ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଡକରା ପାଇ ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀ ଯାଇଛନ୍ତି।
ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଏବଂ ରାଜ୍ୟ କଂଗ୍ରେସର ସହ ପ୍ରଭାରୀ ଶୁଭଙ୍କର ସରକାର ଦିଲ୍ଲୀ ଯାତ୍ରା କରିଛନ୍ତି। ମଙ୍ଗଳବାର ସକାଳେ ଆଉ କିଛି ନେତା ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡିଛି।
ପିସିସି ସଭାପତି ଚୟନ ଏବଂ ସଙ୍ଗଠନ ସଜାଡିବା ବିଷୟରେ ରାଜ୍ୟ କଂଗ୍ରେସ ନେତାମାନେ ରାହୁଲଙ୍କ ସହ ମଙ୍ଗଳବାର ପୂର୍ବାହ୍ନରେ ଆଲୋଚନା କରିବେ। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପାଇବା ପରେ ହାଇକମାଣ୍ଡ ୩୦ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି।
”ରାହୁଲ କ’ଣ ପାଇଁ ୩୦ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି ତାହା ଜଣାନାହିଁ। ତେବେ ମଙ୍ଗଳବାର ସାଢ଼େ ୯ଟାରେ ଆଲୋଚନା କରିବା ପରେ ସବୁ ସ୍ପଷ୍ଟ ହୋଇଯିବ। କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ମଧ୍ୟ ଆମକୁ ଜଣାଯାଇ ନାହିଁ”, ଗଣମାଧ୍ୟମକୁ ଏହା କହିଛନ୍ତି ସହ ପ୍ରଭାରୀ ଶୁଭଙ୍କର ସରକାର।
ପିସିସି ସଭାପତିକୁ ନେଇ ଗତ କିଛି ମାସ ହେଲା ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଛି। ଫଳରେ ସଙ୍ଗଠନ ସୁଦୃଢ଼ ହୋଇପାରୁନି। ଏଣୁ ରାଜ୍ୟ କଂଗ୍ରେସର କଳି ତୁଟାଇବା ପାଇଁ ହାଇକମାଣ୍ଡ ଅଗଷ୍ଟ ମାସରେ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶା ପଠାଇଥିଲେ।
ପର୍ଯ୍ୟବେକ୍ଷକମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସଭବନରେ ଉପସ୍ଥିତ ରହି କଳିର କାରଣ ଖୋଜିଥିଲେ। ଜିଲ୍ଲା, ବ୍ଲକ ସଭାପତିଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରିବା ସହ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ଏହାପରେ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟ ପାଇବା ପରେ ରାହୁଲ ଓଡ଼ିଶା କଂଗ୍ରେସର ୩୦ ନେତାଙ୍କୁ ଦିଲ୍ଲୀ ଡାକିଥିବା କୁହାଯାଉଛି।

Tags: Odisha Congress, Congress, Rahul Gandhi, Politics, Odisha Politics, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment