ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତ ଛାଡ଼ି ପଦ୍ମ ଧରିଛନ୍ତି ଲୁଲୁ ପରିବାର। ଏହାସହ ଲୁଲୁଙ୍କ ସମର୍ଥକ ମଧ୍ୟ ପଦ୍ମ ପୋଖରୀରେ ପ୍ରବେଶ କରିଛନ୍ତି। ଫଳରେ ବ୍ରହ୍ମଗିରିରେ କଂଗ୍ରେସର ଦୁର୍ଗ ପତନ ହେବାକୁ ଯାଉଛି ବୋଲି କୁହାଯାଉଛି। ଲୁଲୁଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଆଗରେ ରଖି ବିଜେପି ବ୍ରହ୍ମଗିରି ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଏହାକୁ ବିଜେଡି ଏବଂ କଂଗ୍ରେସ କିପରି ମୁକାବିଲା କରିବେ ତା’ ଉପରେ ସମସ୍ତଙ୍କ ନଜର।

ପୁରୀ ଜିଲ୍ଲାର ‘ବ୍ରହ୍ମଗିରି’ ହେଉଛି ଏକ ହାଇ-ପ୍ରୋଫାଇଲ୍ ନିର୍ବାଚନମଣ୍ଡଳୀ। ଯେତେବେଳେ ନିର୍ବାଚନ ଋତୁ ଆସେ ସେତେବେଳେ ରାଜନୀତି କରିଡ଼ରରେ ବ୍ରହ୍ମଗିରିକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥାଏ। ହେଲେ ଏବେ ନିର୍ବାଚନ ଋତୁ ନଥିଲେ ମଧ୍ୟ ବ୍ରହ୍ମଗିରି ପୁଣି ଚର୍ଚ୍ଚାର ପରିସରକୁ ଆସିଛି। କଂଗ୍ରେସର ତତ୍କାଳୀନ ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିରେ ସାମିଲ୍‌ ହେବା ପରେ ବ୍ରହ୍ମଗିରି ଆସନ କାହାର ହେବ ତାକୁ ନେଇ ମନ୍ଥନ ଆରମ୍ଭ ହୋଇଛି।
ଦେଶ ସ୍ୱାଧୀନ ହେବା ପରଠାରୁ ୨୦୧୪ ପର୍ଯ୍ୟନ୍ତ ବ୍ରହ୍ମଗିରିରେ ଯେତେ ନିର୍ବାଚନ ହୋଇଛି ସବୁଥିରେ କଂଗ୍ରେସ ଏବଂ ଅଣ କଂଗ୍ରେସ (ବିଜେପି ବ୍ୟତୀତ) ପ୍ରାର୍ଥୀଙ୍କ ମଧ୍ୟରେ ଫାଇଟ୍ ହୋଇଛି। ଆଉ ଅଧିକାଂଶ ସମୟ କଂଗ୍ରେସ ହିଁ ଫାଇଦାରେ ରହିଛି। କେତେବେଳେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ତ ପୁଣି କେତେବେଳେ ଜନତା ଏବଂ ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିଲେ ମଧ୍ୟ ଦଳ ଏଠାରେ ଆଜି ପର୍ଯ୍ୟନ୍ତ ଖାତା ଖୋଲିବାରେ ସମର୍ଥ ହୋଇନି।
ମୋଟାମୋଟି ଭାବେ କହିବାକୁ ଗଲେ ବ୍ରହ୍ମଗିରିରେ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପିର କୌଣସି ବେସ୍‌ ନଥିଲା। ହେଲେ ୨୦୧୪ ନିର୍ବାଚନ ପରେ ଓଡ଼ିଶାର ରାଜନୀତି ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସୁଦୃଢ଼ ରଣନୀତିକୁ ଆଧାର କରି ବିଜେପି ବେସ୍‌ ନଥିବା ନିର୍ବାଚନମଣ୍ଡଳୀରେ ସ୍ଥିତି ମଜଭୁତ କରିବାକୁ ଉଦ୍ୟମ କରୁଛି।
ଏହି କ୍ରମରେ ଏହି ଜାତୀୟ ଦଳର ଫୋକସ୍‌ରେ ପୁରୀ ଜିଲ୍ଲାର ହଟ୍‌ ସିଟ୍‌ ଭାବେ ପରିଚିତ ବ୍ରହ୍ମଗିରି ରହିଛି। ବ୍ରହ୍ମଗିରିର ଟାଣୁଆ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାରକୁ ଦଳରେ ମିଶାଇ ବିଜେପି ବ୍ରହ୍ମଗିରିରେ ପାଦ ରଖିବାକୁ ପ୍ରୟାସ କରିଛି। ତେବେ ଲୁଲୁ ପରିବାର ଏବଂ ତାଙ୍କ ସମର୍ଥକ ପଦ୍ମ ପୋଖରୀରେ ପ୍ରବେଶ କରିବା  ପରେ ବିଜେପିକୁ କେତେ ଫାଇଦା ମିଳିବ ତାକୁନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ଜୋର୍‌ ଧରିଛି।
ବ୍ରହ୍ମଗିରିରେ ଚାଲିଥିଲା ଲୁଲୁଙ୍କ ରାଜୁତି
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଚାଲିଥିଲା ଲୁଲୁଙ୍କ ରାଜୁତି। ଛାତ୍ର ଜୀବନରୁ ଆର ପାରିକୁ ଯିବା ପର୍ଯ୍ୟନ୍ତ ସେ କଂଗ୍ରେସ ସହ ଯୋଡ଼ି ହୋଇ ରହିଥିଲେ। କଂଗ୍ରେସ-ଲୁଲୁ ଏବଂ ଲୁଲୁ-କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହୋଇରହିଥିଲେ। କଂଗ୍ରେସ ଟିକେଟରେ ଲୁଲୁ ୧୯୯୫ରେ ବିଧାୟକ ଭାବେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାରକରି ଅନ୍ୟ ନିର୍ବାଚନମଣ୍ଡଳୀରେ କଂଗ୍ରେସର ତୁଙ୍ଗ ନେତାମାନେ ପରାଜିତ ହୋଇଥିଲେ ମଧ୍ୟ ଲୁଲୁ ୨୦୦୯ ପର୍ଯ୍ୟନ୍ତ ତାଙ୍କ ଗଡ଼ ଜଗି ରହିଥିଲେ। ହେଲେ ୨୦୦୯ରେ ସମୀକରଣ ବଦଳିଥିଲା। ଲୁଲୁଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ବ୍ରହ୍ମଗିରିରେ ନୂଆ ମୁହଁ ଭାବେ ସଞ୍ଜୟ ଦାସବର୍ମାଙ୍କୁ ଗୁରୁତ୍ୱ ଦେଇଥିଲା। ସଞ୍ଜୟଙ୍କ ହାତରେ ରାଜ୍ୟ ଯୁବ ବିଜେଡି ସଙ୍ଗଠନର ଭାର ଅର୍ପଣ କରି ଲୁଲୁଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା ଦଳ। ଫଳରେ ୨୦୦୯ରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିଲା। ଆଉ ଅଳ୍ପ ଭୋଟରେ ହାରି ଯାଇଥିଲେ ଲୁଲୁ।
ତଥାପି ବ୍ରହ୍ମଗିରିରେ ଲୁଲୁଙ୍କ ପତିଆରା କମି ନଥିଲା। ନିଜ ହାତରେ ଯୁବ ସଙ୍ଗଠନର ଚାବିକାଠି ରଖିଥିବାରୁ କଂଗ୍ରେସରେ ଲୁଲୁଙ୍କ ଗୁରୁତ୍ବ ରହିଥିଲା। ୨୦୧୪ ନିର୍ବାଚନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଲୁଲୁ-ଦାସବର୍ମାଙ୍କ ଘମାଘୋଟ ଲଢ଼େଇରେ ବିଜେପି ପ୍ରଭାବଶୂନ୍ୟ ହୋଇଯାଇଥିଲା ବ୍ରହ୍ମଗିରିରେ। କିନ୍ତୁ ଲୁଲୁଙ୍କ ଦେହାନ୍ତ ପରେ ବିଜେପି ବ୍ରହ୍ମଗିରି ଉପରେ ଫୋକସ୍ କରିଛି। ଅକ୍ଟୋବର ୧୪ରେ ଲୁଲୁ ପରିବାରକୁ ଦଳରେ ସାମିଲ୍ କରି ବିଜେପି ମାଷ୍ଟର ଷ୍ଟ୍ରୋକ୍ ଖେଳିଛି। ଲୁଲୁ ପରିବାରକୁ ଆଗରେ ରଖି ବିଜେପି ବ୍ରହ୍ମଗିରି ଆସନ ହାତେଇବା ଲାଗି ଗୋଟି ଚାଳନା କରୁଛି। ତେବେ ବିଜେପିର ଏହି ଗୋଟି ଚାଳନା କେତେଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି, “ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେପି ଫାଇଦାରେ ରହିବ। ନିଶ୍ଚିତ ଭାବେ ଦଳ ଏଠାରେ ଶକ୍ତିଶାଳୀ ହେବ। କାରଣ ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ପରିବାର ଏବଂ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ୍‌ ହୋଇଥିବାରୁ ଆଗାମୀ ନିର୍ବାଚନରେ ବ୍ରହ୍ମଗିରିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ। ବ୍ରହ୍ମଗିରି ବ୍ୟତୀତ ଆମେ ଅନ୍ୟ ନିର୍ବାଚନମଣ୍ଡଳୀରେ ମଧ୍ୟ ସଙ୍ଗଠନ ମଜଭୁତ ପ୍ରକ୍ରିୟା ଜାରି ରଖିଛୁ। ଆଉ ଏଥିରେ ନିଶ୍ଚିତ ଭାବେ ସଫଳ ହେବୁ।”
ଉପାସନା ଧରିବେ ବିଜେପି ମଙ୍ଗ!
