ଓଡ଼ିଶାଲାଇଭ୍‌ ବ୍ୟୁରୋ


୧୧ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ପାଳନ କରିବାକୁ ଯାଉଛି ୧୩ତମ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଦେବେ ଉଦ୍‌ବୋଧନ। ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିସିନ୍ ଏବଂ ସାଇକୋଲୋଜିରେ ନୋବେଲ ବିଜେତା ପ୍ରଫେସର ଡକ୍ଟର ହାରଲ୍ଡ ଜୁର ହୁସେନ୍‌ ଯୋଗଦେବେ।

ଏହି ସମାବର୍ତ୍ତନ ଉତ୍ସବରେ କିଟ୍‌ର ୨୦୧୬-୧୭ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ପ୍ରଫେସର ହାରାଲ୍ଡ ଜୁର୍‌ ହୁସେନ୍‌ଙ୍କୁ ମଧ୍ୟ ସମ୍ମାନଜନକ ଡିଗ୍ରୀ ଡି ଏସ୍‌ସି ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣଙ୍କୁ ସମ୍ମାନଜନକ ଡି ଲିଟ୍‌ ସମ୍ମାନ ପ୍ରଦାନ କରାଯିବ। ସିମ୍ପ୍ଲେକ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡର ଚେୟାରମ୍ୟାନ ଡକ୍ଟର ବିଥଲ ଦାସ, ଭରତିଆ ଚାରିଟେବୁଲ ଟ୍ରଷ୍ଟ ଚେୟାରମ୍ୟାନ୍‌ କ୍ରିଶନଲାଲ ଅଗ୍ରଓ୍ବାଲ ଏବଂ ଶିଳ୍ପୀ ପଦ୍ମବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ରଙ୍କୁ ଡି ଲିଟ୍‌ ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରଦାନ କରାଯିବ।

ପ୍ରତିବର୍ଷ ସମାବର୍ତ୍ତନ ଉତ୍ସବରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଦ୍ୟୁମ୍ନ ବଳ ଗୋଲ୍ଡ ମେଡାଲ, ପିପିଏଲ୍‌ ଗୋଲ୍ଡ ମେଡାଲ, ନନିବାଳା ମୋମୋରିଆଲ୍ ଗୋଲ୍ଡ ମେଡାଲ, ଫାଉଣ୍ଡର୍ସ ଗୋଲ୍ଡ ମେଡାଲ, ଚାନ୍ସେଲର୍ସ ଗୋଲ୍ଡ ମେଡାଲ ଏବଂ ଭିସି ସିଲ୍‌ଭର୍‌ ମେଡାଲ ପ୍ରଦାନ କରାଯାଇ ଆସୁଛି।

 

Comment