ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଶାସକ ବିଜେଡି ଏଥିପାଇଁ କସରତ ଆରମ୍ଭ କରି ଦେଇଛି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେଡି ଉପ ନିର୍ବାଚନରେ ପ୍ରାର୍ଥୀ କରିବ। ଏହାକୁ ଅସ୍ତ୍ର କରି ବିଜେଡି ବିଜେପୁରରେ ଅନୁକମ୍ପା ଭୋଟ ଉପରେ ନଜର ରଖିଥିବା ଚର୍ଚ୍ଚା ହେଉଛି।
ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର କଂଗ୍ରେସ ଛାଡି ବିଜେଡିରେ ମିଶିବେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ପ୍ରସଙ୍ଗରେ କହିବା ପରେ ସ୍ୱର୍ଗତ ସାହୁଙ୍କ ପୁଅ ସୁମିତ ସାହୁ ଗରୁବାର ସ୍ପଷ୍ଟ କରିଛନ୍ତି। ୨୩ ତାରିଖରେ ଆନୁଷ୍ଠାନିକ ଭାବେ ତାଙ୍କ  ପରିବାର କଂଗ୍ରେସ ଛାଡ଼ି ନବୀନ ନିବାସରେ ବିଜେଡ଼ିରେ ମିଶିବେ ବୋଲି ସୁମିତ୍ କହିଛନ୍ତି।
ସୁମିତ୍ ସାହୁ କହିଛନ୍ତି,”ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ପୂରଣ କରିବୁ। ବିଜେଡ଼ିରୁ ଆମ ପରିବାରକୁ ପ୍ରତିଶ୍ରୁତି ମିଳିଛି। ପୂର୍ଣ୍ଣ ପ୍ରତିଶ୍ରୁତି ପାଇବା ପରେ ଆମେ ବିଜେଡ଼ିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛୁ।”
ବରଗଡ ଜିଲ୍ଲାରେ କଂଗ୍ରେସର ନିଜସ୍ୱ ସଙ୍ଗଠନ ନାହିଁ କହିଲେ ଚଳେ। ହେଲେ ବିଜେପୁର ନିର୍ବାଚନମଣ୍ଡଳୀରେ ସୁବଳ ସାହୁଙ୍କ ନିଜସ୍ୱ ସଂଗଠନ ଏବଂ ଲୋକପ୍ରିୟତା ଯୋଗୁଁ ଲଗାତାର ୩ ଥର ଭାବେ ଶ୍ରୀ ସାହୁ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଅଗଷ୍ଟ ୨୨ରେ କର୍କଟ ରୋଗରେ ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ବିଜେପୁର ଉପ ନିର୍ବାଚନ ଲାଗି କସରତ ଆରମ୍ଭ ହୋଇଛି। ଏହି କସରତରେ ବିଜେଡ଼ି ଆଗରେ ରହିଛି।
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ହାତରୁ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନକୁ ବିଜେପି ଛଡାଇ ନେଇଛି। ଫଳରେ ଦଳ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏଣୁ ବିଜେପୁର ଉପ-ନିର୍ବାଚନରେ ଜିତିବା ପାଇଁ ଦଳ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଛି। ସ୍ୱର୍ଗତ ସାହୁଙ୍କ ଲୋକପ୍ରିୟତାରୁ ଫାଇଦା ନେବା ପାଇଁ ବିଜେଡି ତାଙ୍କ ପରିବାରକୁ ଦଳରେ ସାମିଲ କରିଥିବା ଆଲୋଚନା ହେଉଛି।

 

LEAVE A REPLY

Please enter your comment!
Please enter your name here