ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୬୧ ଧାରରେ ବୟାନ ରେକର୍ଡ ପରେ ଗୋଲକଙ୍କୁ ଛାଡ଼ିଲା ପୋଲିସ
  • ୪୦ ଜଣିଆ ଟିମ୍‌କୁ ନେଇ ଛତ୍ରପୁରରେ ହାଜର ହୋଇଥିଲେ ଗୋଲକ
  • ଗୋଲକଙ୍କ ଗିରଫ ଦାବିରେ ବିଜେଡିର ପୁଣି ବିକ୍ଷୋଭ

ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଜେରା କରିଛି ଛତ୍ରପୁର ପୋଲିସ। କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗୋଲକଙ୍କୁ ପଚରାଉଚରା କରିଛି ପୋଲିସ। ୧୬୧ ଧାରାରେ ପୋଲିସ ବୟାନ ରେକର୍ଡ଼ କରି ଗୋଲକଙ୍କୁ ଛାଡ଼ି ଦେଇଛି। ଗୋଲକଙ୍କୁ ଜେରା କରିବା ପାଇଁ ଛତ୍ରପୁର ପୋଲିସ ମଙ୍ଗଳବାର ନୋଟିସ ଜାରି କରିଥିଲା।

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି ଗିରଫ ହେବା ପରେ ଗଞ୍ଜାମ ଏସ୍‌ପି ଏକ କଲ୍‌ ରେକର୍ଡ ଜାରି କରିଥିଲେ। ଏହି ରେକର୍ଡରେ ଅଭିଯୁକ୍ତ କୃଷ୍ଣ ଗୋଲକଙ୍କ ନାଁ ଧରିଥିଲା। ଫଳରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବିବାଦୀୟ ହୋଇପଡ଼ିଥିଲେ।

ଛତ୍ରପୁର ପୋଲିସର ନୋଟିସ ପାଇବା ପରେ ଗୋଲକ ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ୪୦ ଜଣିଆ ଟିମ୍‌କୁ ନେଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ସେଠାରେ ବହୁ ବିଜେପି କର୍ମୀ ମଧ୍ୟ ଗୋଲକଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଛତ୍ରପୁର ବିଜେଡି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଲକଙ୍କୁ ଗିରଫ କରିବା ପାଇଁ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ଦାବି କରିଛନ୍ତି।

ବିଜେଡିର ବିକ୍ଷୋଭକୁ ବିଜେପି ନିନ୍ଦା କରିଛି। ଗୋଲକ ଥାନାକୁ ଯିବା ବେଳେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବାର ମାନେ କଣ ବୋଲି ବିଜେପି ଉପ-ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୋଲକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଶାସକ ବିଜେଡି ଏହାକୁନେଇ ବିଜେପିକୁ ଆକ୍ରମଣ କରି ଚାଲିଛି। ଏପଟେ ବିଜେପି ସିଧାସଳଖ ଗଞ୍ଜାମ ଏସ୍‌ପିଙ୍କୁ ଟାର୍ଗଟେ କରିଛି। ଗଞ୍ଜାମ ଏସ୍‌ପି ଏହାକୁନେଇ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ରାଜ୍ୟପାଳ ଏବଂ ପୋଲିସ ଡିଜିଙ୍କୁ ସ୍ମାରକପତ୍ର ଦେଇଛି।

LEAVE A REPLY

Please enter your comment!
Please enter your name here