ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି
  • ୨ ଜଣିଆ ଖଣ୍ଡପୀଠରେ ହେଲା ଶୁଣାଣି
  • ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଓଡ଼ିଶା ସରକାର
  • ୨୦୧୮ ଫେବୃୟାରୀରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡପୀଠରେ ଏହି ମାମଲା ଶୁଣାଣି ହୋଇଛି। ଏହି ପ୍ରସଙ୍ଗରେ ଓଡ଼ିଶା ନିଜ ପକ୍ଷ ରଖିଛି। ପୋଲାଭରମ୍‌ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଆପୋଷ ସମାଧାନ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଏହି ପ୍ରସ୍ତାବ ପରେ ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮ ଫେବୃୟାରୀକୁ ସୁପ୍ରିମକୋର୍ଟ ଘୁଞ୍ଚାଇ ଦେଇଛନ୍ତି।

ବିବାଦୀୟ ପୋଲାଭରମ୍ ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହି ପ୍ରସଙ୍ଗକୁ ଆଜି ଓଡ଼ିଶା ସରକାର ପୁଣି ସୁପ୍ରିମକୋର୍ଟରେ ଦୋହରାଇଛନ୍ତି। ପୋଲାଭରମ୍‌କୁ ନେଇ ଏକାଧିକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପୋଲାଭରମ୍‌ ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଓଡ଼ିଶା ସରକାରଙ୍କ ଆନ୍ତରିକତା ନାହିଁ। ଯଦି ଥାଆନ୍ତା ତାହାଲେ ୧୫ ବର୍ଷ ତଳୁ କାମ ବନ୍ଦ ହୋଇଥାନ୍ତା।”

ପୋଲାଭରମ୍‌ ପ୍ରସଙ୍ଗରେ ଗତ ନଭେମ୍ବର ମାସରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପୋଲାଭରମ୍‌ ପ୍ରକଳ୍ପ ବାବଦରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଜବାବ ଦାଖଲ କରି ନପାରିବାରୁ ସୁପ୍ରିମକୋର୍ଟ ୨୦ ହଜାର ଟଙ୍କାର ଜରିମାନା ବି କରିଥିଲେ। ଏହାସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୯ ସୁଦ୍ଧା ପୋଲାଭରମ୍‌ ପ୍ରକଳ୍ପ କାମ ଶେଷ କରିବାକୁ ଆନ୍ଧ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏପଟେ ସୁପ୍ରିମକୋର୍ଟଙ୍କ ରାୟକୁ ଓଡ଼ିଶା ସରକାର ଅପେକ୍ଷା କରିଛନ୍ତି।

“ପୋଲାଭରମ୍‌ ପ୍ରକଳ୍ପ କାମ ଶେଷ କରିବା ପାଇଁ କେନ୍ଦ୍ର ସରକାର ଓ ଆନ୍ଧ୍ର ସରକାର ହାତ ମିଳାଇଛନ୍ତି। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିଲେ ବି ପ୍ରଳକ୍ପ କାମ ବନ୍ଦ କରାଯାଉ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଉପରେ ଆମର ଭରସା ଅଛି। ଆମେ ନ୍ୟାୟ ପାଇବୁ”, କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

Comment