ଓଡ଼ିଶାଲାଇଭ୍ ବ୍ୟୁରୋ

- ଘନୀଭୂତ ହେଉଛି ଲଘୁଚାପ
- ୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା
- ୮ରୁ ଉପକୂଳ ଓଡ଼ିଶାରେ ହେବ ବର୍ଷା
- ବାତ୍ୟା ଆଶଙ୍କା ନାହିଁ କହିଲା ପାଣିପାଗ ବିଭାଗ
- ଫସଲ ସୁରକ୍ଷା ପାଇଁ ଗାଁ ଗାଁରେ ବୁଲୁଛି ପ୍ରଚାର ଗାଡ଼ି
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସଚିବାଳୟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ଭାବ୍ୟ ବର୍ଷାକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳମାନେ କି ପଦକ୍ଷେପ ନେଇଛନ୍ତି ସେନେଇ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ କରିଥିଲେ ଆଲୋଚନା। ଫସଲକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବର୍ଷାକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ କ୍ଷେତ୍ର ଅଧିକାରୀମାନେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଧାନମଣ୍ଡିରେ ରହିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଆରଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଛି।
ରବି ଫସଲ ଓ ପନିପରିବା କ୍ଷତିରୁ ବର୍ତ୍ତିବା ପାଇଁ କୃଷି ବିଶ୍ବବିଦ୍ୟାଳୟ ସର୍କୁଲାର ଜାରି କରିଥିବା ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୭ ତାରିଖରେ ଡିପ୍ ଡିପ୍ରେସନରେ ପରିଣତ ହେବ। ପବନର ପ୍ରଭାବ ଯୋଗୁ ଓଡ଼ିଶାରେ ବର୍ଷା ହେବ। ୭ ତାରିଖ ସନ୍ଧ୍ୟାରୁ ଏହାର ପ୍ରଭାବ ପଡ଼ିବ। ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ। ୧୧ ତାରିଖରୁ ବର୍ଷା କମିବ। ତେବେ ଓଡ଼ିଶାରେ ବାତ୍ୟାର ଆଶଙ୍କା ନାହିଁ।”
















