ଓଡ଼ିଶାଲାଇଭ୍ ଫିଚର

ଓଡ଼ିଶା ରସଗୋଲା ଓ ହଳଦୀ ପରେ ଏବେ ନୟାଗଡ଼ ଛେନାପୋଡ଼ ଚିନ୍ତା। ତେବେ ଏହାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବେ କିଏ?

  • ନୟାଗଡ଼ର ଛେନାପୋଡ଼ର ଜନ୍ମ ଦଶପଲ୍ଲାର ସାତପଟଣା
  • ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
  • ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼
  • ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ ହେବା ଦରକାର: ଡକ୍ଟର ଅରୁଣ କୁମାର ସାହୁ
  • ମନ୍ତ୍ରୀ କହିଲେ, ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ସରକାର

ଆସ କିଏ ଖାଇବ ହୋ ଆମ ରାଜା ବାବୁଘର ଖାନା… ଓଡ଼ିଆ ସିନେମାରେ ବ୍ୟବହୃତ ଏହି ଲୋକପ୍ରିୟ ଗୀତଟି ଦିନେ ଘରେଘରେ ପରିଚିତ ଥିଲା। ଏହି ଗୀତଟି ଶୁଣିଲା ବେଳେ ଏଥିରେ ବର୍ଣ୍ଣନା କରାଯାଇଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ବତନ୍ତ୍ର ଓ ସୁଆଦିଆ ଖାନା କଥା ଭାବି ଏବେବି ଲୋକଙ୍କ ପାଟିରୁ ଲାଳ ଗଡ଼ିପଡେ। ସେହି ଖାନା ଭିତରେ ଗୋଟିଏ ହେଉଛି ନୟାଗଡ଼ର ‘ଛେନାପୋଡ଼’।

ଆଜି ଯେତେବେଳେ ରସଗୋଲାକୁ ନେଇ ଲଢ଼େଇ ଚାଲିଛି ମନକୁ ଆସୁଛି ଯେ, ଛେନାପୋଡ଼ ଭଳି ଓଡ଼ିଶାର ଏକ ସ୍ବତନ୍ତ୍ର ରେସିପି ବା ଖାଦ୍ୟ ପ୍ରସ୍ତୁତି ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରାଯିବ କେବେ?

“ସ୍ୱାଧୀନତା ପୁର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ସ୍ବାଦ ପାଇଁ ଏହା କେବଳ ଆମ ରାଜ୍ୟ କାହିଁକି ଦେଶ ବିଦେଶର ଖାଦ୍ୟପ୍ରେମୀମାନଙ୍କୁ ଆକର୍ଷିତ କରି ଆସିଛି। ରାଜ୍ୟର ଏପରି ଏକ ଐତିହ୍ୟସଂପନ୍ନ ତଥା ସୁସ୍ୱାଦୁ ଖାଦ୍ୟର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ପାଇଁ ସରକାରୀ ସ୍ତରରେ ସେପରି କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ । ତେଣୁ ଆଜିର ରସଗୋଲା ବିବାଦ ପରିପ୍ରେକ୍ଷୀରେ ଆମ ସରକାର ନୟାଗଡ଼ ଛେନାପୋଡ଼ର ଜିଆଇ ଟ୍ୟାଗ୍ ପାଇଁ ତୁରନ୍ତ ଆଦେବନ କରିବା ଦରକାର”, କହିଛନ୍ତି ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ।

ଶ୍ରୀଯୁକ୍ତ ପଟ୍ଟନାୟକ ମତରେ ଗୁଜୁରାଟର ଅମୁଲ ସଂସ୍ଥା ପରି ସରକାରୀ ପ୍ରୋତ୍ସାହନରେ ନୟାଗଡ଼ର ଛେନାପୋଡ଼ କାରିଗରମାନଙ୍କୁ ଏକାଠି କରି ତାହାକୁ କୁଟୀରଶିଳ୍ପର ମାନ୍ୟତା ପ୍ରଦାନ କରାଗଲେ ଓଡ଼ିଶାର ଗୋଟିଏ ସୁସ୍ବାଦୁ ଖାଦ୍ୟ କେବଳ ବଞ୍ଚି ରହିବ ନାହିଁ ବରଂ ଏହା ସ୍ଥାନୀୟ ଅଞ୍ଚଳର ଛେନା ଓ ମିଠା କାରିଗରମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ହୋଇପାରିବ।

