ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶୁକ୍ରବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ
  • ଜାନୁୟାରୀ ୫ ଯାଏଁ ଚାଲିବ ଅଧିବେଶନ
  • ସଂସଦରେ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବ ବିଜେଡି
  • ମହାନଦୀ, ପୋଲାଭରମ୍ ସହ ଏମ୍‌ଏସ୍‌ପି ବୃଦ୍ଧିକୁ ଅସ୍ତ୍ର କରିବ ବିଜେଡି
  • କେନ୍ଦ୍ରକୁ ଘେରିବା ପାଇଁ ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ

ସଂସଦର ଶୀତକାଳୀନ ଅଧିବେଶନକୁ ଗରମ୍ କରିବେ ବିଜେଡି ସାଂସଦ। ମହାନଦୀ, ପୋଲାଭରମ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ। ଏନେଇ ନବୀନ ନିବାସରେ ପ୍ରସ୍ତୁତ ହୋଇଛି ରଣନୀତି। ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବାକୁ ବିଜେଡି ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁକ୍ରବାରଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଚଳିତ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିବ। ହେଲେ ଓଡ଼ିଶା ସାଂସଦମାନଙ୍କର କଣ ଆଭିମୁଖ୍ୟ ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଜି ଏହି ଚର୍ଚ୍ଚାର ଅବସାନ ଘଟିଛି। ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ଦିଲ୍ଲୀ ଦରବାରରେ ଲଢ଼େଇ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ମହାନଦୀ ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତି ଉଠୁଛି ପଡ଼ୁଛି। ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ଅସମ୍ଭବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଜେଡି ମହାନଦୀକୁ ଅସ୍ତ୍ର କରିଛି। ଓଡ଼ିଶା ବିଧାନସଭାରେ ବିଜେଡି ବିଧାୟକମାନେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବିଧାନସଭାରେ ମୋସନ ଆଗତ କରି ମିଳିତ ସଙ୍କଳ୍ପ ପାର୍‌ କରାଯାଇଛି। ଏବେ ଏହି ପ୍ରସଙ୍ଗକୁ ସଂସଦରେ ଅସ୍ତ୍ର କରିବ ବିଜେଡି।

“ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ବିଜେଡି ନିନ୍ଦା କରୁଛି। ଆଇନ୍ କହୁଛି କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ହେଲେ ଛତିଶଗଡକୁ ଅନୁକମ୍ପା ଦେଖାଇ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ଚାହୁଁ ନାହାନ୍ତି”, କହିଛନ୍ତି ସାଂସଦ କଳିକେଶ ସିଂହଦେଓ।

ପୋଲାଭରମ୍ ପ୍ରସଙ୍ଗରେ ବି କେନ୍ଦ୍ର ଓଡ଼ିଶାକୁ ଅଣଦେଖା କରୁଥିବା ବିଜେଡି ଅଭିଯୋଗ କରିଛି। ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପୋଲାଭରମ୍‌ ପ୍ରକଳ୍ପ ଚାଲୁଛି ବୋଲି ବିଜେଡି କହିଛି। ବାରମ୍ବାର ଦାବି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରୁ ନାହାନ୍ତି। ଏଣୁ ଏହି ପ୍ରସଙ୍ଗକୁ ଧରି ବିଜେଡି ସାଂସଦମାନେ କେନ୍ଦ୍ରକୁ ଘେରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ମଧ୍ୟ ସଂସଦରେ ବିଜେଡି ଉଠାଇବ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପ୍ରସଙ୍ଗକୁ ବି ବିଜେଡି ଏଥର ଅସ୍ତ୍ର କରିବ।

କଳିକେଶ ସିଂହଦେଓ ଆହୁରି କହିଛନ୍ତି ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଧା ଟଙ୍କା ରାଜ୍ୟ ସରକାର ବହନ କରିବା ସହ ଜମି ଯୋଗାଇ ଦେବାକୁ ରାଜି ଅଛନ୍ତି। ହେଲେ କେନ୍ଦ୍ର ସରକାର ଏଥିରେ ବିଳମ୍ବ କରୁଥିବା ଦୁର୍ଭାଗ୍ୟଜନକ। ଏହାସହ ପୋଲାଭାମ୍‌ ପ୍ରସଙ୍ଗ ବି ସଂସଦରେ ଆଲୋଚନା କରାଯିବ।

LEAVE A REPLY

Please enter your comment!
Please enter your name here