ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ସାବରମତିରେ ଭୋଟ ଦେଇଛନ୍ତି। ବଡ଼ ଭାଇ ସୋମା ମୋଦିଙ୍କ ପାଦ ଛୁଇଁ ପ୍ରଧାନମନ୍ତ୍ରୀ ୧୧୫ ନମ୍ବର ବୁଥ୍‌ ଆଗରେ ଲାଇନ୍‌ରେ ଛିଡ଼ା ହୋଇଥିଲେ।

ଗୁଜୁରାଟ ବିଧାନସଭା ପାଇଁ ଗୁରୁବାର ଅନୁଷ୍ଠିତ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଭୋଟ ଦେଇଛନ୍ତି। ସାବରମତିର ରଣିପ ଅଞ୍ଚଳରେ ମୋଦି ଭୋଟ ଦେଇଛନ୍ତି। ୧୧୫ ନମ୍ବର ବୁଥ୍‌ ଆଗରେ ଲାଇନ୍‌ରେ ଛିଡ଼ା ହୋଇ ମୋଦି ଭୋଟ ଦେଇଥିବା ଦେଖିବାକୁ ମିଳିଛି।

ଭୋଟ ଦେବା ପାଇଁ ଗୁରୁବାର ସକାଳେ ମୋଦି ସାବରମତିରେ ପହଞ୍ଚିଥିଲେ। ଭୋଟ ଦେବାକୁ ଆସିଥିବାରୁ ମୋଦିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ଭିଡ଼ ଭିତରେ ଛିଡ଼ା ହୋଇଥିଲେ ନରେନ୍ଦ୍ର ମୋଦିଙ୍କ ବଡ଼ ଭାଇ ସୋମାଭାଇ ମୋଦି। ଲୋକଙ୍କ ଗହଣରେ ବଡ଼ ଭାଇ ଛିଡ଼ା ହୋଇଥିବାର ଦେଖି ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ସିଧା ତାଙ୍କ ଭାଇଙ୍କ ପାଖକୁ ଚାଲିଗଲେ। ପାଦ ଛୁଇଁ ଆଶୀର୍ବାଦ ନେଲେ। ଏହାପରେ ବୁଥ୍‌ ଆଗରେ ଲାଇନ୍‌ରେ ଛିଡ଼ା ହୋଇ ଭୋଟ ଦେଇଥିଲେ।

ନରେନ୍ଦ୍ର ମୋଦିଙ୍କର ୪ ଜଣ ଭାଇ ଅଛନ୍ତି। ସେମାନଙ୍କ ମଧ୍ୟରୁ ସୋମା ମୋଦି ହେଉଛନ୍ତି ସବୁଡ଼ୁ ବଡ଼। ସେ ଚାକିରିରୁ ଅବସର ଗ୍ରହଣ କରିବା ପରେ ସାବରମତୀ ଅଞ୍ଚଳରେ ସମାଜସେବାକୁ ଆପଣାଇ ନେଇଛନ୍ତି। ଆଉ ୩ ଜଣ ଭାଇ ହେଲେ ପ୍ରହଲ୍ଲାଦ ମୋଦି, ପଙ୍କଜ ମୋଦି ଏବଂ ଅମ୍ରିତ ମୋଦି।

ଗୁରୁବାର ଗୁଜୁରାଟ ବିଧାନସଭା ପାଇଁ ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟ ମତଦାନ ହୋଇଛି। ଅହମ୍ମଦାମାଦ, ବନାସକାଣ୍ଠା, ପାଟନା, ସାବରକାଣ୍ଠା, ଗାନ୍ଧିନଗର, ଖେଡା, ମହିସାଗର, ପଞ୍ଚମାହଲ, ଦାହୋଦ, ବଡ଼ୋଦରା ପ୍ରମୁଖ ଜିଲ୍ଲାରେ ଭୋଟର ମତଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here