ଅଶୋକ ବହିଦାର

କୃଷ୍ଣଭକ୍ତ ଅକ୍ରୁର, କଂସଙ୍କ ଚିଟାଉ ଧରି ବାହାରିଛନ୍ତି ଗୋପ ଅଭିମୁଖେ। ହୃଦୟରେ ଅନେକ ଆବେଗ। ଗୋପକୁ ଯାଇ ପହଞ୍ଚିବେ ନିଜ ପ୍ରିୟ ଭଗବାନଙ୍କୁ ଭେଟିବେ। ଅକ୍ରୁରଙ୍କ ରଥ ଆଗେଇ ଚାଲିଛି ଆଗକୁ ଆଗକୁ। ପଛରେ ରହିଯାଇଛି ମଥୁରା। ଅକ୍ରୁର ପହଞ୍ଚିଯାଇଛନ୍ତି ଯମୁନା ତୀରରେ।

ଏପଟେ ମଥୁରା, ସେପଟେ ଗୋପପୁର। ମଝିରେ ଅକ୍ରୁର। କଂସଙ୍କ ଉଦ୍ଦେଶ୍ୟ ଭିନ୍ନ। ଅକ୍ରୁରଙ୍କ ଉଦ୍ଦେଶ୍ୟ ଭିନ୍ନ।

ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ

ଗୋପପୁରରେ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା ରଚି ଚକିତ କରିଦେଉଛନ୍ତି ଗୋପବାସୀଙ୍କୁ। ଅଲୌକିକତା ଭିତରେ ଗୋପପୁରବାସୀ ଏତେ ଦୂର ହଜିଯାଇଛନ୍ତି ସେମାନଙ୍କୁ ଶ୍ରୀକୃଷ୍ଣଙ୍କ ସବୁକିଛି ବାସ୍ତବ-ବାସ୍ତବ ପରି ଲାଗୁଛି।

ଏହି ପରିପ୍ରେକ୍ଷୀରେ ଇନ୍ଦ୍ରଙ୍କ କୋପରୁ ସୃଷ୍ଟି ହେଉଥିବା ପ୍ରବଳ ବର୍ଷାରୁ ଗୋ-ସମ୍ପଦକୁ ରକ୍ଷା କରିବା ପାଇଁ ବାଳକୃଷ୍ଣ ନିଜର ଅଙ୍ଗୁଳିରେ ଗିରିଗୋବର୍ଦ୍ଧନ ପର୍ବତକୁ ଟେକି ଧରିଛନ୍ତି।

ଶ୍ରୀକୃଷ୍ଣଙ୍କର ଏଇ ଅସମ୍ଭବ କ୍ରିୟାରେ ସ୍ତମ୍ଭୀଭୂତ ହୋ‍ଇଯାଇଛନ୍ତି ଗୋପର ନରନାରୀ।

ଯମୁନା ନ‍ଇରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ

ଯମୁନା ପାରିହୋ‍ଇ ଅକ୍ରୁର ଗୋପର ମାଟିରେ ପାଦ ଥାପିଦେଇଛନ୍ତି। ଯମୁନା ବାଲିରେ ଶ୍ରୀକୃଷ୍ଣଙ୍କର ପଦଚିହ୍ନ ଦେଖି ଆତ୍ମବିଭୋର ହୋ‍ଇଯାଇଛନ୍ତି ଅକ୍ରୁର। ହୃଦୟର ଭକ୍ତିଭାବ ଅଶ୍ରୁ ଭାବେ ଧାର ଧାର ହୋ‍ଇବହିଯାଉଛି ଅକ୍ରୁରଙ୍କୁ ଆଖିରୁ ଓ ଓଦା କରିଦେଉଛି ଯମୁନା ବାଲିର ସେଇ ଶ୍ରୀକୃଷ୍ଣଙ୍କ ପ୍ରତୀକାତ୍ମକ ଉପସ୍ଥିତିକୁ ଭକ୍ତିର ଭାବରେ। ସତେ ଯେପରି ଶ୍ରୀକୃଷ୍ଣଙ୍କ ଏହି ପାଦ ଦୁଇଟା ଅକ୍ରୁରଙ୍କୁ କହୁଛି, ମୁଁ ମୋ ପ୍ରିୟ ଭକ୍ତକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି।