ଲୁଲୁ ପରିବାର ବିଜେପିରେ ସାମିଲ୍‌ ହେବା ପରେ ବ୍ରହ୍ମଗିରିରେ ବିଜେଡି ଦୁର୍ଗ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରିବ। ଏଥିପାଇଁ ବିଜେପି ଲୁଲୁଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଯୁବ ନେତୃତ୍ୱ ଭାବେ ଆଗକୁ ଆଣିବ ବୋଲି ଚର୍ଚ୍ଚା ହେଉଛି। କାରଣ ଲୁଲୁଙ୍କ ପ୍ରତି ରହିଥିବା ସମବେଦନା କେବଳ ଉପାସନା ହିଁ ପାଇପାରିବେ ବୋଲି ବିଜେପି ନେତାମାନେ ଆଶାବାଦୀ ଅଛନ୍ତି। ଲୁଲୁଙ୍କୁ ଅତି ନିକଟରୁ ଦେଖିଛନ୍ତି ଉପାସନା। ନିର୍ବାଚନରେ ବାପାଙ୍କ ଗୋଟି ଚାଳନାକୁ ବି ପରଖିଛନ୍ତି ସେ। ଏଣୁ ୨୦୧୯ରେ ଉପାସନାଙ୍କୁ ଆଗକୁ ଛାଡ଼ି ବ୍ରହ୍ମଗିରି ଦଖଲ କରିବାକୁ ବିଜେପିର ତୁଙ୍ଗ ନେତାମାନେ ଅଙ୍କ କଷୁଛନ୍ତି। ବ୍ରହ୍ମଗିରିରେ ଲୁଲୁ ପରିବାର ଭିତରୁ କିଏ ପ୍ରାର୍ଥୀ ହେବେ ତାହା ତ ଭିନ୍ନ କଥା। ହେଲେ ଉପାସନା ହିଁ ବ୍ରହ୍ମଗିରିରେ ବିଜେପିର ଆଇକନ୍‌ ସାଜିବେ ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି। ଉପାସନାଙ୍କୁ ଆଗରେ ରଖି ବିଜେପି କଂଗ୍ରେସ ଭୋଟ ବିଭାଜିତ କରି ନିର୍ବାଚନ ବୈତରଣୀ ପାର୍ ହେବ ବୋଲି ଆଶା ରଖିଛି।
କଂଗ୍ରେସ ମୁଖପାତ୍ର ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି, “ବ୍ରହ୍ମଗିରି ହେଉଛି କଂଗ୍ରେସର ଦୁର୍ଗ। ଲୁଲୁ ମହାପାତ୍ର ୧୯୯୫ରୁ ବ୍ରହ୍ମଗିରିରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରି ଆସିଛନ୍ତି। ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ କଂଗ୍ରେସ ସହ ରହିଥିଲେ। ହେଲେ ତାଙ୍କ ପରିବାର ଯେଉଁ ନିଷ୍ପତ୍ତି ନେଇ ବିଜେପିରେ ସାମିଲ୍‌ ହୋଇଛନ୍ତି ତାହା ତାଙ୍କ ପାଇଁ କ୍ଷତି ହୋଇପାରେ। କାରଣ କଂଗ୍ରେସର ବହୁ ବରିଷ୍ଠ ନେତା ଏବେ ବି ବ୍ରହ୍ମଗିରିରେ ଅଛନ୍ତି। ସେମାନେ ଦଳ ଛାଡ଼ିନାହାନ୍ତି। ଲୁଲୁ ପରିବାର ସହ ଯେଉଁମାନେ ସମ୍ପର୍କରେ ଥିଲେ ସେମାନେ ଦଳ ଛାଡ଼ିଛନ୍ତି। ଏଣୁ କଂଗ୍ରେସ ପାଇଁ କିଛି ଫରକ ପଡ଼ିବ ନାହିଁ।”

Comment