ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ନେଇ ସରଗରମ୍ ହେଉଛି ରାଜନୀତି। ଏ ଦଳରୁ ସେ ଦଳକୁ ଡେଉଁଛନ୍ତି ନେତା। କଂଗ୍ରେସରୁ ରିତା ସାହୁ ବିଜେଡିକୁ ଆସିବା ପରେ ରବିବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି ବରଗଡ଼ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁ।
- ବିଜେପୁରରେ ବଢ଼ୁଛି ନିର୍ବାଚନୀ ଉଷ୍ମତା
- ବରପାଲ୍ଲିରେ ବିଜେଡି କଲା କର୍ମୀ ସମ୍ମିଳନୀ
- ବିଜେଡିରେ ମିଶିଲେ ନାରାୟଣ ସାହୁ
- ୨୧ ତାରିଖରେ ନାରାୟଣ ଯାଇଥିଲେ ନବୀନ ନିବାସ
- କହିଥିଲେ, “ବିଜେପିରେ ନାହିଁ ପରିଶ୍ରମର ମୂଲ୍ୟ”
ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। ହେଲେ ଏହାକୁ ନେଇ ବୃଦ୍ଧି ପାଇଛି ନିର୍ବାଚନୀ ଉଷ୍ମତା। ଏ ଦଳରୁ ସେ ଦଳକୁ ନେତା ଡେଉଁଥିବାରୁ ରାଜନୀତି ହୋଇଯାଇଛି ସରଗରମ୍। କଂଗ୍ରେସରୁ ରିତା ସାହୁ ବିଜେଡିକୁ ଏବଂ ଅଶୋକ ପାଣିଗ୍ରାହୀ ବିଜେଡିରୁ ବିଜେପିକୁ ଡେଇଁବା ପରେ ଆଜି ପୂର୍ବତନ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଯାଇଛନ୍ତି ବିଜେଡି ଶିବିରକୁ। ବରପାଲ୍ଲିରେ ଆୟୋଜିତ ବିଜେଡି କର୍ମୀ ସମ୍ମିଳନୀରେ ନାରାୟଣ ଆଜି ସାମିଲ୍ ହୋଇଛନ୍ତି ବିଜେଡିରେ। ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି ନାରାୟଣ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନାରାୟଣ ମିଶିଛନ୍ତି ବିଜେଡିରେ। ନାରାୟଣଙ୍କ ସହ ଜିଲ୍ଲାର ଆଉ କିଛି ନେତା ଏବଂ କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି।
୨୧ ତାରିଖରେ ନାରାୟଣ ହଠାତ୍ ନବୀନ ନିବାସରେ ଆବିର୍ଭାବ ହୋଇଥିଲେ। ଏହା ଜଣାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧି ନବୀନ ନିବାସ ଆଗରେ ଭିଡ଼ ଲଗାଇଥିଲେ। ଆଉ ନାରାୟଣ କାହିଁକି ନବୀନ ନିବାସ ଆସିଛନ୍ତି ବୋଲି ଜାଣିବାକୁ ଚାହିଁଲେ। ହେଲେ ନାରାୟଣ ଗଣମାଧ୍ୟମରେ ଯାହା ବିବୃତି ଦେଲେ ତାହା ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।
ନାରାୟଣ କହିଥିଲେ, “ବିଜେପିରେ କିଛି ଆଦର୍ଶ ନାହିଁ। ପରିଶ୍ରମ କରୁଥିବା କର୍ମୀଙ୍କୁ ଏଠାରେ ଅଣଦେଖା କରାଯାଉଛି। ୨୦ ବର୍ଷ ଧରି ମୁଁ ବିଜେପି ପାଇଁ କାମ କରିଥିଲେ ମଧ୍ୟ ଦଳ ମୋତେ ଅଣଦେଖା କରିଛି।”
ଏହାପରେ ବିଜେପି ରାଜ୍ୟ ସଭାପତି ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନାରାୟଣଙ୍କୁ ବହିଷ୍କୃତ କରିଥିଲେ। ପରେ ନାରାୟଣ ବିଜେଡିକୁ ଯିବା ନେଇ ଚର୍ଚ୍ଚା ହେଲା। ୩ ତାରିଖରେ ବରଗଡ଼ରେ ଆୟୋଜିତ କର୍ମୀ ସମ୍ମିଳନୀରେ ନାରାୟଣ ବିଜେଡିରେ ଯୋଗଦେବେ ବୋଲି ଜଣାପଡ଼ିଥିଲା।
ଏପଟେ ନାରାୟଣ ବିଜେଡିରେ ଯୋଗଦେବାର ଦିନକ ପୂର୍ବରୁ ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ଦଳ ଛାଡ଼ିଛନ୍ତି। ବିଜେଡିରେ ମୂଳ କର୍ମୀଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।








ବିଜେପୁର ଉପ-ନିର୍ବାଚନକୁ ନେଇ ସରଗରମ୍ ହେଉଛି ରାଜନୀତି। ଏ ଦଳରୁ ସେ ଦଳକୁ ଡେଉଁଛନ୍ତି ନେତା। କଂଗ୍ରେସରୁ ରିତା ସାହୁ ବିଜେଡିକୁ ଆସିବା ପରେ ରବିବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି ବରଗଡ଼ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁ।









