ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲାରେ ଠିକ୍ ଭାବେ ହେଉନି ବିକାଶମୂଳକ କାର୍ଯ୍ୟ। ମାଓବାଦୀଙ୍କ ପ୍ରଭାବକୁ ରୋକିବା ସହ ସେଠାକାର ଲୋକଙ୍କ ବିକାଶ ଲାଗି ଏହି ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ତେବେ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ସେହିପରି ବିଭିନ୍ନ ଉଦ୍ଦେଶ୍ୟରେ ଆସିଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିବା ଯୋଗୁଁ ରାଜ୍ୟ ୪୯୭କୋଟି ୪୩ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ହରାଇଛି। କୋରାପୁଟରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ ହବ୍, କେନ୍ଦ୍ରୀୟ ପୋଲିସ ବଳ ପାଇଁ ମୁନିଗୁଡାରେ ହବ୍ ନିର୍ମାଣ ପାଇଁ ଅହେତୁକ ବିଳମ୍ବ ଓ ଅନିୟମିତତା ପରିଲକ୍ଷିତ ହୋଇଛି।
ବିନା ଅନୁମତିରେ ହେଲିକପ୍‌‍ଟର ଭଡାରେ ନେବା, ଭିତ୍ତିଭୂମି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିବା ଯୋଗୁଁ କେନ୍ଦ୍ର ସରକାର ୮୧ କୋଟି ୯୦ ଲକ୍ଷ ଟଙ୍କାର ନିରାପତ୍ତା ସମ୍ପର୍କୀତ ଖର୍ଚ୍ଚକୁ ଅଗ୍ରାହ୍ୟ କରି ଦେଇଛନ୍ତି।
୨୦୧୧ରୁ ୨୦୧୬ ମଧ୍ୟରେ ଆଇସିଡିଏସ୍ ଯୋଜନାରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଛି ସେହି ଖର୍ଚ୍ଚକୁ ସରକାର ପ୍ରକୃତ ଖର୍ଚ୍ଚ ବୋଲି ଦର୍ଶାଇ ନାହାନ୍ତି। କେବଳ ଟ୍ରେଜେରିରୁ ଉଠା ଯାଇଥିବା ଟଙ୍କାକୁ ଖର୍ଚ୍ଚ ଦର୍ଶାଇ ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରକୃତ ଖର୍ଚ୍ଚ ଦର୍ଶାଇ ନ ଥିବାରୁ ଆଇସିଡିଏସ୍ ସ୍କିମରେ ଶିକ୍ଷା ଓ ଔଷଧ କିଟ୍ ଆଦି ପାଇଁ ୮୧ କୋଟି ୭୫ ଲକ୍ଷ ଟଙ୍କା ରାଜ୍ୟ ପାଇବାରୁ ବଞ୍ଚିତ ହୋଇଥିବା ରିପୋର୍ଟରୁ ଜଣାପଡିଛି।
ସିଏଜି ୭ଟି ଜିଲ୍ଲାର ସାମ୍ପଲ ଅଡିଟ୍ କରିବା ବେଳେ ଏହି ତଥ୍ୟ ପାଇଛନ୍ତି। ଏହି ୭ଟି ଜିଲ୍ଲାରେ ୧୦୨ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ପାଖରେ ପଡିରହିଛି।
ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ନିମ୍ନମାନର ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି। ସେହିପରି ୧୨ଟି ଅଙ୍ଗନୱାଡି କେନ୍ଦ୍ରରେ ଚାଉଳ ହେରଫେର୍ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡିଛି।
ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଚାଲିଥିବା ସ୍ବେରେଜ ପ୍ରକଳ୍ପରେ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କଟକ ଓ ତାଳଚେର ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ତ୍ରୁଟିଯୁକ୍ତ ଥିଲା। ଫଳରେ ଏଠାରେ ଅତିରିକ୍ତ କାର୍ଯ୍ୟ କରାଯିବାରୁ ୯୫ କୋଟି ୧୭ ଲକ୍ଷ ଟଙ୍କା ଅପଚୟ ହୋଇଥିଲା। କାର୍ଯ୍ୟରେ ମନ୍ଥରତା ଯୋଗୁଁ ସ୍ୱେରେଜ ବୋର୍ଡ ୯୯ କୋଟି ୮୩ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇଥିଲା।
ଅନ୍ୟପକ୍ଷେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଥିବା ସିଏଜି ରିପୋର୍ଟରୁ ଜଣାପଡିଛି।

Tags: Odisha News, Odisha, CAG Report, Odosha Assembly, Maoist Area, Koraput Special Operation Group, Central Scheme, Bhubaneswar, New Delhi, Odisha Government

 

LEAVE A REPLY

Please enter your comment!
Please enter your name here