ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେତାଙ୍କ ପାଇଁ ଦେଶରେ ପ୍ରତିଷ୍ଠା ହେବ କୋର୍ଟ। ଏନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଓଡ଼ିଶାରେ ଦାଗୀ ନେତାଙ୍କ ତାଲିକା ପ୍ରକାଶ ପାଇଛି। ଓଡ଼ିଶାରେ ୫୨ ନେତାଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଓଡ଼ିଶା ଇଲେକ୍ସନ୍ ୱାଚ୍ ପ୍ରକାଶ କରିଛି।

  • ବିଜେଡିର ୩୨ ନେତାଙ୍କ ନାଁରେ ପଡ଼ି ରହିଛି ମାମଲା
  • କଂଗ୍ରେସର ୯ ଏବଂ ବିଜେପିର ୮ ନେତାଙ୍କ ବିରୋଧରେ ମାମଲା
  • ନେତାଙ୍କ ପାଇଁ ପ୍ରତିଷ୍ଠା ହେବ କୋର୍ଟ
  • ୧୨ କୋର୍ଟରେ ୧୫୭୧ ମାମଲାର ହେବ ଫଇସଲା

ଦାଗୀ ନେତାଙ୍କ ପାଇଁ ଦେଶରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋର୍ଟ। ଏନେଇ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଡ୍ରାଫ୍ଟ ପ୍ଲାନ୍। ପ୍ରଥମ ପର୍ଯ୍ୟାୟରେ ପ୍ରତିଷ୍ଠା ହେବ ୧୨ଟି କୋର୍ଟ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ଇଲେକ୍ସନ୍ ୱାଚ ଏବଂ ଏଡିଆର୍ ଓଡ଼ିଶାର ଦାଗୀ ନେତାଙ୍କ ବିଷୟରେ ପ୍ରକାଶ କରିଛନ୍ତି ଚାଞ୍ଚଲ୍ୟକର ରିପୋର୍ଟ। ଓଡ଼ିଶା ବିଧାନସଭାର ୩୫ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

ଓଡ଼ିଶାରେ ଦାଗୀ ନେତାଙ୍କ ସଂଖ୍ୟା ୫୨। ସେମାନଙ୍କ ମଧ୍ୟରୁ ସର୍ବାଧିକ ନେତା ବିଜେଡିର। ଏହା ପଛକୁ କଂଗ୍ରେସ ଏବଂ ବିଜେପିର ନେତା ଅଛନ୍ତି। ବିଜେଡିର ୩୨ ଜଣ ନେତାଙ୍କ ବିରୋଧରେ ରହିଛି ସଙ୍ଗୀନ ମାମଲା। ଦୁଷ୍କର୍ମ, ଅପହରଣ, ଆକ୍ରମଣ ଭଳି ମାମଲାରେ ଛନ୍ଦି ହୋଇଛନ୍ତି ବିଜେଡିର ୩୨ ନେତା। ସେମାନଙ୍କ ନାଁରେ ଏକାଧିକ ମାମଲା ପଡ଼ି ରହିଛି।

ବିଜେଡି ପରେ ରହିଛି କଂଗ୍ରେସ। କଂଗ୍ରେସ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଏହାର ୯ ଜଣ ନେତାଙ୍କ ବିରୋଧରେ ସଙ୍ଗୀନ ମାମଲା ପଡ଼ି ରହିଛି। ସେହିପରି ବିଜେପି ୮ ଜଣ ନେତାଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ସେହିପରି ୨୧ ଜଣ ଏମ୍‌ପିଙ୍କ ମଧ୍ୟରୁ ବିଜେଡିର ୨ ଜଣ ଏବଂ ବିଜେପିର ଜଣକ ନାଁରେ ମାମଲା ପଡ଼ି ରହିଛି। ୫୨ ଜଣ ବିଧାୟକଙ୍କ ମଧ୍ୟରୁ ମୋଟ ୪୧ ଜଣକ ନାଁରେ ପଡ଼ି ରହିଛି ଗୁରୁତର ମାମଲା।

୧୨ଟି ସ୍ୱତନ୍ତ୍ର କୋର୍ଟରେ ୧୫୭୧ ଅପରାଧୀକ ମାମଲାର ଫଇସଲା ହେବ। ୨୦୧୪ ପର୍ଯ୍ୟନ୍ତ ଯେଉଁ ନେତାଙ୍କ ନାଁରେ ଅଭିଯୋଗ ହୋଇଛି ସେସବୁ ମାମଲା ତୁରନ୍ତ ଶୁଣାଣି କରାଯିବ। ୧ ବର୍ଷ ଭିତରେ ଏସବୁ ମାମଲା ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦାଗୀ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଥିଲେ। ଏପରିକି ଦୋଷୀ ସାବ୍ୟସ୍ତ ହେଲେ ଅଜୀବନ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ନିୟମ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। ହେଲେ କେନ୍ଦ୍ର ସରକାର ଏଥିରେ ରାଜି ହୋଇ ନଥିଲେ। ଦଣ୍ଡ ବ୍ୟବସ୍ଥାକୁ କୋହଳ କରିବା ଲାଗି କେନ୍ଦ୍ର ସରକାର କହିଥିଲେ। ୬ ବର୍ଷ ପର୍ଯ୍ୟନ୍ତ ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେନି ନିୟମ କରିବାକୁ କେନ୍ଦ୍ର ସରକାର କହିଥିଲେ।

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ଦାଗୀ ନେତାଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଥିଲେ। ଦାଗୀ ନେତାଙ୍କ ବିରୋଧରେ ପଡ଼ି ରହିଥିବା ମାମଲା ଶୀଘ୍ର ଫଇସଲା କରିବାକୁ ସ୍ପେଶାଲ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ୬ ସପ୍ତାହ ମଧ୍ୟରେ ଡ୍ରାଫ୍ଟ ପ୍ଲାନ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି।

Comment