ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ସଦସ୍ୟ ବିଜେଡିରେ ଯୋଗ ଦେବା ପରେ ଏହି ଘଟଣାରେ ଆକ୍ଷେପ ପ୍ରତି ଆକ୍ଷେପ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏହାକୁ ପର ଘରଭଙ୍ଗା ଆଖ୍ୟା ଦେଇଛନ୍ତି। ଉଭୟ ବିଜେଡି ଓ ବିଜେପି ଅନ୍ୟର ଘରେ ପଶି ହଟଚମଟ ସୃଷ୍ଟି କରୁଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।
ବିଜେପି ନେତା ସୁଭାଷ ଚୌହାନ କିଛି ଦିନ ତଳେ କହିଥିଲେ ଯେ ସ୍ୱର୍ଗତ ସୁବଳ ସାହୁ ବିଜେପିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ବିଜେଡି ତାହା କରାଇ ଦେଇନଥିଲା। ସୁବଳଙ୍କ ପରିବାର ବିଜେଡିରେ ଯୋଗ ଦେବା ପରେ ନିରଞ୍ଜନ କହିଛନ୍ତି ଯେ ଉଭୟ ଶାସକ ବିଜେଡି ଓ ବିଜେପି ତାଙ୍କ ଘର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ଓ ସେଥିରେ ସଫଳ ହେଲେ। ଏହି ଦୁଇ ଦଳର ବିଜେପୁରରେ ସଂଗଠନ ନାହିଁ ବୋଲି ନିରଞ୍ଜନ ତାଛଲ୍ୟ କରିଛନ୍ତି।
ପୂର୍ବତନ ବିଧାୟକ ନିହାର ମହାନନ୍ଦ କହିଛନ୍ତି,”ସୁବଳ ସାହୁ କଂଗ୍ରେସରେ ଥିଲେ, ତାଙ୍କ ପରିବାର ଲୋକେ ନୁହଁ। ସେମାନଙ୍କର ବିଜେଡିରେ ଯୋଗଦାନ କୌଣସି ଫରକ ପକାଇବ ନାହିଁ।”
ସୁବଳ ଶେଷ ମୁହୂର୍ତ୍ତରେ ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥି।
“୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେବାକୁ ସୁବଳ ନିଷ୍ପତ୍ତି ନେଇଥିଲେ। ବିଜେଡି ଏଠି ଖୁବ୍ କମ ଭୋଟ ବ୍ୟବଧାନରେ ହାରିଥିଲା। ରାଜ୍ୟ ସରକାର ଏହି ନିର୍ବାଚନ ମଣ୍ଡଳୀ ପାଇଁ ବହୁତ କାମ କରୁଛନ୍ତି ଓ ଭବିଷ୍ୟତ ନିର୍ବାଚନରେ ଏହା ଦଳକୁ ସାହାଯ୍ୟ କରିବ”,ଏକଥା କହିଛନ୍ତି ବଡଚଣା ବିଧାୟକ।

LEAVE A REPLY

Please enter your comment!
Please enter your name here