ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଦେହରେ ୩ଟି ନୁହେଁ ବାଜିଥିଲା ୪ଟି ଗୁଳି। ଏଭଳି ଯୁକ୍ତି କରିଛନ୍ତି ମୁମ୍ବାଇର ପଙ୍କଜ ଫଡନାଭିସ୍। ଗାନ୍ଧିଜୀଙ୍କ ହତ୍ୟାକାଣ୍ଡ ଫାଇଲ୍‌କୁ ରିଓପନ କରିବାକୁ ସେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଫଡନାଭିସ୍‌ଙ୍କ ପିଆଇଏଲ୍‌ ପରେ ଏବେ ପ୍ରଶ୍ନ ଉଠୁଛି ଗାନ୍ଧିଜୀଙ୍କୁ ଚତୁର୍ଥ ଗୁଳି ମାରିଲା କିଏ?
ପଙ୍କଜ ଫଡନାଭିସ୍‌ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ୪ଟି ଗୁଳି ମରା ଯାଇଥିବା ସେତେବେଳେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା। ତେବେ ନାଥୁରାମ ଗଡସେଙ୍କ ପିସ୍ତଲରୁ ୩ଟି ଗୁଳି ମରାଯାଇଥିବା ପୋଲିସ ରିପୋର୍ଟ ଦେଇଥିଲା।  ତେବେ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ନା ଆଉ କିଏ ତାକକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଙ୍କଜଙ୍କ ପିଆଇଏଲ୍‌କୁ ଗ୍ରହଣ କରି ସୁପ୍ରିମକୋର୍ଟ ପୂର୍ବତନ ସଲିସିଟର ଜେନେରାଲ୍‌ ଅମରେନ୍ଦର ସରନ୍‌ଙ୍କୁ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି। ସେ ଏହି ମାମଲାରେ ସହାୟତା କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।
୧୯୪୮ ଜାନୁୟାରୀ ୩୦ ତାରିଖ। ନୂଆଦିଲ୍ଲୀର ବିର୍ଲା ହାଉସ୍‌ରେ ଚାଲିଥିଲା ପ୍ରାର୍ଥନା। ଏହି ପ୍ରାର୍ଥନା ସଭାରେ ଶତାଧିକ ଲୋକଙ୍କ ଗହଣରେ ଗାନ୍ଧିଜୀ ଉପସ୍ଥିତ ଥିଲେ। ପ୍ରାର୍ଥନା ସରିଲା। ଲୋକେ ପ୍ରାର୍ଥନା ସଭାରୁ ଘରକୁ ବାହାରୁଥିଲେ। ଏହି ସମୟରେ ଜନ ଗହଳି ଭିତରେ ଗିଜିଥିଲା ଗୁଳି। ଆଉ ଏହି ଗୁଳି ବାଜିଥିଲା ଗାନ୍ଧିଜୀଙ୍କ ଦେହରେ। କେହି କିଛି ଭାବିବା ଆଗରୁ ‘ହେ ରାମ’ କହି ଗାନ୍ଧିଜୀ ଟଳି ପଡ଼ିଥିଲେ। ଗାନ୍ଧିଜୀଙ୍କ ହତ୍ୟାର ପ୍ରଚାର ନିମିଷକ ଭିତରେ ପ୍ରଚାର ହୋଇଗଲା। ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପୋଲିସ ଗିରଫ କଲା। ହେଲେ ଗାନ୍ଧିଜୀଙ୍କ ଦେହରୁ ୪ଟି ଗୁଳି ବାହାରିଥିଲା ବୋଲି ସେତେବେଳେ ଦେଶ ବିଦେଶର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା। ପୋଲିସ ରିପୋର୍ଟ କହୁଛି, ନାଥୁରାମଙ୍କ ପିସ୍ତଲରେ ୭ଟି ଗୁଳି ରହିଥିଲା। ସେଥିମଧ୍ୟରୁ ୩ଟି ଫୁଟିଥିବା ବେଳେ ଆଉ ୪ଟି ଜୀବନ୍ତ ରହିଥିଲା। ତେବେ ଶେଷ ଗୁଳି ଅର୍ଥାତ୍ ୪ ନମ୍ବର ଗୁଳି ଗାନ୍ଧିଜୀଙ୍କୁ କିଏ ମାରିଲା ତାହା ଏବେ ରହସ୍ୟଘେରରେ।

 

LEAVE A REPLY

Please enter your comment!
Please enter your name here