ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁ ମୁହାଁ ହୋଇଛି ବିଜୁ ଜନତା ଦଳ। ତୃଣମୂଳ ସ୍ତରର ଯୁବ-ଛାତ୍ରଙ୍କୁ ଏକାଠି କରି ଶକ୍ତି ପ୍ରଦର୍ଶନ କରୁଛି ଶାସକ ଦଳ। ଏନେଇ ବିଜେଡି ଯୁବ-ଛାତ୍ର ସଙ୍ଗଠନ ପକ୍ଷରୁ ନଭେମ୍ବର ୧୮ରୁ ଆରମ୍ଭ ହୋଇଛି ସମ୍ପର୍କ ଯାତ୍ରା।

ନବରଙ୍ଗପୁର ଜିଲ୍ଲା ଝରିଗାଁରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଯାତ୍ରା ୧୪୭ଟି ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ। ଏଥିପାଇଁ ଯୁବ ଏବଂ ଛାତ୍ର ବିଜେଡିର ଆଗ ଧାଡ଼ିର ନେତା ଗାଁରେ ଡେରା ପକାଇଛନ୍ତି। ଇତିମଧ୍ୟରେ ନବରଙ୍ଗୁପର ଜିଲ୍ଲାର ଉମରକୋଟ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଯୁବ-ଛାତ୍ର ସମ୍ପର୍କ ଶିବିର ଶେଷ ହୋଇଛି।

୨୦୧୪ ସାଧାରଣ ନିର୍ବାଚନକୁ ପୁରିଲାଣି ୩ ବର୍ଷ। ଆଉ ଦେଢ଼ ବର୍ଷ ପରେ ପୁଣି ଏକ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିବ। ଆଉ ଏହି ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଗାଁ ଗାଁରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାକୁ ପହଞ୍ଚାଇବା ପାଇଁ ଯୁବ ଓ ଛାତ୍ର ବିଜେଡି ତରଫରୁ ଆରମ୍ଭ ହୋଇଛି ପ୍ରୟାସ।

ଯୁବ-ଛାତ୍ରଙ୍କୁ କାହିଁକି ଗୁରୁତ୍ବ

୨୦୧୯ ସାଧାରଣ ନିର୍ବାଚନ ପାରି ହେବା ପାଇଁ ବିଜେଡି ଯୁବକ ଏବଂ ଛାତ୍ରଙ୍କୁ ଅସ୍ତ୍ର କରିଛି। କାରଣ ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ଭୋଟର ଯୁବକ ହୋଇଥିବାରୁ ଏହି ଭୋଟ ଉପରେ ସବୁ ଦଳର ନଜର ରହିଛି। ସବୁଠୁ ବଡ଼ କଥା ହେଉଛି ୨୦୧୪ ନିର୍ବାଚନ ପରେ ରାଜନୀତିର ଗଣିତ ବଦଳି ଯାଇଛି। ଯୁବ ଭୋଟରଙ୍କ ଉପରେ ପ୍ରଭାବ ବିସ୍ତାର କରି ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଧାନମନ୍ତ୍ରୀ ସିଂହାସନ ଆରୋହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯୁବକଙ୍କୁ ଅଗ୍ରାଧିକାର ଦେଉଛନ୍ତି। ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ମାଧ୍ୟମରେ ମୋଦି ଯୁବକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଏହାସହ ତାଙ୍କ ଭାଷଣ ମଧ୍ୟ ଯୁବକଙ୍କ ମନରେ ଏକ ଆବେଗ ସୃଷ୍ଟି କରୁଛି। ଏହାକୁ ଆଧାର କରି ମୋଦି କଂଗ୍ରେସର ଯୁବ ପ୍ରତୀକ ରାହୁଲ ଗାନ୍ଧିଙ୍କୁ ମାତ୍‌ ଦେଇଥିଲେ।

ଯଦିଓ ମୋଦିଙ୍କ ପ୍ରଭାବ ଓଡ଼ିଶାରେ ଏପର୍ଯ୍ୟନ୍ତ ପଡ଼ିନି, ହେଲେ ଏହାକୁ ଅଣଦେଖା କରିପାରୁନି ଶାସକ ବିଜେଡି। ମୋଦି ପ୍ରଭାବ ଓଡ଼ିଶାରେ ପଡ଼ିବା ପୂର୍ବରୁ ବିଜେଡି ଗାଁ ସ୍ତରର ଯୁବ-ଛାତ୍ରଙ୍କୁ ଏକାଠି କରିବା ପାଇଁ ରଣନୀତି ଆରମ୍ଭ କରିଛି। ଯୁବ-ଛାତ୍ର ସଙ୍ଗଠନର ଛାମୁଆ ନେତାମାନେ ଏହି ଅଭିଯାନକୁ ଆଗେଇ ନେଉଛନ୍ତି।

