ଓଡ଼ିଶାଲାଇଭ୍ ବ୍ୟୁରୋ

- ‘ବିଜେପିରେ ତ୍ୟାଗ ତପସ୍ୟାର କିଛି ମୂଲ୍ୟ ନାହିଁ’
- ‘ଆଜିଠାରୁ ବିଜେଡିର ସଦସ୍ୟ ହେଲି’
- ‘ନବୀନଙ୍କ ଆଦର୍ଶରେ କାମ କରିବି’
- ‘ବିଜେପିକୁ କେବେ ଟିକେଟ ମାଗିନାହିଁ’
- ‘ମୁଁ ଚାଷୀ ପରିବାରର ମଣିଷ’
ଓଡ଼ିଶାରେ ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ନିଜ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ଘଟଣାର ବଡ଼ ପ୍ରଭାବ ବିଜେପୁର ଉପ-ନିର୍ବାଚନ ଉପରେ ପଡ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ମଙ୍ଗଳବାର ଦିନ ସକାଳେ ନାରାୟଣ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେଠାରେ କିଛି ସମୟ ପାଇ~ମ ନବୀନଙ୍କ ସହ ଆଲୋଚନା କରିଥିଲେ। ନବୀନ ନିବାସ ବାହାରେ ଏହି ସମୟରେ ମିଡିଆର ଜବରଦସ୍ତ ଭିଡ଼ ଦେଖିବାକୁ ମିଳିଥିଲା।
ନବୀନ ନିବାସରୁ ବାହାରି ନାରାୟଣ ଆଜି ଗଣମାଧ୍ୟମ ଆଗରେ ନିଜ ମନକଥା ଖୋଲି କହିଥିଲେ। ଏହି ସମୟରେ ସେ ବିଜେପି ଉପରେ ବର୍ଷିଥିଲେ।
ନାରାୟଣ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିରେ ଆଦର୍ଶ ବୋଲି କିଛି ନାହିଁ। ସେଠି ତ୍ୟାଗ ଓ ତପସ୍ୟାର କିଛି ମୂଲ୍ୟ ନାହିଁ।
୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବେ ରହିଥିଲେ ନାରାୟଣ ସାହୁ। ତେବେ ଦଳରେ ଭଲ କାମ ପାଇଁ ପିଠି ଥାପୁଡ଼ା କି ପ୍ରଶଂସା ନାହିଁ ବୋଲି କହି ସେ ଗଣମାଧ୍ୟମ ଆଗରେ କ୍ଷୋଭପ୍ରକାଶ କରିଛନ୍ତି।
ଆଜି ଗଣମାଧ୍ୟମ ପ୍ରତିନିଧିମାନେ ନାରାୟଣ ସାହୁଙ୍କୁ ପ୍ରଶ୍ନ କରିଥିଲେ ଯେ ଟିକେଟ୍ ନ ମିଳିବାରୁ ଆପଣ ଦଳ ଛାଡ଼ୁଛନ୍ତି କି? ଏହାର ଉତ୍ତରରେ ନାରାୟଣ କହିଥିଲେ, “୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ କାମ କରିଆସୁଛି। କିନ୍ତୁ ଦଳରେ ଭଲ କାମ କରୁଥିବା ଲୋକଙ୍କ ପାଇଁ ସ୍ଥାନ ନାହିଁ। ମୁଁ କେବେ କାହାକୁ ଟିକେଟ୍ ମାଗିନାହିଁ”, ଦଳର କାର୍ଯ୍ୟଶୈଳୀ ତାଙ୍କର ପସନ୍ଦ ହେଲା ନାହିଁ ବୋଲି ଅତି ସ୍ପଷ୍ଟ ଭାବରେ କହିଛନ୍ତି।
“୧୯୯୦ ମସିହାରେ ବିଜୁ ବାବୁ ମୋତେ ଟିକେଟ ଯାଚିଥିଲେ। ୧୯୭୭ ମସିହାରୁ ମୁଁ ବିଭିନ୍ନ ପଦପଦବୀରେ ରହିଆସିଛି।”, ବିଜୁ ପରିବାର ସହ ନିଜ ସମ୍ପର୍କକୁ ଯୋଡ଼ିବାକୁ ଯାଇ ଏକଥା କହିଛନ୍ତି ନାରାୟଣ ସାହୁ। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଯେଉଁ ଢାଞ୍ଚାରେ କାର୍ଯ୍ୟକ୍ରମ ଚାଲିଛି, ସେ ତାହା ପସନ୍ଦ କରନ୍ତି ଓ ଆଗାମୀ ଦିନରେ ସେ ନବୀନଙ୍କ ଆଦର୍ଶରେ ବିଜେଡି ପାଇଁ କାମ କରିବେ ବୋଲି ନାରାୟଣ କହିଛନ୍ତି।
ଆଗାମୀ ଡିସେମ୍ବର ୩ ତାରିଖରେ ନାରାୟଣ ସର୍ବସାଧାରଣଙ୍କ ସମ୍ମୁଖରେ ବିଧିବଦ୍ଧ ଭାବେ ବରଗଡ଼ରେ ବିଜେଡି ସହ ମିଶିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
