ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ଭୋଟ। ୧୮ ତାରିଖରେ ହେବ ଭୋଟ ଗଣତି। ତେବେ ଏହା ପୂର୍ବରୁ ଆସିଛି ଏକ୍‌ଜିଟ୍ ପୋଲ୍ ଫଳାଫଳ। ଗୁଜୁରାଟରେ ପୁଣି ପଦ୍ମ ଫୁଟିବ ବୋଲି ଏକ୍‌ଜିଟ ପୋଲ୍‌ ରିପୋର୍ଟ କହୁଛି।

ଶେଷ ହୋଇଛି ଗୁଜୁରାଟ ବିଧାନସଭା ପାଇଁ ମତଦାନ। ନିର୍ବାଚନ ପରେ ଏକ୍‌ଜିଟ ପୋଲ୍ ଫଳାଫଳ ଆସିବା ଆରମ୍ଭ ହୋଇଛି। ୫ଟି ଟିଭି ଚ୍ୟାନେଲ ଏବଂ ଖବର ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଗୁଜୁରାଟରେ ପୁଣି ପଦ୍ମ ଫୁଟିବ ବୋଲି କୁହାଯାଇଛି। ଫଳରେ ଭାରତୀୟ ଜନତା ପାର୍ଟି ପୁଣିଥରେ ଗୁଜୁରାଟରେ ସରକାର ଗଢିବା ଏକ ରକମ୍ ସ୍ପଷ୍ଟ ହୋଇଛି।

୫ଟି ବିଭିନ୍ନ ଟିଭି ଚ୍ୟାନେଲ ଓ ଖବର ସଂସ୍ଥା ପକ୍ଷରୁ ନିଆଯାଇଥିବା ମତାମତ ଅନୁଯାୟୀ ହାରାହାରି ୧୦୦ ଆସନ ବିଜେପିକୁ ମିଳିବା ଦେଖାଯାଉଛି। ସେହିଭଳି କଂଗ୍ରେସକୁ ୭୦-୮୦ ଆସନ ମିଳିବା ଅନୁମାନ କରାଯାଉଛି। ୧୮୨ ଟି ଆସନ ପାଇଁ ଅନୁଷ୍ଠିତ ଗୁଜୁରାଟ ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଆସନ୍ତା ୧୮ ତାରିଖରେ ଭୋଟ ଗଣତି ହେବ। ଏହି ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଛି। କଂଗ୍ରେସକୁ ସମର୍ଥନ ଜଣାଇଥିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ, ଓବିସି ନେତା ଅଲ୍‌ପେସ୍ ଠାକୋର ଓ ଦଳିତ ନେତା ଜିଗ୍ନେସ୍ ମେୱାଣି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ, ଗୁଜୁରାଟର ନିର୍ବାଚନ ଫଳ ଚମକାଇବା ଭଳି ହେବ।

ଏବିପି ନ୍ୟୁଜ୍ ପକ୍ଷରୁ ୧୪୨ଟି ଆସନରେ କରାଯାଇଥିଲା ସର୍ଭେ। ବିଜେପି ୯୩, କଂଗ୍ରେସ ୪୮, ଅନ୍ୟାନ୍ୟ ଦଳ ୧ଟି ଆସନ ପାଇବେ ବୋଲି ଆକଳନ କରିଛି ଏହି ସର୍ଭେ।

ଟାଇମ୍ସ ନାଓ – ଭିଏମଆର ପକ୍ଷରୁ ୧୮୨ଟି ଆସନରେ ସର୍ଭେ କରାଯାଇଛି। ଏହି ରିପୋର୍ଟରୁ ଜଣାପଡ଼ିଛି  ବିଜେପି ୧୦୯, କଂଗ୍ରେସ ୭୧, ଅନ୍ୟାନ୍ୟ ଦଳ ୨ଟି ପାଇବେ। ରିପବ୍ଲିକ୍ ଟିଭି – ସି ଭୋଟର ପକ୍ଷରୁ ମଧ୍ୟ ୧୮୨ଟି ଆସନରେ ସର୍ଭେ କରାଯାଇଛି। ବିଜେପି ୧୧୫, କଂଗ୍ରେସ ୬୫, ଅନ୍ୟ ଦଳ ୨ଟି ଆସନ ପାଇବେ।

ଇଣ୍ଡିଆ ନ୍ୟୁଜ୍-ସିଏନଏକ୍ସ ପକ୍ଷରୁ କରାଯାଇଛି ୧୮୨ଟି ଆସନରେ ସର୍ଭେ। ବିଜେପି ୧୧୨, କଂଗ୍ରେସ ୭୬ ଏବଂ ଅନ୍ୟମାନେ ୪ଟି ଆସନ ପାଇବେ। ଇଣ୍ଡିଆ ଟୁଡେ- ଆକ୍ସିସ୍ ପକ୍ଷରୁ କରାଯାଇଥିବା ସର୍ଭେ କହୁଛି ମୋଟ ୧୮୨ ଆସନରୁ ବିଜେ ପି ୧୦୫, କଂଗ୍ରେସ ୭୩, ଅନ୍ୟମାନେ ୪ଟି ଆସନରେ ଜିତିବେ।

ଗୁଜୁରାଟରେ ବିଜେପି ୧୯ ବର୍ଷ ଧରି ଶାସନରେ ଅଛି। ୧୯୯୫ରେ କଂଗ୍ରେସର ଶେଷ ସରକାର ଥିଲା।

Comment