ଓଡ଼ିଶାଲାଇଭ୍ ବ୍ୟୁରୋ

- ବିଧାନସଭାରେ ପାରିତ ହେଲା ମିଳିତ ସଙ୍କଳ୍ପ
- ସମର୍ଥନ କଲେ ବିଜେଡି-ବିଜପି-କଂଗ୍ରେସ
- କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ ହେଲା ଅଭିଯାନ
- କଲ୍ମା ବ୍ୟାରେଜର ୬୫ଟି ଗେଟ୍ ବନ୍ଦ କଲା ଛତିଶଗଡ
- ଗୋଟିଏ ଗେଟ୍ ଦେଇ ଆସୁଛି ପାଣି
- ଓଡ଼ିଶାରେ ଶୁଖିଲା ପଡ଼ିଛି ମହାନଦୀ
ତୁଟୁନି ମହାନଦୀ ବିବାଦ। ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ମାମଲା। ଏପଟେ ରାଜ୍ୟ ରାଜନୀତିରେ ଚାଲିଛି ତୁମ୍ବିତୋଫାନ। ଶେଷରେ ମହାନଦୀ ମହାଲଢ଼େଇରେ ସାମିଲ ହୋଇଛନ୍ତି ସବୁ ଦଳ। ବିଜେଡି-ବିଜେପି-କଂଗ୍ରେସ ମିଶି ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସଜବାଜ ହୋଇଛନ୍ତି। ଏହିକ୍ରମରେ ବିଧାନସଭାରେ ବୁଧବାର ମିଳିତ ସଙ୍କଳ୍ପ ପାରିତ ହୋଇଛି। ବିରୋଧ କଂଗ୍ରେସ ଏବଂ ବିଜେପି ଏହାକୁ ସମର୍ଥନ କରିଛନ୍ତି।
ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଓଡ଼ିଶାର ଜୀବନରେଖା ମହାନଦୀକୁ ବଞ୍ଚାଇବା ପାଇଁ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ। ଚିଠି ଲେଖିବାର ୨୪ ଘଣ୍ଟା ନପୂରୁଣୁ ଓଡ଼ିଶା ବିଧାନସଭାରେ ବୁଧବାର ଚାଲିଲା ମାରାଥନ୍ ଆଲୋଚନା। ସବୁ ପ୍ରସଙ୍ଗକୁ ପଛରେ ପକାଇ ମହାନଦୀ ପ୍ରସଙ୍ଗରେ ଚାଲିଲା ଜୋରଦାର ଆଲୋଚନା। ୪ ଘଣ୍ଟାର ଆଲୋଚନା ପରେ ମିଳିତ ସଙ୍କଳ୍ପ ପାରିତ ହୋଇଛି। ମହାନଦୀ ମହାଲଢ଼େଇରେ ସମସ୍ତେ ଏକାଠି ହୋଇଛନ୍ତି।
ବିଜେଡି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଆଣିଥିଲା ମୋସନ୍। ଏହି ମୋସନ୍ରେ ଆଲୋଚନା କରି ବିଜେଡି ସଭ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଜାଣିଶୁଣି କେନ୍ଦ୍ର ଓଡ଼ିଶା ପ୍ରତି ଅବିଚାର କରୁଛି ବୋଲି କହିଥିଲେ। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଆନ୍ତରିକତା ଦେଖାଉ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ବିଜେଡି ସଭ୍ୟ। ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଲୋକସଭାରେ ପ୍ରତିଶ୍ରୁତି ଦେଇଥିଲେ ହେଁ ପରେ କାହା ଚାପରେ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ କହିଲେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।
“କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରିଛନ୍ତି। ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରିଛି କେନ୍ଦ୍ର। ନଦୀ ଜଳ ଆବଣ୍ଟନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଏହା ବିରୋଧରେ ଲଢ଼େଇ ଜୋରଦାର ହେବ”, କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ।
ମହାନଦୀ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବି ନିଜ ମତ ରଖିଛି। କେନ୍ଦ୍ର ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏହାସହ ରାଜ୍ୟ ସରକାରଙ୍କ ନୀତିକୁ ବି ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ସତର୍କ ନୁହନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
“କେନ୍ଦ୍ର ସରକାର ଜାଣିଶୁଣି ଓଡ଼ିଶାକୁ ଅଣଦେଖା କରିଛନ୍ତି। ଛତିଶଗଡରେ ବିଜେପି ସରକାର ଚାଲିଥିବାରୁ କେନ୍ଦ୍ର ଛତିଶଗଡ ସରକାରଙ୍କୁ ସହଯୋଗ କରୁଛି। ଏହାର ଜୋରଦାର ପ୍ରତିବାଦ କରାଯିବ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।
ବିଜେଡି ଓ କଂଗ୍ରେସର ରଣହୁଙ୍କାର ଦେଖି ବିଜେପି ବି ପଛରେ ପଡ଼ିନି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ଜଡ଼ିତ ରହିଥିବାରୁ ବିଜେପି ମଧ୍ୟ ଲଢ଼େଇରେ ସାମିଲ ହୋଇଛି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବି ମିଳିତ ସଙ୍କଳ୍ପକୁ ସମର୍ଥନ ଦେଇଛି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ମହାନଦୀ ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଏବଂ କଂଗ୍ରେସ ରାଜନୀତି କରୁଛନ୍ତି। କେମିତି ଉପାୟ ବାହାର କରାଯିବ ସେନେଇ ଚିନ୍ତା କରୁ ନାହାନ୍ତି।”
ମହାନଦୀକୁ ନେଇ ଓଡ଼ିଶାରେ ଛକାପଞ୍ଝା ଚାଲିଥିବା ବେଳେ ଛତିଶଗଡ ଓଡ଼ିଶାକୁ ପୁଣି ନାଲି ଆଖି ଦେଖାଇଛି। କଲ୍ମା ବ୍ୟାରେଜର ୬୬ଟି ଗେଟରୁ ୬୫ଟି ଗେଟକୁ ବନ୍ଦ କରି ଦେଇଛି। ମାତ୍ର ଗୋଟିଏ ଗେଟ୍ ଦେଇ ଜଳ ପ୍ରବାହିତ ହେଉଛି। ଫଳରେ କଲ୍ମା ତଳି ଅଞ୍ଚଳ ଏବଂ ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ମହାନଦୀ ଶୁଖିଲା ପଡ଼ିଛି।
ମହାନଦୀ ମହାଲଢ଼େଇରେ ଏବେ ଓଡ଼ିଶାର ତିନି ପ୍ରମୁଖ ଦଳ ସାମିଲ ହୋଇଥିବାରୁ ଏହି ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।


