“ମୁଁ ଜଣେ ଚାଷୀ ପରିବାରର ଲୋକ। କିନ୍ତୁ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କିଛି କରୁନାହାନ୍ତି। ସ୍ୱାମୀନାଥନ କମିଟି ସୁପାରିଶ ଏପର୍ଯ୍ୟନ୍ତ ଲାଗୁ ହେଲା ନାହିଁ। ଫଳରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ସରକାର ୩ ବର୍ଷ ପୂରଣ କଲେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆବଶ୍ୟକତା ଅନୁଯାୟୀ ବଢିପାରିଲା ନାହିଁ। ବିଜେପି ଦେଶରେ ଚାଷୀମାନଙ୍କ ଆଶାପୂରଣରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିଜେପୁର ଉପ-ନିର୍ବାଚନରେ ସେ ଏବେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି ମିଡିଆକୁ କହିଛନ୍ତି।
ନାରାୟଣଙ୍କୁ ସ୍ୱାଗତ କଲେ ସୁଶାନ୍ତ
ପଦ୍ମ ଛାଡ଼ି ନାରାୟଣ ହାତରେ ଶଙ୍ଖ ଧରିବାକୁ ନେଇ ବିଜେଡିରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡିର ବରଗଡ଼ ଜିଲ୍ଲାରୁ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ନାରାୟଣ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବାକୁ ଚାହିଁଲେ। ତେଣୁ ଦଳ ତାଙ୍କୁ ସ୍ୱାଗତ କରିଛି।
“ନାରାୟଣ ସାହୁଙ୍କ ସହ ତାଙ୍କର ଅନେକ ସମର୍ଥକ ଅଛନ୍ତି। ସେମାନେ ମଧ୍ୟ ଆଗାମୀ ଦିନରେ ଯୋଗଦେଇପାରନ୍ତି”, କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ।
ବିଜେପି ଛାଡ଼ି ନାରାୟଣ ଶଙ୍ଖ ଦଳରେ ଯୋଗଦେବାକୁ ନେଇ ମିଡିଆରେ ପ୍ରତିକ୍ରିୟା ଦେଲାବେଳେ ସୁଶାନ୍ତ କହିଛନ୍ତି ଯେ ବିଜେପୁର ଉପ-ନିର୍ବାଚନରେ ତାଙ୍କ ଦଳ ପାଇଁ ପଥ ପରିଷ୍କାର ରହିଛି। ବିଜେଡି ପାଇଁ ସେଠାରେ ପ୍ରବଳ ଜନସମର୍ଥନ ରହିଛି। ନାରାୟଣ ସାହୁଙ୍କ ଯୋଗଦାନ ଏହାକୁ ଅଧିକ ସଫଳ କରିବ ବୋଲି ସେ କହିଛନ୍ତି।
ବସନ୍ତ କହିଲେ “ଇସ୍ତଫା ପତ୍ର ମିଳିନି”
ବରଗଡ଼ ଜିଲ୍ଲା ବିଜେପି ମୁଖିଆ ନାରାୟଣ ସାହୁ ବିଧିବଦ୍ଧ ଭାବେ ତାଙ୍କ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ତେବେ ତାଙ୍କର ଏହି କଥା ଉପରେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟ ମୁଖିଆ ବସନ୍ତ ପଣ୍ଡା।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ପାଖରେ ନାରାୟଣଙ୍କ ଇସ୍ତଫାପତ୍ର ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ଦୁଇଦିନ ତଳେ ନାରାୟଣଙ୍କ ସହ ତାଙ୍କର ଭେଟଘାଟ ହୋଇଥିଲା। ହେଲେ ନାରାୟଣ ଦଳ ଛାଡ଼ିବା ସମ୍ପର୍କରେ ତାଙ୍କ ସହ କୌଣସି ଆଲୋଚନା କରିନାହାନ୍ତି।
ବସନ୍ତ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ବ୍ୟକ୍ତିଠାରୁ ଉର୍ଦ୍ଧ୍ୱରେ ଥିବା ଏକ ରାଜନୈତିକ ସଂଗଠନ। ଏହା ନିର୍ଦ୍ଦିଷ୍ଟ ବିଚାରଧାରା ଉପରେ ପରିଚାଳିତ। ଦଳରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ ବରିଷ୍ଠତା ଓ ପଦପଦବୀ ଭିତ୍ତିରେ ସମ୍ମାନ ଦିଆଯାଏ। ବରଗଡ଼ ବିଜେପି ସଭାପତି ନାରାୟଣ ସାହୁଙ୍କୁ ଦଳ ଅଣଦେଖା କରିବା ବା ତାଙ୍କୁ କଣଠେସା କରିବା ଭଳି କୌଣସି କାରଣ ନାହିଁ ବୋଲି ସଭାପତି ବସନ୍ତ ପଣ୍ଡା ସ୍ପଷ୍ଟ ଭାବେ କହିଛନ୍ତି।
ତେବେ ବିରୋଧୀଙ୍କ ଚକ୍ରାନ୍ତର ବଶବର୍ତ୍ତୀ ହୋଇ ନାରାୟଣ ଦଳ ଛାଡ଼ିଥାଇପାରନ୍ତି ବୋଲି ସେ କହିଛନ୍ତି।


















