ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ପରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏବେ ପିସିସି ସଭାପତି ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜିରେ କୁହାଯାଇଛି। ଫଳରେ ପ୍ରସାଦ ହରିଚନ୍ଦନଙ୍କ ଟିମ୍‌କୁ ଆଶ୍ୱସ୍ତି ମିଳିଛି।

କେବେ ବଦଳିବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି? ଏହାକୁ ନେଇ ଗତ କିଛିଦିନ ହେଲା କଂଗ୍ରେସ ଶିବିରିରେ ଚାଲିଥିଲା ଛକାପଞ୍ଝା। ହେଲେ ଏହି ଛକାପଞ୍ଝାର ଅବସାନ ଘଟାଇଛି ଏଆଇସିସି। ଏବେ ପିସିସି ସଭାପତି ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ପରବର୍ତ୍ତୀ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ବର୍ତ୍ତମାନର ପିସିସି ସଭାପତି ନିଜ ପଦବୀରେ ରହି କାର୍ଯ୍ୟ କରିବେ ବୋଲି କୁହାଯାଇଛି। ଏହି ପ୍ରେସ୍‌ ରିଲିଜ୍‌ ଜାରି ହେବା ପରେ ପ୍ରସାଦଙ୍କ ଶିବିରରେ ଉତ୍ସାହ ଦେଖାଦେଇଛି।

୨୦୧୪ ଡିସେମ୍ବର ମାସରେ ପ୍ରସାଦ ହରିଚନ୍ଦନ ହୋଇଥିଲେ ପିସିସି ସଭାପତି। ‘ମୁଁ ନୁହେଁ ଆମେ’ ସ୍ଲୋଗାନ୍ ଦେଇ ପ୍ରସାଦ ନିଜ ଦାୟିତ୍ବ ସୁରୁଖୁରୁରେ ଚଳାଉଥିଲେ। ହେଲେ ୬ ମାସ ପରେ ସବୁକିଛି ଓଲଟି ଯାଇଥିଲା। ପିସିସି ସଭାପତି ବଦଳାଇବା ପାଇଁ କଂଗ୍ରେସର ଗୋଟେ ଗୋଷ୍ଠୀ ଦିଲ୍ଲୀ ଦୌଡ଼ିଲେ। ଏମିତିରେ ଚାଲିଗଲା ଅଢ଼େ ବର୍ଷ।

ଶେଷରେ ଆସିଲା ପଞ୍ଚାୟତ ନିର୍ବାଚନ। ପ୍ରସାଦଙ୍କ ନେତୃତ୍ବରେ କଂଗ୍ରେସ ପଞ୍ଚାୟତ ନିର୍ବାଚନ ଲଢ଼ିଲା। କିନ୍ତୁ ଜୋରଦାର ଝଟକା ଖାଇଥିଲା ଏହି ଜାତୀୟ ଦଳ। ୨ ନମ୍ବର ସ୍ଥାନରୁ ୩ ନମ୍ବରକୁ ଖସି ଆସିଥିଲା ଏହି ଦଳ। ଏହାକୁ ଆଳ କରି ପ୍ରସାଦ ହଟାଓ ଅଭିଯାନ କଂଗ୍ରେସରେ ଜୋରଦାର ହୋଇଥିଲା। ଏହାଛଡ଼ା କିଛି ନେତା ମଧ୍ୟ ଦଳ ଛାଡ଼ି ଚାଲି ଯାଇଥିଲେ। ଏହାପରେ ଏଆଇସିସିର ଏକ ଟିମ୍‌ ଓଡ଼ିଶା କଂଗ୍ରେସର କ’ଣ ଚାଲିଛି ତାର ହାବଭାବ ଜାଣିବା ପାଇଁ ଓଡ଼ିଶା ଆସିଥିଲେ।

ଦୁଇଦିନ ରହି ବିଭିନ୍ନ ବର୍ଗର ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ରିପୋର୍ଟ ତିଆରି କରି ହାଇକମାଣ୍ଡଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟ ପାଇବା ପରେ ରାହୁଲ ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଥିଲେ। ଏହି ଡକରା ବେଳେ ଆଲୋଚନା ହେଲା ଯେ, ପ୍ରସାଦ ପିସିସି ଗାଦିରୁ ଯିବେ। ହେଲେ ସେମିତି କିଛି ହେଲା ନାହିଁ। ନିକଟରେ ରାହୁଲ କଂଗ୍ରେସର ମଙ୍ଗ ଧରିଛନ୍ତି। ସୋନିଆ ଗାନ୍ଧିଙ୍କ ସ୍ଥାନରେ ରାହୁଲଙ୍କୁ ସଭାପତି କରାଯାଇଛି।

ରାହୁଲ ସଭାପତି ହେବା ପରେ ପ୍ରଥମ ଥର ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ପିସିସି ସଭାପତି ଏବେ ପରିବର୍ତ୍ତନ ହେବ ନାହିଁ କହିବା ପରେ ପ୍ରସାଦଙ୍କ ଟିମ୍‌କୁ ଆଶ୍ୱସ୍ତି ମିଳିଛି।

Comment