ଭାସ୍କର ପରିଚ୍ଛା

କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମିଳେ। ଏହା କହିବାର ତାତ୍ପର୍ଯ୍ୟ ହେଉଛି ପ୍ରାପ୍ୟ ଓ ପ୍ରାପକଙ୍କ ଭିତରେ ଥିବା ବା ବଢୁଥିବା ଦୂରତା।

୨୦୧୭ ବର୍ଷଟି ଓଡିଶା କଂଗ୍ରେସ ପାଇଁ ସେଭଳି କିଛି ଉଲ୍ଲେଖଯୋଗ୍ୟ ବର୍ଷ ହୋଇ ପାରିନଥିଲା। ଯିବେ ଯିବେ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନା ଯାଇପାରିଲେ, ଆସିବେ ଆସିବେ ବୋଲି ନିରଞ୍ଜନ ପଟନାୟକ ନା ଆସିପାରିଲେ। ସତ କଥା କିନ୍ତୁ ପିସିସି ସଭାପତି ପରିବର୍ତ୍ତନ ଦଳ ପାଇଁ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ।

୨୦୧୯ ପାଇଁ ରାଜ୍ୟର ତିନୋଟି ପ୍ରମୁଖ ଦଳ ଭିତରୁ ଶାସକ ବିଜେଡି ଓ ବିଜେପି ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ କଂଗ୍ରେସ କିନ୍ତୁ ଏଭଳି ଜଣେ ନେତାଙ୍କୁ ଚାହିଁ ବସିଛି ଯିଏ ଦଳକୁ ଆଗକୁ ବଢ଼େଇ ନେଇପାରିବେ। ଇତିମଧ୍ୟରେ ପିସିସି ମୁଖ୍ୟ ହରିଚନ୍ଦନ ତାଙ୍କ ପଦରେ ତିନି ବର୍ଷ ରହିସାରିଲେଣି ଯାହାକି ଆପଣା ଛାଏଁ ଏକ ରେକର୍ଡ। ହୁଏତ ଦଳକୁ ସୁଦୃଢ଼ କରିବାରେ ପ୍ରସାଦ ବିଶେଷ ସଫଳ ହୋଇପାରିନାହାନ୍ତି ଓ ଦଳ ସବୁ ଦିନ ଭଳି ଏକାଧିକ ଗୋଷ୍ଠୀରେ ବିଭାଜିତ ହୋଇରହିଛି, ପ୍ରସାଦ କିନ୍ତୁ ଗୋଟିଏ ଟର୍ମ ପରେ ଦ୍ୱିତୀୟ ଟର୍ମ ଆରମ୍ଭ କରିଛନ୍ତି।

ସଦ୍ୟ ଶେଷ ହୋଇଥିବା ବର୍ଷରେ କଂଗ୍ରେସ ଦଳ ଏକ ବଡ଼ ଧରଣର କ୍ଷତି ସହିଛି। ବିଗତ ତିନି ବର୍ଷ ଧରି ଦଳ ରାଜ୍ୟର ରାଜନୀତିରେ ତାର ସ୍ଥାନ ହରାଇ ଆସିଥିବା ବେଳେ ୨୦୧୭ରେ ଏହା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଥିଲା। ରାଜ୍ୟର ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା କଂଗ୍ରେସ ହରାଇ ବସିଲା ଯାହାକି ଫେରି ପାଇବା ଆଉ ସମ୍ଭବ ନୁହେଁ। ସଂଖ୍ୟା ଦୃଷ୍ଟିରୁ ନ ହେଲେ ବି ଧାରଣା ଦୃଷ୍ଟିରୁ ବିଜେପି ହେଉଛି ଓଡିଶାର ପ୍ରକୃତ ବିରୋଧୀ ଦଳ। ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବେଶ୍ କିଛି କ୍ଷତି ହୋଇଥିଲା ଯାହାକୁ ଆଗକୁ ଭରଣା କରିବା କଷ୍ଟ। ୨୦୧୮ରେ ବିଜେଡି ଓ ବିଜେପିରେ ସେଭଳି କିଛି ଚାଂଚଲ୍ୟକର ପରିବର୍ତନ ହୁଏତ ଆଶା କରାଯାଉନାହିଁ। କିନ୍ତୁ କଂଗ୍ରେସ ସଭାପତି ବଦଳିବା ବିଷୟ ଏବେ ବି ଚର୍ଚ୍ଚାରେ ରହିଛି।

