ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଜେପୁର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ବିଜେଡିକୁ ଚେକ୍‍ ଦେବା ପାଇଁ ଦଳର ବରିଷ୍ଠ ନେତା ଆଲୋଚନା ଜାରି ରଖିଥିବା ବେଳେ ବିଦ୍ରୋହ ଆରମ୍ଭ କରିଥିବା ନାରାୟଣ ସାହୁ ମୁହଁ ଖୋଲିଛନ୍ତି। କହିଛନ୍ତି, ମୁଁ ଇସ୍ତଫା ଦେବି ନାହିଁ। ମୋତେ ସଭାପତି ଦାୟିତ୍ୱରୁ ମୁକ୍ତ କର। ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ଏହି ମନ୍ତବ୍ୟ ଏବେ ବିଜେପି ଶିବିରରେ ଝଡ଼ ସୃଷ୍ଟି କରିଛି।
ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ୍‍ କରି ବିଜେପି ବିଜେଡିକୁ ଚେକ୍‍ ଦେବା ଲାଗି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନାରାୟଣଙ୍କ ମନ୍ତବ୍ୟ ଏବେ ପଦ୍ମ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ନାରାୟଣ ସାହୁ କହିଛନ୍ତି, “ମୁଁ ଅସୁସ୍ଥ ଥିବାରୁ ବରପାଲି ମିଶ୍ରଣ ପର୍ବକୁ ଆସି ପାରିଲି ନାହିଁ। ତେବେ ମୁଁ ଦଳରୁ ଇସ୍ତଫା ଦେଇନାହିଁ। ଦଳ ପାଇଁ କାମ କରିବି। କିନ୍ତୁ ମୋତେ ସଭାପତି ଦାୟିତ୍ୱରୁ ମୁକ୍ତ କରାଯାଉ ।”
ନାରାୟଣଙ୍କ ଏହି ମନ୍ତବ୍ୟ ବିଜେପିରେ ବିଦ୍ରୋହ ବୋଲି କୁହାଯାଉଛି।
ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି, “୨୫ ବର୍ଷ ହେଲା ମୁଁ ନାରାୟଣ ସାହୁଙ୍କୁ ଜାଣିଛି। ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ। ବିଜେପୁରରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଆଶା ଥାଇପାରେ। ବିଜେପୁର ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନାହିଁ। ଏ ବିଷୟରେ ଆଲୋଚନା କରାଯିବ ।”
ବରଗଡ଼ ଜିଲ୍ଲା ବରପାଲିଠାରେ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲ। ଏଥିରେ ଅଶୋକ ପାଣିଗ୍ରାହୀ ଏବଂ ତାଙ୍କ ସମର୍ଥକ ମିଶିଥିଲେ। ହେଲେ ଜିଲ୍ଲା ସଭାପତି ନାରାୟଣ ସାହୁ ଆସି ନଥିଲେ। ସେ ଅଶୋକଙ୍କ ମିଶ୍ରଣକୁ ବିରୋଧ କରି ସମାବେଶରେ ସାମିଲ୍‍ ହୋଇ ନଥିବା ଚର୍ଚ୍ଚା ହେଉଥିଲା। ତେବେ ଏନେଇ ନାରାୟଣ ଆଜି ମୁହଁ ଖୋଲିଛନ୍ତି ।
ବିଜେଡିରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଯେମିତି ବିଦ୍ରୋହ ହୋଇଥିଲା ଏବେ ବିଜେପିରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଅଶୋକଙ୍କ ମିଶ୍ରଣକୁ ନେଇ ଦଳରେ ଅସନ୍ତୋଷ ଉଗ୍ରରୂପ ଧାରଣ କରୁଛି। ଏହାକୁ ବିଜେପି ନେତୃବୃନ୍ଦ କିପରି ପ୍ରଶମିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here