ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟୋମକେଶ ତ୍ରିପାଠୀ – ଜଣେ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ଓ ଭିନ୍ନ ମଣିଷଙ୍କ ଜୀବନକାହାଣୀ

ସୁପ୍ରସିଦ୍ଧ ଓଡ଼ିଆ ଲେଖକ ଶ୍ରୀ ଗୋବିନ୍ଦ ତ୍ରିପାଠୀଙ୍କ ପ୍ରଥମ ସନ୍ତାନ, ବ୍ୟୋମକେଶ ପିଲାଟି ଦିନରୁ ସିନେମା ତଥା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ। କିଶୋର ଅବସ୍ଥାରେ ପୁରୀ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଜଟଣୀସ୍ଥିତ ଉତ୍ତରାୟଣୀ କ୍ଲବରେ ତାଙ୍କର ରଙ୍ଗମଞ୍ଚ ଶିକ୍ଷାର ମୂଳଦୁଆ ପଡ଼ିଥିଲା। ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀ ରାମମାଣିଆ ଥିଲେ ତାଙ୍କର ପ୍ରଥମ ଗୁରୁ। ପରେ ତାଙ୍କ ପ୍ରତିଭା ବିକଶିତ ହେବା ସହ ଅଭିଜ୍ଞ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀ ବଲାଇ ବାନାର୍ଜୀ, ଶ୍ରୀ ଅଶ୍ୱିନୀ ଘୋଷ ଓ ଶ୍ରୀ କାର୍ତ୍ତିକ ଘୋଷଙ୍କ ନଜରକୁ ଆସିଥିଲା ଏବଂ ସେମାନଙ୍କଠାରୁ ବ୍ୟୋମକେଶ ଥିଏଟର ବିଷୟରେ ଜ୍ଞାନ ଲାଭ କରିବା ସହ ଶିଖିଥିଲେ ଅଭିନୟର ବିଭିନ୍ନ କଳା ଓ କୌଶଳ।
୧୯୫୮ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବିଏସ୍ସି ପାସ୍ କଲା ପରେ, ବ୍ୟୋମକେଶ ଦିଲ୍ଲୀସ୍ଥିତ ଏସିଆନ୍ ଥିଏଟର ଇନ୍‌‍ଷ୍ଟିଚ୍ୟୁଟ୍‌‍ରେ ଯୋଗ ଦେଇଥିଲେ। ସେଠାରେ ଇଂଲଣ୍ଡ ଓ ଫ୍ରାନ୍ସର ପ୍ରଶିକ୍ଷକମାନେ ତାଙ୍କୁ ରଙ୍ଗମଞ୍ଚ ତଥା ଥିଏଟର ବିଷୟରେ ନୂତନ ଶୈଳୀ ଓ ତଥ୍ୟ ବିଷୟରେ ଶିକ୍ଷା ଦେଇଥିଲେ। ଯାହା କି ପରବର୍ତ୍ତୀ ସମୟରେ ଶ୍ରୀ ବ୍ୟୋମକେଶ ତାଙ୍କ ନାଟକରେ ଏହି ଶୈଳୀ ତଥା କୌଶଳଗୁଡ଼ିକୁ ଆପଣାଇଥିଲେ। ବିଶେଷକରି ସାଇକ୍ଲୋରାମାର ପ୍ରୟୋଗ ଦ୍ୱାରା ରଙ୍ଗମଞ୍ଚରେ ସେ ଅନେକ ଯାଦୁକାରୀ ଅଭିନୟ ବିଦ୍ୟା ଦେଖାଇଥିଲେ ଯାହା ଓଡ଼ିଶା ରଙ୍ଗମଞ୍ଚରେ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା କି ଅନୁଭବ ମଧ୍ୟ କରାଯାଇନଥିଲା।
୧୯୫୯ ମସିହାରୁ ୧୯୮୦ ମସିହା ମଧ୍ୟରେ ଶ୍ରୀ ତ୍ରିପାଠୀ ଅନେକ ନାଟକ ରଚନା କରିଥିଲେ। ତାଙ୍କର ପ୍ରତ୍ୟେକଟି ନାଟକ ଥିଲା ପରୀକ୍ଷାମୂଳକ।  ସେ କେତେବେଳେ ସମାଜର କେଉଁ ବିଭାଗକୁ ବିଦ୍ରୂପ କରିଛନ୍ତି ପୁଣି କେତେବେଳେ ବ୍ୟଙ୍ଗାତ୍ମକ ରୂପ ଦେଇଛନ୍ତି। କିନ୍ତୁ ତାଙ୍କର ପ୍ରତିଟି ନାଟକରେ ରହିଛି ସତ୍ୟ, ସଚ୍ଚୋଟତା ଓ ଶୁଦ୍ଧତାର ବାର୍ତ୍ତା। ଆଧ୍ୟାତ୍ମିକ ଏବଂ ଐତିହାସିକ ବିଷୟବସ୍ତୁ ବ୍ୟତୀତ ଦୁର୍ନୀତି, ବେଶ୍ୟାବୃତ୍ତି, ନାରୀମାନଙ୍କ ପ୍ରତି ଅନ୍ୟାୟ ଭଳି ସାମାଜିକ ପ୍ରସଙ୍ଗ ତାଙ୍କ ନାଟକରେ ଦେଖିବାକୁ ମିଳେ।
ବ୍ୟୋମକେଶ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ୟୋମକେଶ ୬୮ ଟି ନାଟକର ନିର୍ଦ୍ଦେଶନା ଦେବା ସହ ଏଥିରୁ ଅନେକଗୁଡ଼ିଏ ନାଟକରେ ଅଭିନୟ ମଧ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶାର ସତ୍ୟଜିତ୍ ରାୟ ବୋଲି ମଧ୍ୟ ଦର୍ଶାଯାଏ, ଯାହା କି ଓଡ଼ିଶାର ଜଣେ ମଞ୍ଚ କଳାକାର ପାଇଁ ଏକ ସ୍ୱତନ୍ତ୍ର ଅଭିନନ୍ଦନ ବା ସମ୍ମାନ।
