ଓଡିଶାଲାଇଭ୍ ବ୍ୟୁରୋ


ଶିଶୁ ଯୌନ ଉତ୍ପୀଡ଼ନ ଓ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି ଲାଗି ଦେଶବ୍ୟାପୀ ଭାରତଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି। ଏହି ଅଭିଯାନ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଛି। କୈଳାସ ସତ୍ୟାର୍ଥୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

କୈଳାସ ସତ୍ୟାର୍ଥୀ କହିଛନ୍ତି, “ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଶୋଷଣ ଏକ ସାମାଜିକ ବ୍ୟାଧି। ଏହାର ତୁରନ୍ତ ନିରାକରଣ ଦରକାର। ଭାରତରେ ୫୩ ପ୍ରତିଶତ ଶିଶୁ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ବୋଲି ୧୦ ବର୍ଷ ତଳେ ଏକ ରିପୋର୍ଟ ଆସିଥିଲା। ହେଲେ ଏହି ଶୋଷଣ କ୍ରମେ ବଢ଼ି ଚାଲିଛି। ଯୌନ ଶୋଷଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଶୁଭାରମ୍ଭ କରାଯାଇଛି।”
ଏହି ଅବସରରେ ଶ୍ରୀ ସତ୍ୟାର୍ଥୀ ଆହୁରି କହିଛନ୍ତି ଯେ, ଶିଶୁ ଚାଲାଣ ରୋକିବା ପାଇଁ ସଂସଦରେ ପଡ଼ି ରହିଥିବା ବିଲ୍ ପାସ୍ କରାଯାଉ। ଯୌନ ଶୋଷଣ ଓ ଉତ୍ପୀଡ଼ନ ମାମଲାର ତୁରନ୍ତ ବିଚାର କରାଯିବା ସହ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଉ। ଏହାସହ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଯୌନ ଉତ୍ପୀଡ଼ନ ଏବଂ ଶୋଷଣ ବିଷୟ ସ୍ଥାନିତ କରିବାକୁ ସେ ଦାବି କରିଛନ୍ତି।
ସେପ୍ଟେମ୍ବର ୧୧ ତାରିଖରୁ କନ୍ୟାକୁମାରୀରୁ କୈଳାସ ସତ୍ୟାର୍ଥୀଙ୍କ ନେତୃତ୍ୱରେ ଭାରତ ଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ଏହି ଯାତ୍ରା ୧୧ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବ। ଏହି ଯାତ୍ରା ୩୫ ଦିନ ଧରି ଚାଲିବ। ଦେଶର ୨୨ଟି ରାଜ୍ୟ ପରିକ୍ରମା କରିବ ଏହି ଅଭିଯାନ।
କୈଳାସ ସତ୍ୟାର୍ଥୀଙ୍କ ନେତୃତ୍ୱରେ ଆସିଥିବା ଭାରତ ଯାତ୍ରା ଅଭିଯାନକୁ ଭୁବନେଶ୍ୱରରେ ସ୍ୱାଗତ କରାଯାଇଛି। ବହୁ ସ୍କୁଲ ପିଲା ଶ୍ରୀ ସତ୍ୟାର୍ଥୀଙ୍କୁ ସ୍ୱାଗତ କରିଛନ୍ତି।
ଏହି ଅବସରରେ ରାଜ୍ୟସଭା ସାଂସଦ ଏ.ବି ସ୍ୱାମୀ, ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here