ଭୌଗୋଳିକ ସ୍ଥିତି, ପରମ୍ପରା, ସଂସ୍କୃତି ଏବଂ ସାଂସ୍କୃତିକ ମିଳନ ଭିତରୁ ତିଆରି ହୋଇଛି ଆମ ଜୀବନ ଧାରା ଓ ଖାଦ୍ୟ ରୁଚି। ଏହି ଦୃଷ୍ଟିରୁ ଦେଖିଲେ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ତଥା ସ୍ବତନ୍ତ୍ର ଖାଦ୍ୟ ଦେଖିବାକୁ ମିଳେ। ଯାହାକି ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଏବଂ ପ୍ରସ୍ତୁତି ଦୃଷ୍ଟିରୁ ନିଆରା। ଓଡ଼ିଶା ଏହି ଦୃଷ୍ଟିରୁ ଦେଶର ଏକ ଅଗ୍ରଣୀ ପ୍ରଦେଶ ବୋଲି କହିଲେ ଭୁଲ୍‌ ହେବ ନାହିଁ। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୟାଗଡ଼ର ଛେନାପୋଡ଼ ଭଳି ରହିଛି ଅନେକ ସ୍ବତନ୍ତ୍ର ଓ ସୁଆଦିଆ ଖାଦ୍ୟ।

“ନୟାଗଡ଼ର ଛେନାପୋଡ଼କୁ ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ନିଶ୍ଚିତ ଭାବେ ଏହାର ଜିଆଇ ଟ୍ୟାଗ୍ ହେବା ଆବଶ୍ୟକ। ଏଥିପାଇଁ ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ଉଦ୍ୟମ ଜରୁରୀ”, କହିଛନ୍ତି ସ୍ଥାନୀୟ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ଜିଆଇ ଟ୍ୟାଗ୍ ମିଳିଲେ ଆମ ଛେନାପୋଡ଼କୁ ରାଜ୍ୟ ତଥା ବାହାରର ଲୋକଙ୍କ ପାଖରେ ପହଞ୍ଚାଇବା କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ସେ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଚାଲିଥିବା ତୋଫାନର ମୁହଁରେ ଅଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମ୍‌ଏସ୍‌ଏମ୍‌ଇ) ବିଭାଗ। ନୟାଗଡ଼ ଛେନାପୋଡ଼କୁ ଏହି ମାନ୍ୟତା ମିଳିବା ପାଇଁ ସରକାର ଉଦ୍ୟମ କରିବେ କି ବୋଲି ଓଡ଼ିଶାଲାଇଭ୍‌ ତରଫରୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ପଚରା ଯାଇଥିଲା। ସେ କହିଛନ୍ତି ଯେ, “ଓଡ଼ିଶାରେ ଏଭଳି ଅନେକ ସମ୍ପଦ, ସମ୍ବଳ ଓ ପଦାର୍ଥ ରହିଛି, ଯାହା ଜିଆଇ ଟ୍ୟାଗ୍‌ ପାଇଁ ଯୋଗ୍ୟତା ରଖେ। କନ୍ଧମାଳର ହଳଦୀ ହେଉ କି ଢେଙ୍କାନାଳର ବରା ବା ନୟାଗଡ଼ର ଛେନାପୋଡ଼, ଏସବୁର ବିଶେଷତ୍ତ୍ବ ରହିଛି। ତେବେ ଯେଉଁମାନେ ଏସବୁର ଖାଦ୍ୟ ପରମ୍ପରା ସହ ଜଡ଼ିତ ସେମାନେ ଜିଆଇ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବା ଉଚିତ୍।” ତେବେ ଏ ବାବଦରେ ଯଦି ସରକାରଙ୍କର କିଛି ସହଯୋଗ ପଡ଼େ ତେବେ ବିଭାଗ ତାହା ଯୋଗାଇ ଦେବ ବୋଲି କହି ମନ୍ତ୍ରୀ ନିଜ ଉପରୁ ଦାୟିତ୍ବ ଖସାଇ ଦେବାକୁ ଉଚିତ୍ ମନେ କରିଛନ୍ତି।

ମନ୍ତ୍ରୀଙ୍କ କହିବା କଥା ସତ। କେବଳ ନୟାଗଡ଼ ଛେନାପୋଡ଼ କାହିଁକି ଓଡ଼ିଶାରେ ଏପରି ଅନେକ ସ୍ବତନ୍ତ୍ର ଖାଦ୍ୟ ରହିଛି ଯାହାର ଜିଆଇ ଟ୍ୟାଗ୍ ପାଇଁ ତୁରନ୍ତ ଉଦ୍ୟମ ହେବା ଆବଶ୍ୟକ। ତେବେ ପ୍ରଶ୍ନ ହେଉଛି ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

ଦଶପଲ୍ଲାରୁ ଛେନାପୋଡ଼ର ଜନ୍ମ

ଛେନାପୋଡ଼ ନାଁ କହିଲେ ଲୋକଙ୍କ ନଜର ନୟାଗଡ଼ ଉପରେ ପଡ଼ିଥାଏ। ତେବେ ଏହି ପ୍ରସିଦ୍ଧ ଛେନାପୋଡ଼ର ଜନ୍ମ ହୋଇଥିଲା ୧୯୪୫ରେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଅଧୀନରେ ଥିବା ଦଶପଲ୍ଲାର ସାତପାଟଣା ଗାଁରୁ।

ତତ୍କାଳୀନ ଦଶପଲ୍ଲା ଗଡ଼ଜାତ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳୀ ଥିଲା ସାତପାଟଣା। ସ୍ଥାନୀୟ ଜଳଖିଆ ଦୋକାନୀ ବିଦ୍ୟାଧର ସାହୁ ସବୁଦିନ ଭଳି ଛେନାରୁ ରସଗୋଲା, ଛେନାଗଜା, ତାଡ଼ିଆ ଆଦି ମିଠା ପ୍ରସ୍ତୁତ କରୁଥିଲେ। ତେବେ ସେଦିନ ତାଙ୍କ ପାଖରେ ଅଧିକ ପରିମାଣର ଛେନା ପହଞ୍ଚôବାରୁ ସେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରିବା ପରେ କିଛି ଛେନା ବଳି ପଡ଼ିଥିଲା।  ଏହି ବଳକା ଛେନାକୁ କଣ କରିବେ ଭାବି ତାଙ୍କ ମନକୁ ଏକ ଅଜବ କଥା ଆସିଲା। ଏହି ବଳକା ଛେନାକୁ ଫୋପାଡ଼ି ନଦେଇ ଓଡ଼ିଶାର ପ୍ରିୟ ପୋଡ଼ ପିଠା ପରି ତାକୁ ପୋଡ଼ି ପିଠା କରିବା କଥା ସେ ଭାବିଲେ।

ବିଦ୍ୟାଧର ବଳକା ଛେନାରେ କିଛି ଚାଉଳଗୁଣ୍ଡ, ଚିନି, ଗୁଜୁରାତି ଓ ଅଳେଇଚ ଆଦି ସାମଗ୍ରୀ ମିଶାଇ ତାକୁ ଏକ ଜାଗାରେ ରଖି ରଡ଼ ନିଆଁ ଉପରେ ବସାଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ଛେନାରୁ ତିଆରି ଏହି ପିଠାକୁ ସେ ନିଜେ ଚାଖିବା ସହ ପରିବାର ଲୋକ ଏବଂ ଗ୍ରାହକମାନଙ୍କୁ ଚାଖିବାକୁ ଦେଇଥିଲେ। ଏହି ନୂଆ ମିଠା ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ଛେନାକୁ ପୋଡ଼ ପିଠା ଭଳି ରଡ଼ ନିଆଁରେ ପୋଡ଼ା ଯାଇଥିବାରୁ ତାର ନାଁ ରହିଲା ଛେନାପୋଡ଼।

ଏହାର ସ୍ରଷ୍ଟା ବିଦ୍ୟାଧର ଛେନାପୋଡ଼ର ଫର୍ମୁଲା ଧୀରେଧୀରେ ବୁଝିବା ଭିତରେ ଏହା ତାଙ୍କ ଦୋକାନରେ ଏକ ଲୋକପ୍ରିୟ ମିଠା ଭାବେ ପରିଣତ ହୋଇଯାଇଥିଲା। ଫଳରେ ବିଦ୍ୟାଧର ଏହି ବ୍ୟବସାୟକୁ ଦଶପଲ୍ଲାରେ ସାମୀତ ନରଖି ନିଜର ପୁଅ ସୁଦର୍ଶନଙ୍କ ସହଯୋଗରେ ନୟାଗଡ଼ କଚେରୀ ବଜାରରେ ଏକ ସ୍ବତନ୍ତ୍ର ଛେନାପୋଡ଼ ଦୋକାନ ଖୋଲିଲେ। ବାପାଙ୍କଠାରୁ  ସୁଦର୍ଶନ କ୍ରମେ ଶିଖିନେଲେ ଛେନାପୋଡ଼ ପ୍ରସ୍ତୁତି ରହସ୍ୟ। ସେ ଧୀରେଧୀରେ ତାଙ୍କ ହାତ ତିଆରି ଛେନାପୋଡ଼ ପାଇଁ ନୟାଗଡ଼ ଏବଂ ବାହାର ଅଞ୍ଚଳରେ ପରିଚିତ ହେଲେ।

ପରେ ପରେ ବ୍ୟବସାୟିକ ସଫଳତା ପାଇଁ ସୁଦର୍ଶନ କିଛି ବେକାର ଯୁବକଙ୍କୁ ନିଯୁକ୍ତ କରି ନୟାଗଡ଼ରେ ପ୍ରତିଦିନ ଅଧିକ ପରିମାଣର ଛେନାପୋଡ଼ ପ୍ରସ୍ତୁତ କଲେ। କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ଷୀର ସଂଗ୍ରହ କରି ସୁଦର୍ଶନ ନିଜେ ଛେନା ପ୍ରସ୍ତୁତ କଲେ ଓ ତାଙ୍କ ହାତ ତିଆରି ଛେନାରୁ ଛେନାପୋଡ଼ କଲେ। ଏହି ଭଳି ନୟାଗଡ଼ ଛେନାପୋଡ଼ର ସ୍ବାଦ କ୍ରମେ ଓଡ଼ିଶା ସୀମା ଟପି ବାହାରେ ପହଞ୍ଚିଲା। ସୁଦର୍ଶନଙ୍କ ପ୍ରସ୍ତୁତ ଛେନାପୋଡ଼ର ସ୍ୱାଦ ଚାଖିଥିବା ବ୍ୟକ୍ତି ପୁଣି ନୟାଗଡ଼ର ଛେନା ପୋଡ଼କୁ ଖୋଜୁଥିଲେ ।

ନୟାଗଡ଼ ଛେନାପୋଡ଼ର ପ୍ରସିଦ୍ଧି ଚାରିଆଡ଼େ ବ୍ୟାପି ଯାଇଥିଲା। ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କୁ ନୟାଗଡ଼ର ଛେନାପୋଡ଼ ଆକୃଷ୍ଟ କରିଥିଲା ।

ନୟାଗଡ଼ ଛେନାପୋଡ଼ର ଫର୍ମୁଲା

ବାପାଙ୍କ ଅନ୍ତେ ସୁଦର୍ଶନ ନିଜର ସ୍ୱତନ୍ତ୍ର ପ୍ରଣାଳୀରେ ଛେନାପୋଡ଼ ପ୍ରସ୍ତୁତ କରୁଥିଲେ। ଯଦିଓ ନୟାଗଡ଼ର ଛେନାପୋଡ଼କୁ ଅନୁକରଣ କରି ରାଜ୍ୟର ଅନେକ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତ ପ୍ରଚଳିତ ହେଲା ତଥାପି ସୁଦର୍ଶନଙ୍କ ଭାଗମାପ ବା ଫର୍ମୁଲା ଥିଲା ତାଙ୍କର ସ୍ବତନ୍ତ୍ର।

ନୟାଗଡ଼ ଛେନାପୋଡ଼ର ସ୍ୱତନ୍ତ୍ରତା କହିଲେ, ଶୁଦ୍ଧ ଛେନା ଯାହାକୁ ଚକଟି ଏପରି ଏକ ଅବସ୍ଥାକୁ ଅଣାଯାଏ ଯାହାକି କାନ୍ଥକୁ ଫୋପାଡ଼ିଦେଲେ ତାହା ଲାଗିଯିବ। ସେହି ଛେନାରେ ସେତେବେଳେ ସୁଜି (ବର୍ତ୍ତମାନ ସମୟରେ ଯାହା ଚାଲିଛି) ମିଶୁ ନଥିଲା । ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ଗୁଣ୍ଡ ସହ ଛେନାକୁ ଗୋଳାଇ ସେଥିରେ ଚିନି, ଗୁଜୁରାତି, ଅଳେଇଚ ଓ କାଜୁବାଦାମ ଗୁଣ୍ଡ ମିଶ୍ରଣ କରାଯାଉଥିଲା। ସେହି ଛେନା ଗୋଳାକୁ ଏକ ପିତଳ ଥାଳିରେ ରଖି ତା’ର ତଳ ଓ ଉପର ପାଖରେ ଗୁଆ ଘିଅ ବୋଳି ତାକୁ କଦଳୀ ପତ୍ରରେ ଆବଦ୍ଧ କରିଦିଆଯାଉଥିଲା। ପରେ ଏହାକୁ କୋଇଲା ନିଆଁ ଆଞ୍ଚରେ ୮ରୁ ୯ଘଣ୍ଟା ପର୍ଯ୍ୟନ୍ତ ବସାଯାଉଥିଲା। ସେଥିରୁ ପ୍ରସ୍ତୁତ ଛେନାପୋଡ଼ ଖାଇବାର ମଜା ଉଠାଇବା ପାଇଁ ସୁଦର୍ଶନ ସାହୁଙ୍କ ମିଠା ଦୋକାନରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗୁଥିଲା।

ସୁଦର୍ଶନ ତାଙ୍କ ଛେନାପୋଡ଼ର ମାନରେ କେବେ ଉଣା କରିନଥିଲେ। ସେଥିପାଇଁ ନୟାଗଡ଼ର ଛେନାପୋଡ଼ ଆଉ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଛେନାପୋଡ଼ର ଚାହିଦା ପ୍ରଥମ ସ୍ଥାନରେ ରହିଥିଲା । ତେବେ ସେ ଚାଲିଯିବା ପରେ ତାଙ୍କ ପରିବାର ଆଉ ଏହି ବୃତ୍ତିକୁ ଆଗକୁ ନନେବା ଫଳରେ ସୁଦର୍ଶନ ଛେନାପୋଡ଼ ବ୍ରାଣ୍ଡର ମୃତ୍ୟୁ ଘଟିଛି। ଆଜି ନୟାଗଡ଼ ଛେନାପୋଡ଼ ନାଁରେ ରାଜ୍ୟର ଅନ୍ୟ ଅଞ୍ଚଳ କାହିଁକି ଏପରିକି ଖୋଦ୍ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଆଉ ଅସଲି ଛେନାପୋଡ଼ର ସୁଆଦ ଚାଖିବାକୁ ମିଳୁନାହିଁ।

ଏବେ ବି ଲୋକପ୍ରିୟ ନୟାଗଡ଼ ବ୍ରାଣ୍ଡ ଛେନାପୋଡ଼

ଏବେ ବି ନୟାଗଡ଼ ଜିଲ୍ଲାର କେତୋଟି ହାତଗଣତି ମିଠା ଦୋକାନୀଙ୍କ ପାଇଁ ଛେନାପୋଡ଼ ବଞ୍ଚି ରହିଛି। ତା ମଧ୍ୟରେ ରହିଛନ୍ତି ଓଡ଼ଗାଁ ବ୍ଲକର ଦରପଦା, ମାଛିପଡ଼ା, ସୋଲପଟା, ନନ୍ଦିଘର ଓ ନୟାଗଡ଼ ଅଞ୍ଚଳର ଶତାଧିକ କାରିଗର। ବର୍ତ୍ତମାନ ଯଦିଓ ରାଜ୍ୟ ତଥା ରାଜ୍ୟ ବାହାରେ ଛେନାପୋଡ଼ ମିଳୁଛି ତେବେ ନୟାଗଡ଼ ଛେନାପୋଡ଼ର ଆଦର କମିନାହିଁ।

ସ୍ଥାନୀୟ ମିଧା କାରିଗର ପ୍ରହ୍ଲାଦ ଡାକୁଆ ଓଡ଼ିଶାଲାଇଭ୍‌କୁ ସୂଚନା ଦେଇଛନ୍ତି ଯେ, ନୟାଗଡ଼ର  ଅନେକ ମିଠା କାରିଗର ପରିବାର ଛେନାପୋଡ଼ ପ୍ରସ୍ତୁତ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହରକୁ ୫୦ରୁ ୭୦ କୁଇଣ୍ଟାଲ ଛେନାପୋଡ଼ ପଠାଉଛନ୍ତି। ନୟାଗଡ଼ ତିଆରି ଛେନାପୋଡ଼ ଆଜି ଭୁବନେଶ୍ୱର, ବାରିପଦା, ଢେ଼ଙ୍କାନାଳ, ତାଳଚେର, ରାଇରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କୋରାପୁଟ, ମାଲଗାନାଗିରି, ବ୍ରହ୍ମପୁର, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଏବଂ ରାଜ୍ୟ ବାହାରେ ଛତିଶଗଡ଼, ଜାମସେଦପୁର ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରକୁ ପଠାଯାଉଛି।

‘ନୟାଗଡ଼ ଛେନାପୋଡ଼’ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ତିଆରି କରି ଏହି ବ୍ୟବସାୟର ପ୍ରଚାର ପ୍ରସାର କରାଗଲେ ଏହା ସ୍ଥାନୀୟ ଶହଶହ ପରିବାରର ସମ୍ମାନ ଜୀବିକାରେ ପରିଣତ ହେବା ସହ ଓଡ଼ିଶାର ନିଆରା ଖାଦ୍ୟ ପରମ୍ପରାର ପରିଚୟ ପ୍ରତିଷ୍ଠିତ ହୋଇପାରିବ। “ଏନେଇ ସରକାର ଚିନ୍ତା କରିବା ଜରୁରୀ”, କହିଛନ୍ତି ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here