ଶ୍ରୀ ବ୍ୟୋମକେଶ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ ଯିଏ କି ନାଟକ ଲେଖିବା ସଙ୍ଗେ ସଙ୍ଗେ ତାକୁ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେ ଥିଲେ ଜଣେ ନିଖୁଣ ଅଭିନେତା ଏବଂ ବିଶେଷ କରି ସେ ନୂତନ ଭଙ୍ଗୀର ମଞ୍ଚଶୈଳୀକୁ ଓଡ଼ିଶାର ରଙ୍ଗମଞ୍ଚରେ ଆରମ୍ଭ କରିଥିଲେ, ଯାହାକି ଓଡ଼ିଶାରେ ପୂର୍ବରୁ ଦେଖିବାକୁ ମିଳି ନଥିଲା। ଓଡ଼ିଆ ସିନେମା ଜଗତକୁ ମଧ୍ୟ ତାଙ୍କ ଦାନ ଅତୁଳନୀୟ। ସେ କେତେଗୁଡ଼ିଏ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେବା ସହ କେତୋଟି ସିନେମାରେ ଅଭିନୟ ମଧ୍ୟ କରିଛନ୍ତି।
ସୁନାମଧନ୍ୟ ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ ତାଙ୍କୁ ଓଡ଼ିଶାର ‘ଗୋଲ୍‌ଡେନ୍‌ କ୍ରେଗ୍‌’ (୧୮୭୨-୧୯୬୬)  ବୋଲି ସମ୍ବୋଧନ କରନ୍ତି। କ୍ରେଗ୍ ଥିଲେ ଇଂଲଣ୍ଡର ଜଣେ ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଏବଂ ଆଧୁନିକ ରଙ୍ଗମଞ୍ଚର ପ୍ରବାଦପୁରୁଷ ଯିଏ କି ମଞ୍ଚଶୈଳୀରେ ନୂତନ ବିଚାରର ସଂକଳ୍ପନ କରିଥିଲେ।
ସେ ଓଡ଼ିଆ ସିନେମା ପାଇଁ ସଂଳାପ ଲେଖିବା ସହ ନାଟକ ନିମନ୍ତେ ସଙ୍ଗୀତ ରଚନା ମଧ୍ୟ କରିଛନ୍ତି – ଯାହାକି ଓଡ଼ିଶାର କଳାକାରଙ୍କ କ୍ଷେତ୍ରରେ ଏଭଳି ବ୍ୟକ୍ତିତ୍ୱ ମିଳିବା ବିରଳ। ତାଙ୍କର ବ୍ୟକ୍ତିତ୍ୱ ଏଭଳି ପ୍ରସିଦ୍ଧି ଲାଭ କରିଥିଲା ଯେ, ଧରିତ୍ରୀ ଖବରକାଗଜର ମୁଖ୍ୟ ସମ୍ପାଦକ ଶ୍ରୀ ତଥାଗତ ଶତପଥୀ ମହୋଦୟ ତାଙ୍କୁ ଭୁବନେଶ୍ୱରରେ ତାଙ୍କର କିଛି ନାଟକ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ୧୯୯୭ ମସିହାରେ ଭାରତ ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟୋମକେଶଙ୍କୁ ଓଡ଼ିଶା ରଙ୍ଗମଞ୍ଚର ଇତିହାସ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା ।
୬୮ ବୟସରେ ସେ ଇହଧାମ  ତ୍ୟାଗ କରିଥିଲେ।
ବ୍ୟୋମକେଶ ତ୍ରିପାଠୀଙ୍କର ନିଜସ୍ୱ ରଚନା ମଧ୍ୟରେ ଏକ-ଦୁଇ-ତିନ, ରଜ ମୁକୁତା, କଂସାକବାଟ, ସିଂହଦ୍ୱାରା, ଜାଗରଣ, ତୋଳାକନିଆ, ଅଖଣ୍ଡଜ୍ୟୋତି, ସୁନାଫରୁଆ, ମାଟିର ସ୍ୱର୍ଗ, ହେମହରିଣୀ, ଗୋପନ କଥା, ସତୀ ପରୀକ୍ଷା, ଶ୍ରୀ କୃଷ୍ଣଲୀଳା ଆଦି ଅନ୍ୟତମ।
ଅନୁବାଦ ନାଟକ ମଧ୍ୟରେ ରାଜା ଅଡିପସ, ଆଣ୍ଟିଗୋନି, ମୁଦ୍ରା ରାକ୍ଷସ ଆଦି ଅନ୍ୟତମ।
(୫ଟି ଭାଗରେ ତାଙ୍କର ୧୩ଟି ନାଟକ ଓ ୩ଟି ଅନୁବାଦ ନାଟକ ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ପ୍ରେସ୍ କ୍ଲବ୍‌ଠାରେ ଉନ୍ମୋଚନ କରାଯିବ।)

 

LEAVE A REPLY

Please enter your comment!
Please enter your name here