ଯୁବ ବିଜେଡି ସଭାପତି ଅମରେଶ ପତ୍ରି ଓଡ଼ିଶାଲାଇଭ୍‌କୁ କହିଛନ୍ତି, “ଯୁବକ ଓ ଛାତ୍ରମାନଙ୍କ ସହ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଏହି ଅଭିବନ ପ୍ରୟାସ ଆରମ୍ଭ ହୋଇଛି। ତୃଣମୂଳ ସ୍ତରରେ ଏହି ସମାବେଶକୁ ଜନ ସମର୍ଥନ ମିଳୁଛି। ଆଗକୁ ବିଭିନ୍ନ ସ୍ଥାନରେ ଏଭଳି ସମାବେଶ ଆୟୋଜନ କରାଯିବ। କେନ୍ଦ୍ରର ମୋଦି ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ମହାନଦୀ ହେଉ କି ପୋଲାଭରମ୍, ସବୁଥିରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି। ଏ ସମ୍ପର୍କରେ ଯୁବ ଓ ଛାତ୍ରମାନଙ୍କୁ ଅବଗତ କରାଯାଉଛି। ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ଲୋକଙ୍କ ପାଇଁ କାମ କର। ଗାଁକୁ ଯାଅ। ଏଣୁ ଆମେ ଲୋକଙ୍କ ସହ ସମ୍ପର୍କ ରକ୍ଷା ପାଇଁ ଆଗେଇ ଆସୁଛି।”

ଯୁବକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ

୨୦୧୭ ମେ ମାସରେ ରାଜଧାନୀ ଭୁବନେଶ୍ବରରେ ହୋଇଥିଲା ଯୁବ ବିଜେଡିର ସମାବେଶ। ଡିଜିଟାଲ ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ଯୁବ ବିଜେଡି କର୍ମୀଙ୍କୁ ନବୀନ ଦେଇଥିଲେ ଆଦେଶ। ଓଡ଼ିଶାର ଯୁବକମାନଙ୍କ ପାଇଁ ଆମ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବବଗତ କରିବାକୁ ଦଇଥିଲେ ପରାମର୍ଶ। ଏହାସହ ୬ଟି ସ୍ଥାନରେ ଜୋନାଲ ସ୍ତରୀୟ ସଭା କରିବା ପାଇଁ ଯୁବ ବିଜେଡିକୁ ଦେଇଥିଲେ ଅନୁମତି। ସେହି ଦିନରୁ ଯୁବ ବିଜେଡି ଏହି ଅଭିଯାନରେ ଲାଗି ପଡ଼ିଛି। ୬ଟି ଜୋନାଲ ମଧ୍ୟରୁ ୩ଟି ସ୍ଥାନରେ ସମାବେଶ ଆୟୋଜନ କରିବା ପରେ ଏବେ ସମ୍ପର୍କ ଯାତ୍ରାରେ ଲାଗି ପଡ଼ିଛି।

ଅନୁଭବଙ୍କ ପାଇଁ ନୂଆ ଚାଲେଞ୍ଜ

କ୍ୟାଡର ରାଜନୀତିରୁ ଆସି ନାହାନ୍ତି ଅନୁଭବ ମହାନ୍ତି। ଅଭିନେତାରୁ ନେତା ପାଲଟିଛନ୍ତି ଓଲିଉଡର ଏହି ସୁପରଷ୍ଟାର। ଅନୁଭବଙ୍କ ପାଇଁ ଏହି ଯୁବ-ଛାତ୍ର ସମ୍ପର୍କ ଯାତ୍ରା ବହୁ ଗୁରୁତ୍ବ ମନେ କରାଯାଉଛି। ଯୁବ ଏବଂ ଛାତ୍ର ଟିମ୍‌ରେ ବହୁ ନେତା ଥିଲେ ବି ଅନୁଭବଙ୍କୁ ଦଳ ଆଗରେ ରଖିଛି। ଦିଲ୍ଲୀ ଏବଂ ଭୁବନେଶ୍ବର ରାଜନୀତି ଛାଡ଼ି ଅନୁଭବ ଏବେ ଗାଁ ମୁହାଁ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁରେ ହୋଇଥିବା ସମାବେଶରେ ଅନୁଭବ ଆଗରେ ରହିଥିଲେ। ରାଜ୍ୟର ଯୁବକମାନଙ୍କ ପାଇଁ ବିଜେଡି ସରକାର କରିଥିବା ଯୋଜନା ସମ୍ପର୍କରେ ବଖାଣିଥିଲେ।

