ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳ ଭିତରୁ ଅସହଯୋଗ ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ୟୁ-ଟର୍ଣ୍ଣ ମାରିଛନ୍ତି। କଥା ବଦଳାଇ କହିଛନ୍ତି ‘ମୋ କଥାକୁ ଅନର୍ଥ’ କରାଯାଇଛି।
‘ବିଜେପି ହେଉଛି ଶତ୍ରୁ କଂଗ୍ରେସ ନୁହେଁ’ କହି ବିବାଦରେ ଥିବା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ୟୁ-ଟର୍ଣ୍ଣ ମାରିଛନ୍ତି। ଦଳ ଭିତରୁ ତାଙ୍କୁ ସହଯୋଗ ନମିଳିବାରୁ ସେ ତାଙ୍କ କଥା ବଦଳାଇଛନ୍ତି। କହିଛନ୍ତି ମୋ କଥାକୁ ଅନର୍ଥ କରାଯାଇଛି। ବିନା ମେଣ୍ଟରେ ଏକାକୀ ନିର୍ବାଚନ ଲଢ଼ିବାର ସାମର୍ଥ୍ୟ ବିଜେଡି ପାଖରେ ରହିଛି ବୋଲି ସେ କହିଛନ୍ତି।
ଡାକ୍ତର ରାଉତ ଆହୁରି କହିଛନ୍ତି ଯେ, “ଓଡ଼ିଶାକୁ ସବୁବେଳେ କେନ୍ଦ୍ର ନେତୃତ୍ୱ ଅବହେଳା କରିବାରୁ ବିଜୁ ପଟ୍ଟନାୟକ ଆଞ୍ଚଳିକ ଦଳ ଗଢ଼ିଲେ। ବିଜୁବାବୁ ଯେଉଁ ମୂଳଦୁଆ ପକାଇଥିଲେ ସେଥିରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ପ୍ରାସାଦ ତିଆରି କରିଚାଲିଛନ୍ତି। ତେବେ ବିଜେପି ସରକାର ଗତ ୩ ବର୍ଷ ହେଲା ଯେଉଁ କାର୍ଯ୍ୟକଳାପ କରୁଛନ୍ତି ସେଥିରେ ଭାରତୀୟ ଅଖଣ୍ଡତା ଉପରେ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଣୁ ଗୁଜୁରାଟରେ ଯେପରି ଅଣବିଜେପି ଶକ୍ତି ଏକାଠି ହୋଇଛନ୍ତି ସେପରି ଓଡ଼ିଶାରେ ହେବା ଦରକାର।“
ସୋମବାର ଡାକ୍ତର ରାଉତ କଂଗ୍ରେସ ସହ ମେଣ୍ଟ କରିବାକୁ ଆହ୍ୱାନ ଦେଇ ଚର୍ଚ୍ଚାରେ ରହିଥିଲେ। ହେଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ସାଂସଦ କଳିକେଶ ସିଂଦେଓ ଏଥିରେ ଏକମତ ହୋଇ ନଥିଲେ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟରରେ ଦାମଙ୍କ ମନ୍ତବ୍ୟକୁ କଟାକ୍ଷ କରିଥିଲେ। ବିଜେଡି ବରିଷ୍ଠ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଦାମଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ବୋଲି କହିଛନ୍ତି।
ଦଳ ଭିତରୁ ଏଭଳି ଅସହଯୋଗ ଆସିବା ପରେ ଦାମ ୟୁ-ଟର୍ଣ୍ଣ ମାରିଥିବା କୁହାଯାଉଛି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ ଦାମ ଏଭଳି ମନ୍ତବ୍ୟ ଦେବାରେ ହେଉଛନ୍ତି ଦ୍ୱିତୀୟ ନେତା। ଗତବର୍ଷ ନଭେମ୍ବର ମାସରେ କଂଗ୍ରେସ ଅଛୁଆଁ ନୁହେଁ ବୋଲି କହି ଅଡ଼ୁଆରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜବାବ ମାଗିଥିଲେ। ଏହି ମନ୍ତବ୍ୟର ୧୦ ମାସ ପରେ ପୁଣି ଦାମ କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିକୁ ସରଗରମ୍ କରିଛନ୍ତି।