ଓଡ଼ିଶାଲାଇଭ୍ ବ୍ୟୁରୋ

ଭେଟେରାନ୍ ଅଭିନେତା ଶଶି କପୁରଙ୍କୁ ଅଲବିଦା ଜଣାଇଛି ବଲିଉଡ। ବହୁ ଖ୍ୟାତନାମା କଳାକାରଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହ ଶଶିଙ୍କୁ ବିଦାୟ ଦିଆଯାଇଛି।

ବହୁ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ପର କରି ଆର ପାରିକୁ ଚାଲି ଯାଇଛନ୍ତି ବଲିଉଡର କଳାକାର ଶଶି କପୁର୍। ମଙ୍ଗଳବାର ଶାନ୍ତାକୁଞ୍ଜ ଶ୍ମଶାନ ଘାଟରେ ଶଶିଙ୍କ ଅନ୍ତିମ ସଂସ୍କାର କରାଯାଇଛି। ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କୁ ବିଦାୟ ଦିଆଯାଇଛି। ବଲିଉଡର କହୁ କଳାବାର ଅଲବିଦା ଜଣାଇଛନ୍ତି। ୭୯ ବର୍ଷ ବୟସରେ ଶଶି ସୋମବାର ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖିବୁଜି ଥିଲେ।

ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଶଶିଙ୍କ ଅନ୍ତିମ ଯାତ୍ରା କୋକିଳାବେନ୍ ହସ୍ପିଟାଲରୁ ବାହାରିଥିଲା। ହସ୍ପିଟାଲରୁ ଶଶିଙ୍କ ପାର୍ଥବ ଶରୀରକୁ ଶୋଭାଯାତ୍ରାରେ ପୃଥ୍ବୀ ଥିଏଟରକୁ ନିଆଯାଇଥିଲା। ସେଠାରେ ବହୁ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଶଶିଙ୍କ ଅନ୍ତିମ ଯାତ୍ରାରେ ବଲିଉଡର ଋଷି କପୁର, ଅମିତାଭ ବଚ୍ଚନ, ଶାହାରୁଖ ଖାଁ, ସୈଫ୍ ଅଲ୍ଲୀ, ସଞ୍ଜୟ ଦତ୍ତ, ଲାରା ଦତ୍ତ, ନଶିରୁଦ୍ଦିନ୍ ଶାହ, ରାକେଶ ଓମ୍‌ପ୍ରକାଶ ମେହରା ଏବଂ କପୁର ପରିବାରର ସଦସ୍ୟମାନେ ସାମିଲ ହୋଇଥିଲେ। ଏମାନେ ଶଶିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରିକେଟିୟର ବୀରେନ୍ଦ୍ର ସେହବାଗ ବି ଶଶିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୬୦ ଏବଂ ୭୦ ଦଶକର ହିନ୍ଦୀ ସିନେମାରେ ଚମତ୍କାର ଅଭିନୟ କରି ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଥିଲେ ଲୋକପ୍ରିୟ ଅଭିନେତା ଶଶି କପୁର। ତାଙ୍କ ସମୟର ସେ ସବୁଠାରୁ ବ୍ୟସ୍ତ କଳାକାର ଥିଲେ।

୧୯୩୮ ମାର୍ଚ୍ଚ ୧୮ ତାରିଖରେ ଜନ୍ମ ହୋଇଥିଲେ ଶଶି କପୁର। ୨୦୧୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିଲା। ୨୦୧୫ରେ ଶଶି କପୁରଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୃଥିବୀରାଜ କପୁରଙ୍କ ସାନପୁଅ ଶଶି କପୁର  ପୃଥିବୀ ଥିଏଟରରେ ଶକୁନ୍ତଳା ନାଟକରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ରାଜ କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ‘ଆଗ’ ଓ ତୃତୀୟ ଚଳଚ୍ଚିତ୍ର ‘ଆୱାରା’ରେ ଶଶି କପୁର ବଡଭାଇ ରାଜକାପୁରଙ୍କ ସହିତ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ୟାଶ ଚୋପ୍ରାଙ୍କ ଚିତ୍ର ଧର୍ମପୁତ୍ରରେ ଶଶି ବଲିଉଡରେ ପ୍ରବେଶ କରିଥିଲେ। ଶିଶି ତାଙ୍କ କ୍ୟାରିଅରେ ୧୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ‘ଜବ ଜବ୍ ଫୁଲ୍ ଖିଲେ’ ଫିଲ୍ମ ଜରିଆରେ ଶଶିଙ୍କ ଚଳଚ୍ଚିତ୍ରର କ୍ୟାରିୟର ସଫଳ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଫିଲ୍ମଟି  ସ୍ୱର୍ଣ୍ଣଜୟନ୍ତୀ ପାଳନ କରିଥିଲା। ଶଶି ଏଭଳି ଜଣେ ଅଭିନେତା ଥିଲେ ଯିଏ ବ୍ରିଟିଶ ଓ ଆମେରିକାରେ ମଧ୍ୟ ଫିଲ୍ମରେ କରିଥିଲେ। ‘ଦ ହାଉସ୍ ହୋଲ୍ଡର, ‘ସେକ୍ସପିୟର ୱାଲା’ ଆଦି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଶଶିଙ୍କର ସବୁଠାରୁ ଲୋକପ୍ରିୟ ଡାଇଲଗ୍ ‘ମେରେପାସ୍ ମା ହେ’ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ରହିଛି।

Comment