ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟରେ ବିଜେପି କରୁଛି ସଂଘର୍ଷ। ୩ ବର୍ଷ ତଳର ମୋଦି ଲହର ଆଉ କାମ କରୁନି। ଫଳରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ୫୦ରୁ ଅଧିକ ରାଲିରେ ସାମିଲ୍‌ ହେବେ।

‘୨୦୧୪ ଭଳି ଆଉ ମୋଦି ମ୍ୟାଜିକ୍ ନାହିଁ। ଏଣୁ ବିଜେପି ଗୁଜୁରାଟରେ ସଂଘର୍ଷ କରୁଛି। ଗୁଜୁରାଟ ନିର୍ବାଚନ ବୈତରଣୀ ପାର୍ ହେବାକୁ ହେଲେ ବିଜେପିକୁ କଠିନ ପରିଶ୍ରମ କରିବାକୁ ପଡିବ’- ଏହା କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।
ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ହେଉଛି ଶିବସେନା।ହେଲେ ଶିବସେନା ସାଂସଦଙ୍କ ଏଭଳି ବୟାନ ଏବେ ବିଜେପି ଶିବିରରେ ଭାଳେଣି ପକାଇଛି।
ସଞ୍ଜୟ ରାଉତ କହିଛନ୍ତି ଯେ, ଦେଶରେ କିଛି ପରିବର୍ତ୍ତନ ଆସିବ ବୋଲି ଲୋକେ ବିଶ୍ବାସ କରିଥିଲେ। ଏଥିପାଇଁ ଭୋଟର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। କିନ୍ତୁ ଏବେ ସମୟ ବଦଳି ଯାଇଛି। ୩ ବର୍ଷ ତଳର ମୋଦି ହାଓ୍ବା ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘର ଗୁଜୁରାଟରେ ହୋଇଥିଲେ ମଧ୍ୟ ବିଜେପିକୁ ଏଠାରେ ସଂଘର୍ଷ କରିବାକୁ ପଡ଼ୁଛି।
ଏପଟେ ୫୦ରୁ ୬୦ଟି ରାଲି କରିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଗୁଜୁରାଟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି। ତୃଣମୂଳ ସ୍ତରର କର୍ମକର୍ତ୍ତା ଜାଣି ସାରିଲେଣି ଯେ, ୨୦୧୪ର ହାୱା ଆଉ ନାହିଁ।
ଗୁଜୁରାଟରେ ବିଜେପି ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପଟିଆଲା, ପଛୁଆବର୍ଗ ଏବଂ ଦଳିତ ସମ୍ପ୍ରଦାୟର ୩ ଯୁବନେତା କଂଗ୍ରେସ ସହ ହାତ ମିଳାଇଥିବାରୁ ବିଜେପି ପାଇଁ ଗୁଜୁରାଟ ଚାଲେଞ୍ଜ ହୋଇଛି। ଏଣୁ ମୋଦିଙ୍କ ଚେହେରା ଦେଖାଇ ବିଜେପି  ଭୋଟ ନେବାକୁ ଯୋଜନା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମୋଦି ଗୁଜୁରାଟରେ ୫୦ରୁ ୬୦ଟି ରାଲି କରିବେ। ନଭେମ୍ବର ୧୦ ତାରିଖ ପରେ ମୋଦି ଦକ୍ଷିଣ-ଗୁଜୁରାଟ, କଚ୍ଚ, ସୌରାଷ୍ଟ୍ର, ମଧ୍ୟ-ଗୁଜୁରାଟରେ ରାଲି କରିବେ। ଏହାସହ ୩ଟି ସାଧାରଣ ସଭାରେ ଉଦବୋଧନ ଦେବେ। ସୋସିଆଲ ମିଡିଆରେ ମଧ୍ୟ ମୋଦି ଉଦବୋଧନ ଦେଇ ଯୁବପିଢ଼ିଙ୍କ ନିକଟତର ହେବାକୁ ଯୋଜନା ରଖିଛନ୍ତି। ଚଳିତ ବର୍ଷ ମୋଦି ୧୦ରୁ ଅଧିକ ଥର ଗୁଜୁରାଟ ଗସ୍ତ କରିଛନ୍ତି। ଏଣୁ ବିଜେପି ଗୁଜୁରାଟରେ ସଂଘର୍ଷ କରୁଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here