ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫସଲହାନିକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାର ୨୪ ଘଣ୍ଟା ଭିତରେ ରାଜ୍ୟ କୃଷିମନ୍ତ୍ରୀ ଦେଇଛନ୍ତି ଜବାବ। କେନ୍ଦ୍ର ସରକାର ଦେଢ଼ଶୂର-ଭାଇବୋହୂ ଭଳି ଆଚରଣ ନକରି ଓଡ଼ିଶା ଆସି ଆଲୋଚନା କରିବାକୁ ଦାମ କହିଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଓଡ଼ିଶାର ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶା ସରକାରଙ୍କ ସହ ଆଲୋଚନା ନକରି ଦିଲ୍ଲୀରେ ବସି ଗଣମାଧ୍ୟମରେ ବୟାନବାଜି କରିବାକୁ ଦାମ ନାପସନ୍ଦ କରିଛନ୍ତି। ଓଡ଼ିଶା ସମସ୍ୟା ଦିଲ୍ଲୀରେ ଆଲୋଚନା କରିବା ପ୍ରସଙ୍ଗକୁ ଦାମ ଦେଢ଼ଶୂର-ଭାଇବୋହୁ ଆଖ୍ୟା ଦେଇଛନ୍ତି।

କେନ୍ଦ୍ର ସରକାର ଦେଢ଼ଶୂର-ଭାଇବୋହୂ ଆଚରଣ ନକରି ଏବଂ ସଉତୁଣୀ ପରି କଜିଆ ନକରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଦାମ କହିଛନ୍ତି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ର କୃଷିମନ୍ତ୍ରୀ ଦିଲ୍ଲୀରେ ନବସି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିମ୍ବା କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିବା କଥା। ସେହିପରି ଧର୍ମନ୍ଦ୍ରେଙ୍କ ଘର ଓଡ଼ିଶାରେ। ଓଡ଼ିଶା ସମସ୍ୟା ସେ ଓଡ଼ିଶାରେ ଆଲୋଚନା କରନ୍ତୁ। ଚାଷୀଙ୍କ ସମସ୍ୟା ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଅଛନ୍ତି ଏବଂ ଆମେ ଆମ କର୍ତ୍ତବ୍ୟ କରୁଛୁ।”

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଶୁକ୍ରବାର ଦିଲ୍ଲୀରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଥିଲେ। ରୋଗ ପୋକ ଏବଂ ଫସଲହାନିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ରାଧାମୋହନ ସିଂହ କହିଥିଲେ, ରୋକ ପୋକ ଲାଗିବା ନେଇ ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କ କରିଥିଲା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର। ଏନେଇ ଅକ୍ଟୋବର ୪ ଓ ୫ ତାରିଖରେ ଆଡଭାଇଜରି କମିଟି ବୈଠକ ବସିଥିଲା। ହେଲେ ରାଜ୍ୟ ସରକାର ଏହାକୁ ଶୁଣିଲେ ନାହିଁ। ଫଳରେ ଓଡ଼ିଶାରେ ଆଜି ଏଭଳି ଅବସ୍ଥା ଦେଖାଦେଇଥିଲା।

ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍‌ରେ ଓଡ଼ିଶାକୁ କେନ୍ଦ୍ର ୫୩ କୋଟି ଟଙ୍କା ଦେଇଛି। ହେଲେ ଓଡ଼ିଶା ସରକାର ୫୩ କୋଟିରୁ ମାତ୍ର ୧.୯୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କହି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ କେନ୍ଦ୍ର କୃଷିମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here