ଅନୁଭବଙ୍କୁ ଆଗରେ ରଖିବାରେ ବିଜେଡିର ପ୍ଲସ ପଏଣ୍ଟ ବି ରହିଛି। କାରଣ ଅନୁଭବ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ସେଲିବ୍ରିଟି। ଏଣୁ ତାଙ୍କ ପ୍ରଭାବ ଗାଁ ଗହଳିରେ ରହିଛି। ଏଣୁ ଅନୁଭବଙ୍କୁ ଯୁବ ବିଜେଡି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଦେଖିବାକୁ ମିଳିଛି। ଅନୁଭବଙ୍କ ଉପରେ ବିଜେଡି ଯେଉଁ ଗୁରୁ ଦାୟିତ୍ବ ଦେଇଛି ତାକୁ ଯଦି ସେ ଠିକ୍‌ ଭାବେ ନିର୍ଣ୍ଣାୟକ ମୋଡ଼ ଦେଇ ପାରିବେ ତାହାଲେ ଅନୁଭବଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ।

“ଯୁବ-ଛାତ୍ର ସମ୍ପର୍କ ଯାତ୍ରା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ରହିଥିବା ଆମେ ଦେଖିବାକୁ ପାଉଛୁ। ସହର ଏବଂ ଗ୍ରାମାଞ୍ଚଳରେ ଯୁବପିଢ଼ି ବିଜେଡି ସହ ଯୋଡ଼ି ହୋଇ ରହିଛନ୍ତି। ବର୍ତ୍ତମାନ ଆରମ୍ଭ ହୋଇଥିବା ଅଭିଯାନ ଯୁବପିଢ଼ିଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରୁଛି”, – ଏହା ଓଡ଼ିଶାଲାଇଭ୍‌କୁ କହିଛନ୍ତି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଆମ ନେତା ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନେତୃତ୍ବରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛୁ। ଏହି ଲକ୍ଷ୍ୟପଥରେ ଯୁବକ ଏବଂ ଛାତ୍ରମାନଙ୍କର ଏକ ବଡ଼ ଭୂମିକା ରହିଛି।

ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଏହି ଯାତ୍ରା ଆଗାମୀ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଦଳକୁ ଶକ୍ତି ଯୋଗାଇବ କି ପ୍ରଶ୍ନର ଉତ୍ତର ଦେଇଛନ୍ତି ଶ୍ରୀ ମହାନ୍ତି।

କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେଡିର ବିଜୟ ନେଇ କାହାର ସନ୍ଦେହ ନାହିଁ। ତେବେ ଆମର ଏହି ସମ୍ପର୍କ ଯାତ୍ରା ରାଜନୀତିକ ଲାଭ-କ୍ଷତିରୁ ଢ଼େଣ ଉର୍ଦ୍ଧ୍ବରେ। ଓଡ଼ିଶାର ବିକାଶକୁ ଏକ ନୂଆ ଉଚ୍ଚତାକୁ ନେବା ପାଇଁ ତଥା କେନ୍ଦ୍ରର ଲଗାତାର ଅବହେଳା ବିରୋଧରେ ସ୍ବର ଉଠାଇବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ।

ଯୁବ ବିଜେଡି ଟିମ୍‌

୧୦ ଜଣଙ୍କୁ ନେଇ ଗଠନ ହୋଇଛି ଯୁବ ବିଜେଡିର ଟିମ୍‌। ଏହି ଟିମ୍‌ରେ ଅଛନ୍ତି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ବିଜେଡି ମୁଖପାତ୍ର ସୁଲୋଚନା ଦାସ, ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ, ମୁଖପାତ୍ର ଲେନିନ୍‌ ମହାନ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ପରଦା ପଛରେ କିଏ?

ଯୁବ-ଛାତ୍ର ବିଜେଡିର କିପରି ସକ୍ରିୟ ହେବ ଏବଂ ତୃଣମୂଳ ସ୍ତରର ଯୁବକଙ୍କ ପାଖରେ ପହଞ୍ଚିବା ପାଇଁ କଣ କରାଯିବ ସେନେଇ ଦଳର ଆଗଧାଡ଼ିର ଯୁବ ବିଧାୟକ ଗୋଟି ଚାଳନା କରୁଛନ୍ତି। ପୂର୍ବତନ ଯୁବ ବିଜେଡି ସଭାପତି ତଥା ବିଧାୟକ ସଞ୍ଜୟ ଦାସବର୍ମା ଏବଂ ବିଧାୟକ ଅରୁଣ ସାହୁ ପରଦା ପଛରେ ରହି ଏହି ଦୁଇ ଛାମୁଆ ସଙ୍ଗଠନର ମଙ୍ଗ ଧରିଛନ୍ତି। ଏହାସହ ପୂର୍ବତନ ଛାତ୍ର ସଭାପତି ବ୍ୟୋମକେଶ ରାୟ ଏବଂ ବିଧାୟକ ପ୍ରଣବବଳବନ୍ତରାୟ, ଅନୁଭବ ପଟ୍ଟନାୟକ ମଧ୍ୟ ଏହି ସମ୍ପର୍କ ଯାତ୍ରାରେ ସାମିଲ୍ ହୋଇ ସଙ୍ଗଠନକୁ ଆଗକୁ ନେବା ଲାଗି ଉଦ୍ୟମ କରୁଛନ୍ତି।

Comment