ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଭୁବନେଶ୍ୱର ବେହେରାସାହିର ମହିଷାଖାଲ ବସ୍ତିରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା ଅକ୍ଟୋବର ୧୧ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ।
ଚଳିତ ପଦଯାତ୍ରାରେ ‘କେନ୍ଦ୍ର ଅବହେଳା’କୁ ଅସ୍ତ୍ର କରିଛି ବିଜେଡି। ଏହାସହ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ତୈଳ ଦର ବୃଦ୍ଧିକୁ ବିଜେଡି ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବ ବୋଲି ଏଜେଣ୍ଡା ପ୍ରସ୍ତୁତ କରିଛି। ଏହାସହ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ଏହି ପଦଯାତ୍ରା ମାଧ୍ୟମରେ ପହଞ୍ଚାଇବାକୁ ଦଳ ଲକ୍ଷ୍ୟ ରଖିଛି।
ପଦଯାତ୍ରାକୁ ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି,”ଆମ ଦଳ ସବୁବେଳେ ଲୋକଙ୍କ ସହ ରହିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଜେଡି ପଦଯାତ୍ରା ଆୟୋଜନ କରିଛି। ଚଳିତ ବର୍ଷର ପଦଯାତ୍ରା ରାଜ୍ୟର ପ୍ରତି ଘର ଏବଂ ପରିବାରକୁ ବିକାଶ ସହ ଯୋଡ଼ିବ। ଓଡ଼ିଶାକୁ ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆମ ଦଳ ସଂଗ୍ରାମ କରୁଛି। ହେଲେ କିଛି ଦଳ ରାଜ୍ୟ ସରକାରଙ୍କ ନାଁରେ ଅପପ୍ରଚାର କରୁଛନ୍ତି। ଓଡ଼ିଶାବାସୀ ଏହାର ମୁକାବିଲା କରନ୍ତୁ।”
ଏହି ଅବସରରେ ନବୀନ ଆହୁରି କହିଛନ୍ତି ଯେ, ବିଜେଡି ସରକାର ଅମଳରେ ୨୫ ପ୍ରତିଶତ ଗରିବୀ କମିଛି। ଶିଶୁ ଓ ମାତୃ ମୃତ୍ୟୁ ହାର ସହ ଅନ୍ୟାନ୍ୟ ସାମାଜିକ ସୂଚକାଙ୍କରେ ଓଡ଼ିଶା ଅନ୍ୟ ଅନ୍ୟ ରାଜ୍ୟଠାରୁ ଆଗରେ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗଭର୍ଣ୍ଣାନ୍ସ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଛି।

ପଦଯାତ୍ରା ଶୁଭାରମ୍ଭ ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟାଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।