ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ବିଶାଖାପାଟଣା ଇଷ୍ଟକୋଷ୍ଟ ରେଲୱେ ୱଲଟିୟର ଡିଭିଜନ କାର୍ଯ୍ୟାଳୟରେ ୩ଟି ରାଜ୍ୟର ସାଂସଦମାନଙ୍କୁ ନେଇ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ କୋରାପୁଟ ସାଂସଦ ଝିନ୍ନ ହିକ୍‌କା ଏବଂ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ ଯୋଗଦେଇ ଦକ୍ଷିଣ ଓଡ଼ିଶାରେ ରେଳପଥର ବିକାଶ ପାଇଁ ଦାବି ଉପସ୍ଥାପନ କରିଛନ୍ତି।
ବିଶାଖାପାଟଣାରୁ ନିଜାମୁଦ୍ଦିନ୍ ଯାଉଥିବା ସମତା ଏକ୍ସପ୍ରେସକୁ  ଜଗଦଲପୁର, କୋରାପୁଟ ଓ ରାୟଗଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନକୁ ଜଗଦଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଟିକିରି, ଲକ୍ଷ୍ମୀପୁର ରୋଡ, କୋରାପୁଟ ଏବଂ ରାୟଗଡା ରେଳଷ୍ଟେସନ କାନ୍ଥଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତିର ଚିତ୍ର ସ୍ଥାନିତ କରିବାକୁ କୋରାପୁଟ ସାଂସଦ ଝିନ୍ନ ହିକ୍‌କା ଦାବି କରିଛନ୍ତି।
ସେହିପରି ଦକ୍ଷିଣ ଓଡ଼ିଶାରେ ଅଧିକ ନୂତନ ଟ୍ରେନ ଚଳାଚଳ କରିବା ସହ ରାୟଗଡା-ଥେରୁବାଲିକୁ ସଂଯୋଗ କରୁଥିବା ବ୍ରିଜର ପୁନଃନିର୍ମାଣ କରିବାକୁ ସାଂସଦ ଏନ୍.ଭାସ୍କର ରାଓ ଦାବି କରିଛନ୍ତି। ଏହାସହ ଗୁଣୁପୁର-ନୌପଡା ମଧ୍ୟରେ ଥିବା ରେଳ ଷ୍ଟେସନ ଗୁଡିକର ଉନ୍ନତିକରଣ ପାଇଁ ଶ୍ରୀ ରାଓ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶା ସାଂସଦଙ୍କ ଦାବିକୁ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଲୱେର ସାଧାରଣ ପରିଚାଳକ ଉମେଶ ସିଂ କହିଛନ୍ତି।
ଏହି ବୈଠକରେ କମିଟି ଅଧ୍ୟକ୍ଷ ତଥା ବିଶାଖାପାଟଣା ସାଂସଦ ଡାକ୍ତର କେ.ହାରିବାବୁ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ୱଲଟିୟର ଡିଭିଜନ ଅଧୀନରେ ରହିଥିବା ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଏହି ବୈଠକରେ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାକୁଲମ ସାଂସଦ କେ.ରାମମୋହନ ନାଇଡୁ, ଆନକାପଲ୍ଲୀ ସାଂସଦ ଏମ୍‌.ଶ୍ରୀନିବାସ ରାଓ, ଛତିଶଗଡ଼ ବସ୍ତର ଲୋକସଭା ସାଂସଦ ଦୀନେଶ କାଶ୍ୟପ ଓ ଇଷ୍ଟକୋଷ୍ଟ ରେଲୱେ ୱଲଟିୟର ଡିଭିଜିନ ଡିଆର୍‌ଏମ୍‌ ମୁକୁଲ ସୁରେନ ମାଥୁର ପ୍ରମୁଖ ଯୋଗଦେଇଥିଲେ।

Tags: Indian Railways, Railways, Odisha Railways, Visakhapatnam, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here