ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ତୃତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ଭୂଷଣ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ନାମ ସୁପାରିଶ କରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଏହା କୁହାଯାଇଛି। ସାମଗ୍ରିକ ବିକାଶ ଓ ଭାରତର କ୍ରିକେଟକୁ ଉଚ୍ଚ ସ୍ଥାନରେ ପହଞ୍ଚାଇ ଥିବାରୁ ପୂର୍ବତନ ଅଧିନାୟକ ଧୋନିଙ୍କୁ ଚଳିତ ବର୍ଷର ସମ୍ମାନ ପାଇଁ ଭାରତ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ। ଧୋନିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ୨୦୧୧ ବିଶ୍ୱକପ୍ ଓ ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ମହେନ୍ଦ୍ର ସିଂ ଧୋନି ହେଉଛନ୍ତି ଜଣେ ସଫଳ ଅଧିନାୟକ। ଏକ ଦିବସୀୟ ମ୍ୟାଚରେ ଧୋନି ପାଖାପାଖି ୧୦ ହଜାର ରନ୍ କରିଛନ୍ତି। ସେ ୯୦ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଏଣୁ ଏହି ସଫଳ କ୍ରିକେଟିୟରଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିବା ଲାଗି ବିସିସିଆଇ ଧୋନିଙ୍କ ନାଁ ସ୍ଥିର କରିଛି। ଏନେଇ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଏଥିରେ କାହାର ମତଭେଦ ନାହିଁ।”
୩୬ ବର୍ଷିୟ ଧୋନୀ ୩୦୨ଟି ଦିନିକିଆ ଖେଳି ୯୭୩୭ ରନ୍ ସଂଗ୍ରହ କରିଛନ୍ତି। ସେହିପରି ୯୦ଟି ଟେଷ୍ଟ ମ୍ୟାଚରେ ଧୋନି ୪୮୭୬ ରନ୍ ସଂଗ୍ରହ କରିଛନ୍ତି। ଏହାସହ ୭୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି ଧୋନି।
ଧୋନି ତାଙ୍କ କ୍ୟାରିଅରରେ ୧୬ଟି ଶତକ ମାରି ରେକର୍ଡ କରିଛନ୍ତି। ଟେଷ୍ଟରେ ୬ଟି ଏବଂ ଦିନିକିଆରେ ୧୦ଟି ଶତକ ସେ ଅର୍ଜନ କରିଛନ୍ତି। ଏହା ବ୍ୟତୀତ ସେ ୧୦୦ଟି ଅର୍ଦ୍ଧଶତକର ଅଧିକାରୀ ହୋଇଛନ୍ତି।
ୱିକେଟ କିପର ଭାବେ ଧୋନି ମଧ୍ୟ କମାଲ୍ ଦେଖାଇଛନ୍ତି। ସେ ୫୮୪ଟି କ୍ୟାଚ ନେଇଛନ୍ତି। ଟେଷ୍ଟରେ ୨୫୬, ଦିନିକିଆରେ ୨୮୫ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ୪୩ଟି କ୍ୟାଚ ନେଇ ପ୍ରତିପକ୍ଷ ଖେଳାଳିଙ୍କ ହୋସ ଉଡାଇ ଦେଇଛନ୍ତି। ୧୬୩ଟି ଷ୍ଟମ୍ପିଂ କରି ଧୋନି ସଫଳ ୱିକେଟ କିପର ତାଲିକାରେ ରହିଛନ୍ତି।
ଧୋନିଙ୍କୁ ପୂର୍ବରୁ ଅନ୍ୟ ଏକ ପ୍ରତିଷ୍ଠିତ ସମ୍ମାନ ଅର୍ଜୁନ ପୁରସ୍କାର ମିଳିଛି। ଏହାଛଡ଼ା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଓ ପଦ୍ମଶ୍ରୀ ମଧ୍ୟ ମିଳିସାରିଛି। ଯଦି ଧୋନିଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳେ, ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ହେବେ ଏକାଦଶ କ୍ରିକେଟ ଖେଳାଳି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, କପିଳ ଦେବ, ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ, ଚନ୍ଦୁ ବୋର୍ଦେ, ପ୍ରୋଫେସର୍ ଡି ବି ଦେଓଧର, ସି କେ ନାଇଡୁ, ଲାଲା ଅମରନାଥଙ୍କୁ ପଦ୍ମ ଭୂଷଣ ପ୍ରାପ୍ତ ହୋଇସାରିଛି।

Comment