ଓଡ଼ିଶାଲାଇଭ୍ ବ୍ୟୁରୋ

‘୨୦୧୮ ସେପ୍ଟେମ୍ବର ସୁଦ୍ଧା ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ’,- ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ବୁଧବାର ଯୋଗଦେବା ଅବସରରେ ଏହା କହିଛନ୍ତି ନିର୍ବାଚନ କମିଶନ ଓ ପି ରାଓ୍ବତ।
ଶ୍ରୀ ରାଓ୍ବତଙ୍କ ଏଭଳି ମନ୍ତବ୍ୟ ପରେ ଦେଶରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ରାଜନୀତିରେ ବିତର୍କ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ବି ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଆଗୁଆ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ରହିଛି ବୋଲି ନବୀନ ରାଜ୍ୟ ସଚିବାଳୟରେ ଗଣମାଧ୍ୟମକୁ କହିଛନ୍ତି।
ନବୀନ ପଟ୍ଟନାୟକ କହିଛନ୍ତି, “ଦେଶରେ ଯଦି ଆଗୁଆ ନିର୍ବାଚନ ହୁଏ ତାହାଲେ ଆମେ ପ୍ରସ୍ତୁତ ରହିଛୁ। ଆଗରୁ ମଧ୍ୟ ଏ ସମ୍ପର୍କରେ କହିଛି। ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ହୋଇ ରହିଛି।”
ଶ୍ରୀ ରାଓ୍ବତ ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୦୧୮ ସେପ୍ଟେମ୍ବର ପରେ ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇପାରେ। ଏକାସାଙ୍ଗରେ ନିର୍ବାଚନ ହେଲେ ୪୦ ଲକ୍ଷ ଇଭିଏମ୍‌ ମେସିନ୍‌ର ଆବଶକ ବୋଲି ସେ କହିଛନ୍ତି।
ନିର୍ବାଚନ କମିଶନ ଓ ପି ରାଓ୍ବତ କହିଛନ୍ତି, “ଆଗୁଆ ଏବଂ ଏକାସଙ୍ଗରେ ନିର୍ବାଚନ ପାଇଁ କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ିଥିଲେ। କମିଶନ ମଧ୍ୟ କେନ୍ଦ୍ର ସରକାରଙ୍କୁ ତାଙ୍କ ମତ ଜଣାଇଥିଲେ। ଏକାସାଙ୍ଗେ ନିର୍ବାଚନ ହେଲେ ଅଧିକ ମେସିନ୍ ଆବଶ୍ୟକ ବୋଲି କମିଶନ ସରକାରଙ୍କୁ ଜଣାଇଥିଲେ। ଏହାପରେ ସରକାର ଆବଶ୍ୟକ ମୁତାବକ ଟଙ୍କା ମଧ୍ୟ ଦେଇଛନ୍ତି। ନିର୍ବାଚନ ପାଇଁ ଅଧିକ ଇଭିଏମ୍‌ ମେସିନ୍ ଯୋଗାଡ଼ କରାଯାଉଛି। କମିଶନଙ୍କ କାର୍ଯ୍ୟାଳୟରେ ଇଭିଏମ୍‌ ମେସିନ୍ ୨୦୧୮ ସେପ୍ଟେମ୍ବର ସୁଦ୍ଧା ପହଞ୍ଚାଇବା ପାଇଁ କୁହାଯାଇଛି। ଇଭିଏମ୍‌ ମେସିନ୍ ହାତକୁ ଆସିବା ପରେ ସରକାର ଯେବେ ଚାହିଁବେ ନିର୍ବାଚନ ହୋଇପାରିବ।”

 

Comment