ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ଖୋଜୁଛି ଚିଟ୍‌ଫଣ୍ଡର ପଲିଟିକାଲ ଲିଙ୍କ୍‍। ଯେଉଁ ଲିଙ୍କକୁ ନେଇ ସିବିଆଇ ଅଧିକାରୀ ୨୦୧୪ରେ ଖୋଳତାଡ଼ କରୁଥିଲେ ୨୦୧୭ରେ ମଧ୍ୟ ଅନୁରୂପ ଛାନ୍‍ଭିନ୍‍ ଆରମ୍ଭ କରିଛନ୍ତି। ୨୦୧୪ରେ କଟକ ଜିଲ୍ଲାର ବିଜେଡି ନେତା ପ୍ରଭାତ ତ୍ରିପାଠୀ ସିବିଆଇ ଖୁଆଡ଼ରେ ପଡ଼ିବା ପରେ ୨୦୧୭ ସେପ୍ଟେମ୍ବର ୧୮ରେ ସେହି ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି।

୨୦୧୪ ମସିହାରୁ ଓଡ଼ିଶାରେ ଚିଟ୍‌ଫଣ୍ଡ ସ୍କାମର ଖୋଳତାଡ କରୁଛି ସିବିଆଇ। ଏହି ୩ ବର୍ଷର ତଦନ୍ତ ଭିତରେ ସିବିଆଇ ଚିଟ୍‌ଫଣ୍ଡରେ ପଲିଟିକାଲ ଲିଙ୍କ ଖୋଜୁଛି। ଏହାକୁ ନେଇ ବିଭିନ୍ନ ସମୟରେ ରାଜନୀତି ବୟାନବାଜି ମଧ୍ୟ ହୋଇଛି। କିଏ ସିବିଆଇ ତଦନ୍ତକୁ ସମାଲୋଚନା କରିଛି ତ ଆଉ କିଏ ପ୍ରଶଂସା କରିଛି। ଏସବୁ ଭିତରେ ସିବିଆଇ ଖୁଆଡ଼ରେ ଅନେକ ରାଜନେତା ଫଶିଛନ୍ତି, ହେଲେ କଟକ ଜିଲ୍ଲାର ଦୁଇ ‘ପ୍ରଭାତ’ଙ୍କୁ ନେଇ ରାଜନୀତି କରିଡରରେ ଏବେ ସରଗରମ୍‍ ଆଲୋଚନା ହେଉଛି।
ସିବିଆଇ ଯେତେବେଳେ ତାର ପ୍ରଥମ ତଦନ୍ତ ପେଡି ଖୋଲିଲା ସେତେବେଳେ ପ୍ରଥମ ରାଜନେତା ଭାବେ ଫଶିଥିଲେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ। ଏଟି ଚିଟ୍‌ଫଣ୍ଡ ସଂସ୍ଥାଠାରୁ ଟଙ୍କା ନେବା ଅଭିଯୋଗରେ ପ୍ରଭାତ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ। ଏହାକୁ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ। ମାଳମାଳ ସମର୍ଥକ ଭୁବନେଶ୍ୱର ସିବିଆଇ ଅଫିସ ସମ୍ମୁଖକୁ ଆସି ପ୍ରତିବାଦ କରିଥିଲେ।
ଏହାସତ୍ତ୍ୱେ ପ୍ରଭାତ ତ୍ରିପାଠୀଙ୍କୁ ୪ ମାସ ଝାରପଡ଼ା ଜେଲରେ ରହିବାକୁ ପଡିଥିଲା। ଯଦିଓ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‍ ମିଳିଛି, ତଥାପି ସେ ବିପଦମୁକ୍ତ ନୁହନ୍ତି। କାରଣ ପ୍ରଭାତ ତ୍ରିପାଠୀ କାହିଁକି ଜାମିନ୍‍ ପାଇଲେ ବୋଲି ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହି ମାମଲା ଏବେ ବିଚାରାଧୀନ ରହିଛି।
ପ୍ରଭାତ ତ୍ରିପାଠୀଙ୍କ ଗିରଫ ପରେ ସିବିଆଇ ତା’ର ତଦନ୍ତକୁ ଆହୁରି ଜୋରଦାର କରିଥିଲା, ଯାହାର ଶିକାର ହୋଇଥିଲେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ। ଉଭୟ ନବ ଦିଗନ୍ତ ଚିଟ୍‌ଫଣ୍ଡ ସ୍କାମରେ ଗିରଫ ହୋଇଥିଲେ।
ଇତିମଧ୍ୟରେ ସୁବର୍ଣ୍ଣ ନାୟକ ଜାମିନ୍‍ ପାଇସାରିଛନ୍ତି। ହେଲେ ରାମଚନ୍ଦ୍ର ହାଁସଦାଙ୍କ ଜାମିନ୍‍ ବାରମ୍ବାର ଅଗ୍ରାହ୍ୟ ହୋଇ ଯାଉଥିବାରୁ ସେ ଏବେ ବି ଜେଲରେ ଅଛନ୍ତି। ଖାଲି ସେତିକି ନୁହେଁ, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ମଧ୍ୟ ସିବିଆଇ ଖୁଆଡ଼ରେ ପଡିଥିଲେ।
ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସିବିଆଇ ଟାର୍ଗେଟ କରିବାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଥିଲା। ଏହି ବୟାନବାଜି ନ ଥମୁଣୁ ସିବିଆଇ ଅଧିକାରୀ ‘ନବୀନ ନିବାସ’ର କବାଟ ବାଡେଇଥିଲେ। ନବୀନ ନିବାସର ବିଶ୍ୱସ୍ତ କର୍ମଚାରୀ ସରୋଜ ସାହୁଙ୍କୁ ଏକାଧିକବାର ଜେରା କରିବା ପରେ ରାଜନୀତିରେ ତୁତୁ ମେମେ ଆରମ୍ଭ ହୋଇଥିଲା।
ବିଜେଡି ଏହାକୁ ନେଇ ବିଜେପି ଉପରେ ବର୍ଷିଥିଲା। ବିଜେପି ସରକାର ଇଙ୍ଗିତରେ ସିବିଆଇ ବିଜେଡି ନେତାଙ୍କୁ ଟାର୍ଗେଟ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା। ହେଲେ ସିବିଆଇ ତଦନ୍ତ ଆଗକୁ ମାଡ଼ି ଚାଲିଥିଲା।
ସରୋଜ ସାହୁଙ୍କ ପରେ ସିସୋର ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍‍ ରଖିବା ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ। ହେଲେ ସେତେବେଳେ ପ୍ରଭାତଙ୍କୁ ଗିରଫ କରି ନଥିଲା ସିବିଆଇ।
ସରୋଜ ସାହୁ ଏବଂ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରିବା ପରେ ସିବିଆଇ ତଦନ୍ତ ଧିମେଇ ଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସିବିଆଇ ୨୦୧୬ରେ ପୁଣି ଥରେ ତଦନ୍ତକୁ ଶାଣିତ କରିଥିଲା।
ଫଳରେ ବିଜେଡିର ତତ୍‌‍କାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସିବିଆଇ ସ୍କାନରରେ ରହିଥିଲେ।

Tags: Bhubaneswar News, BJD, Breaking News, CBI, Choudwar-Cuttack MLA, Latest News, MLA Pravat Tripathy, Pravat Biswal, Odisha Breaking News, Odisha News, Odisha Stories, Odisha Top Stories, Ponzi scam, Pravat Biswal, Seashore Group, Top Stories

LEAVE A REPLY

Please enter your comment!
Please enter your name here