ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଲଢ଼େଇ ପ୍ରତି ବିମୁଖ ହେଉଛନ୍ତି ବରିଷ୍ଠ ନେତା। ୨୦୧୯ ନିର୍ବାଚନରୁ ଦୂରେଇ ରହିବା ପାଇଁ ସ୍ପଷ୍ଟ ସଙ୍କେତ ଦେଲେଣି ନେତା। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିବା ପରେ ଏହି ରେସ୍‌ରେ ଯୋଡ଼ି ହୋଇଛନ୍ତି ଅନ୍ୟତମ ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳ। ନରସିଂହଙ୍କ ପରି ହେମାନନ୍ଦ ମଧ୍ୟ ୨୦୧୯ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ହେମାନନ୍ଦ ବିଶ୍ବାଳ କହିଛନ୍ତି, “୭୪ ବର୍ଷ ବୟସରେ ମୁଁ ନିର୍ବାଚନ ଲଢ଼ିଥିଲି। ଦଳ କହିବାରୁ ମୁଁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲି। ତେବେ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ମୋର ଇଚ୍ଛା ନାହିଁ। ୭୦ ବର୍ଷ ଟପିଗଲେ ଜଣେ ଲୋକପ୍ରତିନିଧି ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ।”
ନରସିଂହ ମିଶ୍ର ମଧ୍ୟ ଗୁରୁବାର ଅନୁରୂପ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ବୟାସାଧିକ୍ୟ କାରଣ ଯୋଗୁଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।
ବରିଷ୍ଠ ନେତାଙ୍କ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗକୁ ନେଇ ରାଜନୀତି ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଛି। ବାସ୍ତବରେ ଏମାନେ ବୟସାଧିକ୍ୟ କାରଣ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି ନା ପୁଅ ପାଇଁ ରାସ୍ତା ସାଫ୍ କରୁଛନ୍ତି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି।
ବିଜୟଶ୍ରୀ, ନରସିଂହ ଏବଂ ହେମାନନ୍ଦଙ୍କ ସନ୍ନ୍ୟାସ ଘୋଷଣା ପରେ ଏବେ ରାଜନୀତି ପର୍ଯ୍ୟବେକ୍ଷକ ଅନ୍ୟ ବୟସାଧିକ୍ୟ ନେତାଙ୍କ ଉପରେ ନଜର ପକାଇଛନ୍ତି। ଏହି ତାଲିକାରେ ଅଛନ୍ତି ମଙ୍ଗଳା କିଷାନ୍, ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବିଭୂତି ହରିଚନ୍ଦନ, ବେଦପ୍ରକାଶ ଅଗ୍ରଓ୍ବାଲ, ଉଷା ଦେବୀ ମଧ୍ୟ ୨୦୧୯ ଲଢ଼େଇରୁ ଦୂରେଇ ରହିବେ ବୋଲି ରଜନୀତି କରିଡରରେ ଚର୍ଚ୍ଚା ଜୋର୍‌ ଧରିଛି।

 

1 COMMENT

LEAVE A REPLY

Please enter your comment!
Please enter your name here