ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କଂଗ୍ରେସର ନବକଳେବର ନେଇ ମଙ୍ଗଳବାର ନୂଆଦିଲ୍ଲୀରେ ବସିଥିଲା ରାହୁଲ ଗାନ୍ଧୀଙ୍କ ଦରକାର। ଯେଉଁଥିରେ ଉପସ୍ଥିତ ଥିଲେ ରାଜ୍ୟ କଂଗ୍ରେସର ତୁଙ୍ଗ ନେତା। ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ଚାଲିଲା। ରାହୁଲ ରାଜ୍ୟ କଂଗ୍ରେସ ନେତାଙ୍କ ଉପରେ ବର୍ଷିଲେ। ହେଲେ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ପିସିସି ଟିମ୍ ପରିବର୍ତ୍ତନ ଏବେ କି କେବେ ସେନେଇ କୌଣସି ସୁରାକ ଦେଲେନାହିଁ। କେବଳ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ କହି ତାଗିଦ୍ କରି ଛାଡିଦେଲେ।
କିନ୍ତୁ ଓଡ଼ିଶାରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ପିସିସି ଟିମ୍ ପରିବର୍ତ୍ତନ ସମ୍ପର୍କରେ ଦିଲ୍ଲୀ ଯାଇଥିବା ନେତା ମୁହଁ ଖୋଲୁ ନ ଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିରଞ୍ଜନ ସଭାପତି ହେବେ ବୋଲି ରାହୁଲ ନିଷ୍ପତ୍ତି ନେଇ ସାରିଥିବା କୁହାଯାଉଛି। ତାଙ୍କ ସହ ପ୍ରଦୀପ ମାଝି, ନବ ଦାସ ଏବଂ ଚିରଞ୍ଜୀବୀ ବିଶ୍ୱାଳ କାର୍ଯ୍ୟକାରୀ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବା ନେଇ କଂଗ୍ରେସ ମହଲରେ ଆଲୋଚନା ହେଉଛି।
ତେବେ ଏନେଇ ଦଳର ବରିଷ୍ଠ ନେତା ଏବଂ ଖୋଦ୍ ରାହୁଲ ମୁହଁ ଖୋଲୁ ନ ଥିବାରୁ ଏହି ଚର୍ଚ୍ଚା କେବଳ ଚର୍ଚ୍ଚାରେ ରହିଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପିସିସି ସଭାପତି ପରିବର୍ତ୍ତନ ନେଇ ଗତ ୪ ମାସ ହେଲା ଦାବି ହୋଇ ଆସୁଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବା ପରେ ଏହି ଦାବି ଜୋରଦାର ହୋଇଛି। ଏନେଇ କଂଗ୍ରେସ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ରାହୁଲଙ୍କୁ ବାରମ୍ବାର ଦିଲ୍ଲୀରେ ଭେଟିଛନ୍ତି। ରାହୁଲ ମଧ୍ୟ ନିଜ ତରଫରୁ ରାଜ୍ୟ ନେତୃବୃନ୍ଦଙ୍କୁ ଡାକି ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ୨ ମାସ ବିତି ଯାଇଥିଲେ ହେଁ ସଭାପତି ପରିବର୍ତ୍ତନ ନେଇ ରାହୁଲ କୌଣସି ଇସାରା ଦେଇ ନାହାନ୍ତି।
ଶେଷରେ ବାସ୍ତବ ଚିତ୍ର ଜାଣିବା ପାଇଁ ରାହୁଲ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରିଥିଲେ। ପର୍ଯ୍ୟବେକ୍ଷକ ଓଡ଼ିଶା କଂଗ୍ରେସଭବନକୁ ଆସି ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରି ରିପୋର୍ଟ ଦେଇଛନ୍ତି। ରିପୋର୍ଟ ପାଇବାର ମାସେ ପରେ ରାହୁଲ ୩୬ ଜଣ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି। ଡକରା ଅନୁଯାୟୀ ଆଲୋଚନା ହେଲା। ୫ ତାରିଖରେ ପିସିସି ଟିମ୍ ବଦଳିବ ବୋଲି ବିଧାୟକମାନେ ଚର୍ଚ୍ଚା କଲେ। ହେଲେ ସେମିତି କିଛି ଘଟିଲା ନାହିଁ। ରାହୁଲ ପିସିସି ଟିମ୍ ପରିବର୍ତ୍ତନକୁ ପୁଣି ଝୁଲାଇ ରଖିଛନ୍ତି।
ଦିଲ୍ଲୀ ଗସ୍ତରେ ଯାଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ”ରାହୁଲ ଗାନ୍ଧୀ ଡାକିବା ଅନୁଯାୟୀ ଆମେ ଦିଲ୍ଲୀ ଆସିଥିଲୁ। ତେବେ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଡାକିଥିଲେ ସେ ଉପରେ ଆଲୋଚନା ହୋଇଥିଲା।”
କିନ୍ତୁ ପ୍ରସଙ୍ଗ କ’ଣ ପ୍ରଶ୍ନ ହେବାରୁ ଶ୍ରୀ ମିଶ୍ର ଏହାକୁ ଏଡାଇ ଦେଲେ। କେବଳ ଶ୍ରୀ ମିଶ୍ର ନୁହନ୍ତି, ଦିଲ୍ଲୀ ଯାଇଥିବା ଅନେକ ନେତାଙ୍କୁ ପଚାରିଲେ ସେମାନେ ଖୋଲା ଖୋଲି ମନ୍ତବ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଏଣୁ ପିସିସି ସଭାପତି ପରିବର୍ତ୍ତନ ନିଷ୍ପତ୍ତି ଝୁଲିକି ରହିଥିବା ଚର୍ଚ୍ଚା ହେଉଛି।

Tags: Rahul Gandhi, PCC, Congress, Odisha Congress, Politics, Odisha Politics, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

LEAVE A REPLY

Please enter your comment!
Please enter your name here