ବରଗଡ଼ ଧନୁଯାତ୍ରାର ନାଟ୍ୟଧାରାରେ ଏଇ ଦୃଶ୍ୟ ଯେତେ ଜୀବନ୍ତ, ସେତେ ମାର୍ମିକ। ଅପର ପକ୍ଷରେ କୃଷ୍ଣ ଚେତନାର ବିପ୍ଲବ ସୃଷ୍ଟି କରିଚାଲିଛି ଅଭିନୟ ମାଧ୍ୟମରେ।

କଂସଙ୍କ ନଗର ଭ୍ରମଣ

କଂସଙ୍କ ବିଶ୍ୱାସ ଯେ ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେଇ ଗୋପରୁ ମଥୁରାକୁ ଫେରୁଥିବେ। ଶ୍ରୀକୃଷ୍ଣଙ୍କ ନିଧନ ପାଇଁ ଅକ୍ରୁରଙ୍କୁ ମାଧ୍ୟମକରି କଂସ ଉତଫୁଲ୍ଲିତ ହୋ‍ଇ ନିଜକୁ ହଜାଇ ଦେଉଛନ୍ତି ନଗର ଭ୍ରମଣରେ।

ନଗର ଭ୍ରମଣ ଭିତରେ କଂସଙ୍କୁ ନେଇ ଅନେକ ଘଟଣା ଘଟି ଚାଲିଛି ରାଜଦାଣ୍ଡରେ। ଧନୁଯାତ୍ରାର ନାଟ୍ୟଧାରା ଭିତରେ କଂସଙ୍କ ନଗର ଭ୍ରମଣ ପରୋକ୍ଷରେ ଦର୍ଶକମାନଙ୍କୁ ପୃଥିବୀର ପ୍ରସିଦ୍ଧ ମୁକ୍ତାକାଶ ଲୋକନାଟକ ମଞ୍ଚରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଚାଲିଛି।

ଗୋପପୁରରେ ପହଞ୍ଚିଲେ ଅକ୍ରୁର

ଅକ୍ରୁର ଗୋପରେ ପହଞ୍ଚି ଯାଇଛନ୍ତି। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନକରି ଏକ ଅଜଣା ଆନନ୍ଦରେ ପୁଲକିତ ହୋ‍ଇଉଠୁଛନ୍ତି ଅକ୍ରୁର।

ଭାବ ଗଦ୍‌ଗଦ୍‌ କଣ୍ଠରେ ନିଜର ପ୍ରଭୁଙ୍କୁ ହୃଦୟର ଭକ୍ତି ଢାଳି ଦେଉଛନ୍ତି ପାଦତଳେ। ଭଗବାନ ବି ଭକ୍ତକୁ ନିଜ ପାଖରେ ପାଇ ଆଲିଙ୍ଗନ କରିବା ପାଇଁ ଦୁଇ ହାତକୁ ପ୍ରସାରି ନେଉଛନ୍ତି। ବାସ୍ତବିକ ଧନୁଯାତ୍ରାର ନାଟ୍ୟଧାରାରେ ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଏଇ ସମ୍ପର୍କରେ ଦୃଶ୍ୟ ଅଭିଭୂତ କରିଦେଇଥାଏ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରତି ଧନୁଯାତ୍ରାର ଅବସରରେ।

ଆଧୁନିକ ମଣିଷ ଭିତରେ ଏଇ ଦୃଶ୍ୟ ଭଗବାନଙ୍କ ଉପସ୍ଥିତି ନେଇ ବିଶ୍ୱାସ ସୃଷ୍ଟି କରିବା ପାଇଁ ବୋଧହୁଏ ଏକ ସଫଳ ନାଟ୍ୟ ପ୍ରଯୋଜନା।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।