ପ୍ରସାଦ ହରିଚନ୍ଦନ ଦଳର ବିଭିନ୍ନ ଗୋଷ୍ଠୀକୁ ଏକାଠି କରିବା ତ ପରର କଥା ସେ ଏ ପର୍ଯ୍ୟନ୍ତ ଦଳରେ ଗ୍ରହଣୀୟ ବି ହୋଇପାରିନାହାନ୍ତି। କଂଗ୍ରେସ ମହଲରେ ଯାହା ଚର୍ଚ୍ଚା ହେଉଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଉ ବିଳମ୍ବ ନକରି ପିସିସି ମୁଖ୍ୟ ପରିବର୍ତ୍ତନକୁ ମୋହର ଲଗାଇବା ଆରଂଭ କରିବେ।

ବିଗତ କିଛି ଦିନ ମଧ୍ୟରେ ଗୋଟିଏ ଦୁଇଟି ରାଜ୍ୟରେ ପିସିସି ପରିବର୍ତ୍ତନ ହୋଇ ସାରିଛି ମଧ୍ୟ। ବିଜେପି ଭାରତକୁ କଂଗ୍ରେସମୁକ୍ତ କରିବାର ଯେଉଁ ସ୍ଲୋଗାନ ଦେଇ ଆସିଥିଲା ତାହା ଢ଼େର ମାତ୍ରାରେ ଧୋକା ଖାଇଥିଲା ଗୁଜରାଟ ଓ ତା’ ପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନରେ। ଏଣୁ ୧୩୨ ବର୍ଷ ଦଳ ଯଦି ତାର ଉପସ୍ଥିତିକୁ ପୁଣି ଥରେ ସାବ୍ୟସ୍ତ କରିବାକୁ ଆରମ୍ଭ କରିଛି ଓଡ଼ିଶାରେ ତାହା କାହିଁକି ନ ହୋଇପାରିବ?

ଲୋକେ ବି ଉଣା ଅଧି କେ ଦେଶର ସର୍ବ ପୁରାତନ ଦଳ ଉପରେ ପୁନର୍ବାର ଆଶା ପ୍ରକଟକରିବା ଆରମ୍ଭ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ ଗୁଜରାଟ ନିର୍ବାଚନ ପରେ କଂଗ୍ରେସକୁ ହାଲ୍‌କା ଭାବେ ନିଆଯିବା ଉଚିତ ନୁହେଁ। କଂଗ୍ରେସ ମହଲରେ ହେଉଥିବା ଆଲୋଚନା ଅନୁସାରେ ଏଥର ରାହୁଲ ଗାନ୍ଧି ଜଣେ ଦକ୍ଷ ପରିଚାଳକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେବେ, ତାଙ୍କର ରାଜନୈତିକ ପୃଷ୍ଠଭୂମି ଯାହା ଥାଉ ନା କାହିଁକି।

ପ୍ରକୃତ କଥା ହେଉଛି ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଓଡିଶା କଂଗ୍ରେସ ଏଭଳି ଜଣେ ନେତା ଦରକାର କରୁଛି ଯିଏ ସବୁ ଗୋଷ୍ଠୀକୁ ସାଙ୍ଗରେ ନେଇ ଚାଲିପାରିବେ ଓ ବିଜେଡି ତଥା ବିଜେପିକୁ ୨୦୧୯ରେ ଟକ୍କର ଥିବା ଭଳି ତାକତ ତାଙ୍କର ଥିବ। କଂଗ୍ରେସର ବରିଷ୍ଠ ନେତା ମାନଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ହିଁ ଏକ ମାତ୍ର ଯିଏ ସବୁ ବର୍ଗ ଓ ଗୋଷ୍ଠୀକୁ ସାଥିରେ ନେଇ ଆଗକୁ ବଢ଼ିବାରେ ସମର୍ଥ ହେବେ। ସେସବୁ ଗୋଷ୍ଠୀର ପସନ୍ଦ ନେତା ମଧ୍ୟ।

ନିରଞ୍ଜନ ନିଜେ କହୁଛନ୍ତି ଯଦି ତାଙ୍କୁ ଦାୟିତ୍ୱ ଦିଆଯାଏ ସେ ୧୯୯୫ ଭଳି ଫଳ ଦେଖାଇଦେବେ। ମନେପକାଇ ଦିଆଯାଇପାରେ ଯେ କ୍ଷମତାରେ ଥାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଭଳି ଲୋକପ୍ରିୟ ନେତା ୧୯୯୫ରେ ବିଧାନସଭା ନିର୍ବାଚନ ହାରି ଯାଇଥିଲେ। କଂଗ୍ରେସ ଭିତରେ ଅନେକଙ୍କ ଦୃଢ ଧାରଣା ଯେ ନିରଞ୍ଜନ ହିଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫରମୁଲା ଆପଣେଇ ପାରିବେ ଓ ତ୍ରିକୋଣ ମୁକାବିଲାରେ କଂଗ୍ରେସକୁ ଜୟଯୁକ୍ତ କରିପାରିବେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment