ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାରଠୁ ଆରମ୍ଭ ହେଉଛି ବିଧାନସଭାର ଶିତକାଳୀନ ଅଧିବେଶନ। ଏହି ଅଧିବେଶନ ଚାଷୀ ପ୍ରସଙ୍ଗକୁ ନେଇ ରହିବ ସରଗରମ୍। ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ପ୍ରସ୍ତୁତ କରିଛନ୍ତି ରଣନୀତି। ଏପଟେ ବିରୋଧୀଙ୍କୁ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି।

  • ଡିସେମ୍ବର ୩୦ ଯାଏଁ ଚାଲିବ ଅଧିବେଶନ
  • ସରକାରଙ୍କୁ ଘେରିବା ଲାଗି ବିଜେପି ପ୍ରସ୍ତୁତ କଲା ରଣନୀତି
  • ଚକଡ଼ା ପୋକ-ଚାଷୀ ପ୍ରସଙ୍ଗରେ ହୁଲ୍‌ସ୍ତୁଲ ହେବ ଗୃହ
  • ପୋଲାଭରମ୍‌, ଏମ୍‌ଏସ୍‌ପି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବିଜେଡି

ମଙ୍ଗଳବାରଠୁ ଆରମ୍ଭ ହେଉଛି ବିଧାନସଭାର ଶିତକାଳୀନ ଅଧିବେଶନ। ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ହଙ୍ଗାମା। ବିରୋଧୀ ବିଜେପି ଏବଂ କଂଗ୍ରେସ ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏପଟେ ବିଜେଡି ବି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରୁଛନ୍ତି କହି କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିଛି। କଂଗ୍ରେସ ବି ଚାଷୀ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦେଇଛି ସ୍ମାରକପତ୍ର।

ବିଧାନସଭାର ଦିନକ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ହଙ୍ଗାମା। ୩ ପ୍ରମୁଖ ଦଳ ଚାଷୀ ପ୍ରସଙ୍ଗକୁ ନେଇ ଓହ୍ଲାଇଛନ୍ତି ରାଜରାସ୍ତାକୁ। ତେବେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ ଏବଂ ଗୃହ ସରଗରମ୍ ରହିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏନେଇ ବିଜେପି ଏବଂ ବିଜେଡି ବିଧାୟକ ଦଳ ବୈଠକରେ ବିଧା଼ୟକମାନେ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେପିର ରଣନୀତି

ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଚକଡ଼ା ପୋକ, ଫସଲ ହାନି, ନକଲି କୀଟନାଶକ, ଚାଷୀ ଆତ୍ମହତ୍ୟାକୁ ଅସ୍ତ୍ର କରିଛି ବିଜେପି। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେପି ଶାସକ ବିଜେଡିକୁ ଅକଳିଆରେ ପକାଇବାକୁ ଯୋଜନା କରିଛି। ଏହାସହ ମହାନଦୀ ପ୍ରସଙ୍ଗରେ ଶ୍ବେତପତ୍ର ଜାରି କରିବାକୁ ମଧ୍ୟ ଦାବି କରିବ ବିଜେପି। ବୈଠକ ଶେଷ ପରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ସମ୍ପର୍କରେ କହିଛନ୍ତି।

ପ୍ରଦୀପ ପୁରୋହିତ କହିଛନ୍ତି, “ଫସଲହାନିକୁ ନେଇ ଚାଷୀ ଆତ୍ମହତ୍ୟା କରୁଛି। ହେଲେ ସରକାର ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇପାରୁ ନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ ରାଜ୍ୟ ସରକାର ଚାଷୀଙ୍କୁ ହକ୍‌ ପ୍ରଦାନ କରୁ ନାହାନ୍ତି। ଏଣୁ ଏହି ପ୍ରସଙ୍ଗକୁ ଆମେ ବିଧାନସଭାରେ ଉଠାଇବୁ।”

ଜବାବ ଦେବାକୁ ଅଣ୍ଟା ଭିଡ଼ିଲା ବିଜେଡି

ବିଜେପି ରଣନୀତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି ବିଜେଡି। ଏନେଇ ବିଧାନସଭା ପ୍ରକୋଷ୍ଠରେ ବସିଥିଲା ବିଜେଡି ବିଧା଼ୟକ ଦଳର ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ଅଧ୍ୟକ୍ଷତା। ଗୃହରେ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ, ପୋଲାଭରମ୍‌ ଏବଂ ମହାନଦୀ ପ୍ରସଙ୍ଗ ଉଠାଯିବ ବୋଲି ଆଲୋଚନା ହୋଇଥିଲା। ବିରୋଧୀ ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ରଣନୀତି ପ୍ରସ୍ତୁତ କରିଥିବାରୁ ବିଜେଡି ମଧ୍ୟ ବିରୋଧୀଙ୍କୁ ଜବାବ ଦେବା ପାଇଁ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ।

ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟ ରାଜ୍ୟର ବିଭିନ୍ନ ସମସ୍ୟା ବିଧାନସଭାର ଉଠାଇବ। ଏଥିପାଇଁ କଂଗ୍ରେସ ବିଧାୟକମାନେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଗୃହ ସରଗରମ୍ କରିବା ଲାଗି ନିଷ୍ପତ୍ତି ନେଇଛି।

 

LEAVE A REPLY

Please enter your comment!
Please enter your name here