱ ବିବାଦ ସମାଧାନ ହୋଇପାରୁ ଥିବାରୁ ଦଳ ନିର୍ବାଚନ ମୁହାଁ ହୋଇପାରୁନାହିଁ ତାରିଖ ପରେ ସବୁକିଛି ସ୍ପଷ୍ଟ ହୋଇଯିବ, ଏହା ଓଡ଼ିଶାଲାଇଭକୁ କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝି।
ଗୋଟିଏପଟେ କଂଗ୍ରେସରୁ ପିସିସି ସଭାପତି କଳି ତୁଟିପାରୁନି। ଅନ୍ୟପଟେ ବିଜେଡି ଏବଂ ବିଜେପି ୨୦୧୮ ପୌର ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେନ୍ଦ୍ରନେତାଙ୍କ ଘନଘନ ଓଡ଼ିଶା ଗସ୍ତ ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ଭରି ଦେଇଛି।
ରାଷ୍ଟ୍ରୀୟ ସଭାପତି ଅମିତ ଶାହା  ଆସନ୍ତା ୬ରେ ୩ ଦିନିଆ ଗସ୍ତରେ ପୁଣି ଓଡ଼ିଶା ଆସୁଛନ୍ତି। ମଣ୍ଡଳ ପଦାଧିକାରୀଙ୍କୁ ନେଇ ଆଲୋଚନା କରିବେ। ଦଳର ୧୨୦ ଟାର୍ଗେଟ୍‌ ସମ୍ପର୍କରେ ଗୁରୁ ମନ୍ତ୍ର ଦେବେ।
ସେହିପରି ରାଜ୍ୟର ଶାସକ ବିଜେଡି ବି ନିର୍ବାଚନ ମୁଡରେ ରହିଛି। ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ ମାରି ଚାଲିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିବା ପରେ ୬୦ ହଜାର ଶିକ୍ଷକଙ୍କୁ ପୂଜା ଭେଟି ଦେଇଛନ୍ତି। ଏହାକୁ ନେଇ ସରକାରୀ ଚାକିରିଆ ଖୁସି ହୋଇ‍ଯାଇଛନ୍ତି। ସେହିପରି ନୂଆ ଯୋଜନା ପ୍ରଣୟନ କରି ଗରିବ ହିତାଧିକାରୀଙ୍କ ମନ ଜିଣୁଛନ୍ତି।
ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ନିର୍ବାଚନ ପାଇଁ ପାଗ ଭିଡ଼ିବାରେ ସମର୍ଥ ହୋଇନି। କିଏ ପିସିସି ମଙ୍ଗୁଆଳ ହେବ ତାକୁ ନେଇ ନେତାଙ୍କ ମଧ୍ୟରେ କଳି ତୁଟୁନି। ଫଳରେ କଂଗ୍ରେସ, ବିଜେପି ନିର୍ବାଚନୀ ରେସରେ ଆଗେଇ ଚାଲିଥିବା ବେଳେ କଂଗ୍ରେସ ପଛୁଆ ଚାଲିଛି।
ଆଉ କେତେଦିନ ଦିଲ୍ଲୀ ଦୌଡ଼ିଲେ କଂଗ୍ରେସ କଳି ସମାଧାନ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
(ପ୍ରସ୍ତୁତି: ସରୋଜ)

Tags: Congress, PCC, Odisha Congress, Politics, Rahul Gandhi, Sonia Gandhi, Odisha Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here