ଓଡ଼ିଶାଲାଇଭ୍ ବ୍ୟୁରୋ
ଏଟି ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଭାତ- ହାତ ଛାଡ଼ି ଦେଇଥିଲା ବିଜେଡି
- ଜାମିନ୍ ପରେ ବି ଉଠି ନଥିଲା ନିଲମ୍ବନ
- ପ୍ରଭାତ କହିଲେ, ଦଳରେ ଥିଲି ରହିବି
ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଟି ଚିଟ୍ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
୨୦୧୪ ଅକ୍ଟୋବର ୩୦ରେ ପ୍ରଭାତ ଗିରଫ ହୋଇଥିଲେ। ଗିରଫ ହେବାର ଅଳ୍ପ ସମୟ ମଧ୍ୟରେ ପ୍ରଭାତଙ୍କ ହାତ ଛାଡ଼ି ଦେଇଥିଲା ଦଳ। ପ୍ରଭାତ ୫ ମାସ କାଳ ଝାରପଡ଼ା ଜେଲରେ ରହିବା ପରେ ୨୦୧୪ ମାର୍ଚ୍ଚରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇଥିଲେ। ହେଲେ ଏହି ଜାମିନ୍କୁ ସିବିଆଇ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା। ତେବେ ଗତ ୬ ତାରିଖରେ ସୁପ୍ରିମକୋର୍ଟରେ ସିବିଆଇ କରିଥିବା ଚାଲେଞ୍ଜ ଖାରଜ ହୋଇଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଥିଲା।
ପ୍ରଭାତ ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିଲେ। ନିଜ ନିର୍ବାଚନମଣ୍ଡଳୀ ବାଙ୍କୀରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଭାତ ଦଳ ପାଇଁ କାମ କରୁଥିବା ଦେଖିବାକୁ ମିଳିଥିଲା।
ପ୍ରଭାତ ତ୍ରିପାଠୀ କହିଛନ୍ତି, “ମୋତେ ଦଳରୁ ନିଲମ୍ବନ କରାଯାଇଥିଲା ସତ, ହେଲେ ମୁଁ ଦଳରୁ ଦୂରେଇ ଯାଇନଥିଲି। ଦଳ ସହ ସବୁବେଳେ ରହିଥିଲି। ନିଲମ୍ବନ ହେବା ପରେ ଦଳ ପାଇଁ କାମ କରୁଥିଲି ଏବଂ ଆଗକୁ ବି କାମ କରିବି।”


















