ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ ସେପ୍ଟେମ୍ବର ୨୮ରୁ କଟକରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିବା ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ ଆଜି କାଠମାଣ୍ଡୁରେ ପହଞ୍ଚି ଦୁଃସାହସିକତାର ପରିଚୟ ଦେଇଛନ୍ତି।

ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛନ୍ତି ଓଡ଼ିଶାର ଦୁଃସାହସିକ ସାଇକେଲ୍ ଯାତ୍ରୀ। ନେପାଳର ରାଜଧାନୀ କାଠମାଣ୍ଡୁରେ ଆଜି ପହଞ୍ଚି ସାଇକେଲିଂ ଆଣ୍ଡ ଆଡ଼ଭେଞ୍ଚର ଟିମ୍‌ ୮ ଜଣ ସଦସ୍ୟ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ରାସ୍ତାରେ ଯିବା ବେଳେ ବହୁ ପ୍ରତିବନ୍ଧକକୁ ପଛରେ ପକାଇ ଏହି ଟିମ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚି ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୁଣି ଗୌରବାନ୍ବିତ ହୋଇଛି।
ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ଦୁଃସାହସିକ ସାଇକେଲ ଯାତ୍ରା କରିଛନ୍ତି ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ। ୨୮ ତାରିଖରୁ କଟକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା।
କଟକରୁ ଯାତ୍ରା ଆରମ୍ଭ କରିଥିବା ଏହି ସାଇକେଲ୍ ଯାତ୍ରୀ ପ୍ରଥମ ଦିନରେ ଅନୁଗୁଳ ପର୍ଯ୍ୟନ୍ତ ଯାଇଥିଲେ। ୨୯ ତାରିଖରେ ସେମାନେ ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିଲେ।
ସମ୍ବଲପୁରରେ ରାତିରେ ରହିବା ପରେ ୩୦ ତାରିଖ ସକାଳୁ ସେମାନେ ପୁଣି ଯାତ୍ରା ଆରମ୍ଭ କରିଥିଲେ। ଆଉ ଏହି ଯାତ୍ରାରେ ସମ୍ବଲପୁର ଏସ୍‌ପି ଏବଂ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସାମିଲ୍‌ ହୋଇଥିଲେ। ଝାରଶୁଗୁଡ଼ାର ପଶୁପତିନାଥ ମନ୍ଦିର ଦର୍ଶନ କରିବା ସହ ସ୍ଥାନୀୟ ଲୋକେ ସାଇକେଲ୍ ଯାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ସେମାନେ ଛତିଶଗଡ ସୀମାରେ ପ୍ରବେଶ କରିଥିଲେ।
ଟପକେରାରେ ରାତ୍ରିଯାପନ କରିବା ପରେ ୧ ତାରିଖରେ ଅମ୍ବିକାପୁର ଅଭିମୁଖେ ଯାତ୍ରା କରିଥିଲେ। ଖାଲ ଢିପ ରାସ୍ତାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଅମ୍ବିକାପୁରରେ ପହଞ୍ଚିଥିଲେ। ୨ ତାରିଖରେ ଅମ୍ବିକାପୁରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇ ରେଣୁକୂଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୩ ତାରିଖରୁ ଏମାନେ ରେଣୁକୂଟରୁ ବାରାଣାସୀ ଯାତ୍ରା କରିଥିଲେ। ୫ ତାରିଖ ସକାଳୁ ପୁଣି ଆଜମଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଆଜମଗଡ଼ରୁ ଗୋରଖପୁର ଦେଇ ଏମାନେ ୮ ତାରିଖରେ ନେପାଳ ସୀମାରେ ପ୍ରବେଶ କରିଥିଲେ। ଫଳରେ ଆଜି କାଠମାଣ୍ଡୁରେ ଏହି ଟିମ୍‌ ପହଞ୍ଚିଛନ୍ତି।

 

Comment